Nikki Haley’s: ସମୁଦ୍ର ମଝିରେ ଜାହାଜ ଜବତ କଲା ଆମେରିକା: ନିକ୍କି ହେଲିଙ୍କ ବିସ୍ଫୋରକ ଦାବି

ୱାଶିଂଟନ/ତେହେରାନ: ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀରେ ନୌସେନା ଅବରୋଧ ଜାରି ରହିଥିବା ବେଳେ ମଙ୍ଗଳବାର ରିପବ୍ଲିକାନ ନେତ୍ରୀ ନିକ୍କି ହେଲି ଏକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି କହିଛନ୍ତି, ଆମେରିକା ନୌସେନା ଦ୍ୱାରା ଜବତ କରାଯାଇଥିବା ପ୍ରଥମ ଜାହାଜଟି ଚୀନରୁ ଇରାନ ଅଭିମୁଖେ ଯାଉଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ରହିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଚୀନ କ୍ରମାଗତ ଭାବେ ଇରାନର ଶାସନ କଳକୁ ସାମରିକ ସହାୟତା ପ୍ରଦାନ କରୁଛି, ଯାହାକୁ ଏବେ ଆଉ ଅଣଦେଖା କରାଯାଇପାରିବ ନାହିଁ। ଜାହାଜଟିକୁ ଅଟକାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏହା ନମାନିବାରୁ ଶେଷରେ ଏହାକୁ ଜବତ କରାଯାଇଥିଲା।

ଅନ୍ୟପକ୍ଷରେ, ଇରାନ ଏହି ଘଟଣାକୁ ”ସଶସ୍ତ୍ର ଜଳଦସ୍ୟୁତା” ବୋଲି ଅଭିହିତ କରିବା ସହ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି। ଜବତ କରାଯାଇଥିବା ଜାହାଜ ”ଏମଭି ଟୁସ୍କା” ଚୀନ ଓ ଇରାନ ମଧ୍ୟରେ ନିୟମିତ ଯାତାୟାତ କରୁଥିବା ନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ପ୍ରକାଶ କରିଛି। ଏହି ବିବାଦ ଯୋଗୁଁ ଇସଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରୁ ଇରାନ ଓହରି ଯାଇଛି। ଇରାନର ସ୍ପଷ୍ଟ ଦାବି ଯେ, ଯେପର୍ଯ୍ୟନ୍ତ ନୌସେନା ଅବରୋଧ ହଟାଯାଇ ନାହିଁ, ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଜିଦରେ ଅଟଳ ରହି କହିଛନ୍ତି ଯେ, ଚୁକ୍ତି ସ୍ୱାକ୍ଷର ନହେବା ପର୍ଯ୍ୟନ୍ତ ଅବରୋଧ ଜାରି ରହିବ। ଏହି ସାମରିକ ଛକାପଞ୍ଝା ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ସମୟସୀମା ଆସନ୍ତା ଗୁରୁବାର ସକାଳେ ଶେଷ ହେବାକୁ ଯାଉଛି। କୌଣସି ସ୍ଥାୟୀ ଚୁକ୍ତିନାମା ନହେବା ଫଳରେ ପୁଣି ଥରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି। ଆମେରିକାର ପୂର୍ବତନ ନୌସେନା ଅଧିକାରୀ କାର୍ଲ ସ୍କଷ୍ଟରଙ୍କ ଅନୁଯାୟୀ, ଜବତ କରାଯାଇଥିବା ସାମଗ୍ରୀକୁ ”ଯୁଦ୍ଧର ସମ୍ପତ୍ତି” ଭାବେ ଗ୍ରହଣ କରାଯାଇପାରେ ଏବଂ ଜାହାଜରେ ଥିବା ଇରାନୀ ସଦସ୍ୟଙ୍କୁ ଯୁଦ୍ଧବନ୍ଦୀ ଭାବେ ଅଟକ ରଖାଯାଇପାରେ। ଟ୍ରମ୍ପ ଦାବି କରିଛନ୍ତି ଯେ ଚୀନ ପକ୍ଷରୁ ଇରାନକୁ ଅସ୍ତ୍ରଶସ୍ତ୍ର ନପଠାଇବା ପାଇଁ ସହମତି ପ୍ରକାଶ ପାଇଛି, କିନ୍ତୁ ବାସ୍ତବ ସ୍ଥିତି ଏବେ ବି ଜଟିଳ ହୋଇ ରହିଛି।

 

 

 

ସୌଜନ୍ୟ ସମ୍ବାଦ