Akshaya Tritiy: ଅକ୍ଷୟ ତୃତୀୟାରେ ଦେଶରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ବିକ୍ରି ହେବ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା ଓ ରୁପା ଦର ଅପ୍ରତ୍ୟାଶିତ ଭାବେ ବହୁ ଅଧିକ ରହିଛି। ଏହା ସତ୍ତ୍ବେ ଚଳିତବର୍ଷ ବ୍ୟବସାୟ ଭଲ ରହିବ। ପରିମାଣ ସେତେ ଅଧିକ ନହେଲେ ମଧ୍ୟ ମୂଲ୍ୟ ଅଧିକ ରହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଆକଳନ ଅନୁଯାୟୀ ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ବିକ୍ରି ହେବ। ଗତବର୍ଷ ହୋଇଥିବା ୧୬ ହଜାର କୋଟି ଟଙ୍କାର ବିକ୍ରି ତୁଳନାରେ ଏହା ୪ ହଜାର କୋଟି ବା ୨୫ ପ୍ରତିଶତ ଅଧିକ। ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଅଧିକାଂଶ ଶୁଭ ବୋଲି ବିବେଚନା କରିଥାନ୍ତି। ଗତବର୍ଷ ଅକ୍ଷୟ ତୃତୀୟା ସମୟରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ଟଙ୍କା ରହିଥିଲା। ଚଳିତବର୍ଷ ଏହା ପ୍ରାୟ ୧ ଲକ୍ଷ ୫୮ ହଜାର ଟଙ୍କା ସ୍ତରରେ ରହିଛି। ସେହିଭଳି ଗତବର୍ଷ ଅକ୍ଷୟ ତୃତୀୟାରେ ରୁପା ଦର କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା ଥିବାବେଳ ସଂପ୍ରତି ଏହା ୨ ଲକ୍ଷ ୫୫ ହଜାର ଟଙ୍କା ସ୍ତରରେ ରହିଛି। ଦରବୃଦ୍ଧି ପାଇଁ ଗ୍ରାହକମାନେ ବଜାରରୁ ଦୂରେଇବା ପରିବର୍ତ୍ତେ ହାଲକା ଓଜନର ଗହଣା କିଣିବାକୁ ପସନ୍ଦ କରୁଛନ୍ତି। ଏଥିସହିତ ସୋରୁମଗୁଡ଼ିକ ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି। ଉପହାର ପ୍ରଦାନ ବ୍ୟବସ୍ଥା ବି ରହିଛି। ଏଥିଯୋଗୁ ସୁନା ଓ ରୁପା କିଣିବା ପାଇଁ ଗ୍ରାହକଙ୍କ ଆଗ୍ରହ ଜାରି ରହିଛି ବୋଲି ସିଏଆଇଟିର ଜାତୀୟ ସଭାପତି ବି ସି ଭରତିଆ କହିଛନ୍ତି।

ସିଏଆଇଟିର ସହଯୋଗୀ ସଂସ୍ଥା ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍‌ ଗୋଲ୍ଡସ୍ମିଥ ଫେ‌ଡେରେସନ (ଏଆଇଜେଜିଏଫ୍‌)ର ଜାତୀୟ ସଭାପତି ପଙ୍କଜ ଅରୋରାଙ୍କ ମତରେ ୧୬ ହଜାର କୋଟି ଟଙ୍କାର ସୁନା ବିକ୍ରି ବର୍ତ୍ତମାନ ମୂଲ୍ୟରେ ପ୍ରାୟ ୧୦ ହଜାର କିଲୋଗ୍ରାମ ବା ୧୦ ଟନ ହେବ। ଦେଶରେ ୨ରୁ ୪ ଲକ୍ଷ ଗହଣା ବିକ୍ରେତା ଅଛନ୍ତି। ସେମାନଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦିଆଗଲେ ପ୍ରତ୍ୟେକଙ୍କ ହାରାହାରି ବିକ୍ରି ମାତ୍ର ୨୫ରୁ ୫୦ ଗ୍ରାମ ରହିବ। ଅର୍ଥାତ୍‌ ବିକ୍ରି ପରିମାଣରେ ବଡ଼ଧରଣର ହ୍ରାସ ଘଟିଛି ବୋଲି ସ୍ପଷ୍ଟ ଭାବେ କୁହାଯାଇ ପାରିବ। ସେହିଭଳି ୪ ହଜାର କୋଟି ଟଙ୍କାରେ ୧,୫୬,୮୦୦ କେଜି ବା ପ୍ରାୟ ୧୫୭ ଟନ୍ ସୁନା ବିକ୍ରି ହେବ। ଅର୍ଥାତ ସୋରୁମ୍ ପିଛା ହାରାହାରି ୪୦୦ରୁ ୮୦୦ ଗ୍ରାମ ରୁପା ବିକ୍ରି ହେବ।
ଏହି ସଂଖ୍ୟା ଦୁଇଟି ଜିନିଷ ଦର୍ଶାଉଛି। ଗୋଟିଏ ହେଲା ଦର ଉଚ୍ଚା ରହିଥିବା କାରଣରୁ ମୂଲ୍ୟ ହିସାବରେ ବିକ୍ରି ରାଶି ବୃଦ୍ଧି ପାଇଛି। କିନ୍ତୁ ପରିମାଣ ଦୃଷ୍ଟିରୁ ଏହା କମିଛି ବୋଲି ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ତେଣୁ ଚଳିତବର୍ଷ ହାଲକା ଗହଣା ଓ ଛୋଟ ମୂଲ୍ୟର କଏନ ଅଧିକ ବିକ୍ରି ହେବ ବୋଲି କୁହାଯାଉଛି। ଗତ କିଛିମାସ ହେଲା ସୁନା ଓ ରୁପା ଦରରେ ଦେଖାଦେଇଥିବା ଅସ୍ଥିରତା ପାଇଁ ସୋରୁମରେ ଗହଣା ରଖିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। କିନ୍ତୁ ଅକ୍ଷୟ ତୃତୀୟାରେ ଲୋକଙ୍କ ମନରେ କିଣାକିଣିର ଉତ୍ସାହ ଭଲ ରହିଛି। ଗ୍ରାହକମାନେ ଅଧିକ ସତର୍କ ଏବଂ ବାସ୍ତବବାଦୀ ଆଭିମୁଖ୍ୟ ରଖୁଛନ୍ତି। ପାରମ୍ପରିକ ବିଶ୍ବାସ ସହିତ ଆର୍ଥିକ ଶୃଙ୍ଖଳା ମଧ୍ୟରେ ସନ୍ତୁଳନ ରଖୁଛନ୍ତି ‌ବୋଲି ଶ୍ରୀ ଖଣ୍ଡେଲୱାଲ କହିଛନ୍ତି। କିଛି ଗ୍ରାହକ ଡିଜିଟାଲ ଗୋଲ୍ଡ, ସଭ‌ରେନ ଗୋଲ୍ଡ ବଣ୍ଡ୍ ଏବଂ ଗୋଲ୍ଡ ଇଟିଏଫ୍‌ କ୍ରୟକୁ ମଧ୍ୟ ପସନ୍ଦ କରୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ