Accident: ବିବାହ ସମାରୋହକୁ ଯାଉଥିଲେ ଦମ୍ପତି; ଦୁର୍ଘଟଣାରେ ମୃତ୍ୟୁ

ଠାକୁରମୁଣ୍ଡା/ଆନନ୍ଦପୁର: ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ସ୍ୱାମୀ ଏବଂ ସ୍ତ୍ରୀ l ବାଟରେ ଜଗିଥିଲା ଯମ। ବିବାହ ସମାରୋହର ପହଞ୍ଚିଲା ପୂର୍ବରୁ ସାମ୍ନା କଲେ ଦୁର୍ଘଟଣା। ଏଥିରେ ଦମ୍ପତିଙ୍କର ପ୍ରାଣହାନୀ ଘଟିଛିl ମୃତ ଦମ୍ପତି ହେଲେ କର୍ମୁ ମହାନ୍ତ (୪୫) ଏବଂ ରେବତୀ ମହାନ୍ତ (୩୯)।

ଘଟଣାରୁ ପ୍ରକାଶ ଯେ, ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର କର୍ମୁ ମହାନ୍ତ ଏବଂ ତାଙ୍କର ସ୍ତ୍ରୀ ରେବତୀ ମହାନ୍ତ ଆଜି ଅପରାହ୍‌ଣ ଗୋଟାଏ ବେଳେ ବାଇକ୍‌ (OD 05H 0623) ଯୋଗେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଗ୍ରାମକୁ ସମ୍ପ୍ରକୀୟ ଭାଇ ଝିଅ ବାହାଘରକୁ ଯାଉଥିଲେl ସାତକୋଶିଆରୁ ଶାଳଚୁଆ ରାସ୍ତା ଦେଇ ଯାଉଥିବା ବେଳେ ଘାଟି ରାସ୍ତାର ଶେଷ ବାଙ୍କରେ ଗୋଟିଏ ଗଛକୁ ଧକ୍କା ଦେଇ ପଡ଼ି ଯାଇଥିଲେl ଘଟଣାସ୍ଥଳରେ କର୍ମୁ ମହାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ରେବତୀକୁ ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚିବା ପରେ ରେବତୀର ମୃତ୍ୟୁ ଘଟିଥିଲାl ଦୁର୍ଘଟଣା ପରେ ଘଟଣାସ୍ଥଳରେ କର୍ମୁର ମୃତ୍ୟୁ ହୋଇ ଯାଇଥିଲାl କର୍ମୁ ମହାନ୍ତଙ୍କ ୨ ଝିଅ କଲେଜ ପାଠ ପଢ଼ୁ ଥିବା ବେଳେ  ୧ ମାତ୍ର ପୁଅ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛି।  ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଥିବାରୁ ଗ୍ରାମରେ ତଥା ପରିବାରରେ ଶୋକର ଛାୟା ଖେଳି ଯାଇଛି l

ସୌଜନ୍ୟ ସମ୍ବାଦ