Fire: ଅଗ୍ନଶମ ବାହିନୀର ବିଳମ୍ବ ହେତୁ ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ଭୀଷଣ ରୂପ ନେଲା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଏକ ବେଡ୍ ଆଣ୍ଡ୍ ବ୍ରେକ୍ଫାଷ୍ଟ (ବିଆଣ୍ଡ୍ବି) ଫ୍ଲୋରିସ୍ ଷ୍ଟେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୮ ଜଣ ବିଦେଶୀଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ ନିଆଁ ଲାଗିବାର ପ୍ରାୟ ୫୦-୬୦ ମିନିଟ୍ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିକଟସ୍ଥ ଅଗ୍ନିଶମ କେନ୍ଦ୍ର ମାତ୍ର ତିନି ମିନିଟ୍ ଦୂରରେ ଥିଲେ ମଧ୍ୟ ଏହା ପହଞ୍ଚିବା ବେଳକୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା, ଯାହା ଭିତରେ ଅନେକ ଲୋକ ଫସି ରହିଥିଲେ।
ଅନ୍ଲାଇନରେ ତେଜରାତି ସଉଦା ବା ଖାଦ୍ୟ ପଦାର୍ଥ ମଗାଇଲେ ତାହା ୧୦ ମିନିଟ୍ରେ ଘରେ ପହଞ୍ଚି ଯାଉଥିବା ବେଳେ ଜରୁରିକାଳୀନ ସେବା ପହଞ୍ଚିବାକୁ ପ୍ରାୟ ଏକ ଘଣ୍ଟା ଲାଗିବା ଏକ ବିଡ଼ମ୍ବନା ନୁହେଁ କି? ଯଦି ଅଗ୍ନଶମ ଦଳ ୧୦ ମିନିଟ୍ ଭିତରେ ପହଞ୍ଚିଥାନ୍ତେ, ଅନେକ କ୍ଷୟକ୍ଷତି ଓ ଜୀବନହାନିକୁ କମ୍ କରାଯାଇପାରିଥାନ୍ତା ବୋଲି ଜଣେ ସଚେତନ ନାଗରିକ ଏକ ଭାଇରାଲ ଭିଡିଓରେ ମତ ପ୍ରକାଶ କରିଛନ୍ତି।
ବୁଧବାର ଜନଗହଳିପୂର୍ଣ୍ଣ ପ୍ରେସ୍ ଏନକ୍ଲେଭ୍ ରୋଡ୍ ଅଞ୍ଚଳରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିବା ପରେ ପ୍ରଥମେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିଲେ, ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ସେ ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନ ଥିଲା। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ସରକାରଙ୍କ ଜରୁରିକାଳୀନ ସେବାକୁ ‘ଘଟିଆ ସେବା’ ବୋଲି କହୁଥିବାର ଶୁଣିବାକୁ ମିଳୁଛି।
ତେବେ ଦିଲ୍ଲୀ ସରକାର ଦାବି କରିଛନ୍ତି ଯେ, ସକାଳ ୮ଟା ୪୮ରେ ପୁଲିସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ମଧ୍ୟ କୌଣସି ବିଳମ୍ବ ଅଭିଯୋଗକୁ ଅସ୍ୱୀକାର କରିଛି। ସକାଳ ୮ଟା ୫୦ରେ ଆମକୁ ଏକ କଲ୍ ଆସିବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ୭ଟି ଗାଡ଼ି ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ବିଳମ୍ବ ହୋଇନଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ହେଉଛି ଅଗ୍ନିଶମ ବିଭାଗ ଓ ପୁଲିସ କାହିଁକି କଲ୍କୁ ଅପେକ୍ଷା କରିଥିଲେ? ସେମାନଙ୍କ ପଛପଟରେ ନିଆଁ ଲାଗିଥିଲା। ବିଶାଳ ଆକାରର ଅଗ୍ନିକାଣ୍ଡ ଘଟିଥିବା ବେଳେ ମାତ୍ର ତିନି ମିନିଟ୍ ଦୂରରେ ଥିବା ଅଗ୍ନିଶମ ସଂସ୍ଥା ଏକ ସ୍ଥାନରୁ ବାହାରୁଥିବା ଘନ କଳା ଧୂଆଁକୁ କେହି କିପରି ଲକ୍ଷ୍ୟ କରିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ସୌଜନ୍ୟ ସମ୍ବାଦ




