Census: ଜନଗଣନା ୱେବସାଇଟ୍‌ରେ ତ୍ରୁଟି, ଅରୁଣାଚଳ ସହର ଚୀନ ନାଁରେ ନାମିତ

ନୂଆଦିଲ୍ଲୀ: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ୨୦୨୭ ଜନଗଣନା ପାଇଁ ସରକାରଙ୍କ ସ୍ୱ-ଗଣନା ପୋର୍ଟାଲରେ ଏକ ମ୍ୟାପିଂ ତ୍ରୁଟିକୁ ଚିହ୍ନଟ କରିଛନ୍ତି। ପୋର୍ଟାଲରେ ଅରୁଣାଚଳ ପ୍ରଦେଶର ପାସିଘାଟ ସହରକୁ ଭୁଲ ଭାବରେ ଚୀନର ସହର ‘ମେଡୋଗ୍’ ଭାବରେ ଦର୍ଶାଯାଇଥିଲା। ମେଡୋଗ୍‌ ପ୍ରକୃତରେ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟବର୍ତ୍ତୀ ଏକ ଚୀନ୍ ସହର। ‘ଏକ୍ସ’ ରେ ଥିବା ଏହି ଅବସରପ୍ରାପ୍ତ ଯବାନଙ୍କ ପୋଷ୍ଟକୁ ଅନେକ ଲୋକ ସେୟାର କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କେତେକ କହିଥିଲେ ଯେ, ଏପରି ତ୍ରୁଟି ଚୀନ୍‌କୁ ନିଜ ଭୂମି ହସ୍ତାନ୍ତର କରିବା ସହିତ ସମାନ।

ତେବେ ଅଭିଯୋଗ ଓ ଅନଲାଇନ୍‌ରେ ଏହି ଘଟଣା ଭାଇରାଲ ହେବା ପରେ ଜନଗଣନା କର୍ତ୍ତୃପକ୍ଷ କହିଛନ୍ତି, ତ୍ରୁଟି ଜଣାପଡ଼ିବା ପରେ ତୁରନ୍ତ ମ୍ୟାପ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ଅବଗତ କରାଯାଇଥିଲା ଓ ସେହିଦିନ ସମସ୍ୟାର ସମାଧାନ କରାଯାଇଥିଲା। ପୂର୍ବତନ ବାୟୁସେନା ପାଇଲଟ ତଥା ଲେଖକ ମହୋନ୍ତୋ ପାଙ୍ଗିଂ ପାଓ ଶନିବାର କହିଛନ୍ତି ଯେ, ସ୍ବଗଣନା ବେଳେ ମ୍ୟାପ୍‌ରେ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାର ପାସିଘାଟକୁ ମେଡୋଗ୍‌ ଭାବେ ମ୍ୟାପ୍‌ ଦେଖାଇଥିଲା।

ଭାରତ ସରକାର ସ୍ବଗଣନା ପରି ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଜନଗଣନାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲକରଣ କରୁଥିବା ସମୟରେ ଏହି ଘଟଣା ସାମ୍‌ନାକୁ ଆସିଛି। ଚୀନ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନକୁ ନିଜ ଅଞ୍ଚଳ ଭାବେ ଦାବି କରି ନାଁ ବଦଳାଉଥିବାବେଳେ ଭାରତ ପକ୍ଷରୁ ଏହି ତ୍ରୁଟିକୁ ଅଧିକ ଗୁରୁତର ଭାବେ ଗ୍ରହଣ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ