ନବରଙ୍ଗପୁର (ସୁରେଶ ନାଇଡୁ):ରାଜରାଜୁଡ଼ା ଅମଳରେ ଠାକୁରଙ୍କୁ ଯେଭଳି ନୀତିକାନ୍ତି ସହ ପୂଜା କରିବା ସହ ବିଭିନ୍ନ ପୂଜା ସମୟରେ ଭିନ୍ନଭିନ୍ନ ଭୋଗରାଗ ଲଗାଯାଉଥିଲା। ତେବେ ତାହା ଆଉ ଏବେ ଜାରି ରହିନି। ପରିସ୍ଥିତି ଏବେ ଏମିତି ହୋଇଛି ଯେ ଶେଷରେ ଦେବୋତ୍ତର ଅଧୀନରେ ଥିବା ସବୁ ମନ୍ଦିର ଯଥା ଅଧିଷ୍ଠାତ୍ରୀଦେବୀ ମା’ ଭଣ୍ଡାରଘରଣୀ, ଜଗନ୍ନାଥ, ମାଁ ଲକ୍ଷ୍ମୀ, ନିଳକଣ୍ଠେଶ୍ବର, ହନୁମାନ, ମାଁ ବୁଢ଼ିଠାକୁରାଣୀ, ଚୈତନ୍ୟ ମନ୍ଦିର, ମାଉଁଳି ମାଁ, ଚାଉଁରିଆ ଭୈରବ, ଗୁଣ୍ଡିଚା ମନ୍ଦିରର ରାମ ଓ ରାଧାକୃଣ୍ଣଙ୍କ ସହ ପାପାଡାହାଣ୍ଡିର ନୀଳକଣ୍ଠେଶ୍ବର ସବୁ ଦେବାଦେବୀମାନେ ବି ଏହି ଟଙ୍କା ଖିଆ ଚାଉଲ ଖାଇବାକୁ ବାଧ୍ୟ ହୋଇଛନ୍ତି। ଅପରପକ୍ଷରେ ବର୍ଷ ବର୍ଷ ଧରି ପୂଜକ, ସେବାୟତ, ମାଳି ଆଦିଙ୍କ ଦରମା ଓ ଭୋଗରାଗର ଟଙ୍କା ବି ମିଳିନଥିବା କହିଛନ୍ତି ପୂଜକ।
ମିଳିଥିବା ସୂଚନା ମୁତାବକ ମାସର ଭୋଗ ପାଇଁ ୨୫୦ଟଙ୍କା ଦିଆଯାଉଛି। ଦିନକୁ ୮ଟଙ୍କା ୩୩ ପଇସା ମଧ୍ୟରେ ଚାଉଲ, ତରକାରୀ, ଡାଲି, ଜାଲେଣୀ ଆଦି କରିବାର ରହିଛନ୍ତି। ତେବେ ଏହି ୮ଟଙ୍କା ୩୩ ପଇସା ଟଙ୍କା ମଧ୍ୟରେ ଏସବୁ ଆସି ପାରିବ କି ବୋଲି ଜଗନ୍ନାଥ ମନ୍ଦିରର ପୂଜକ ଦେବ ବ୍ରହ୍ମା ପ୍ରଶ୍ନ କରିଛନ୍ତି। ଜଗନ୍ନାଥ ମନ୍ଦିରରେ ୫ଟି ଲେଖାଏଁ ୨ ଓଳିରେ ୧୦ଟି ଭୋଗ କରାଯାଉଛି ବୋଲି ପୂଜକ କହିଛନ୍ତି। ତେବେ ପୂର୍ବ ନିର୍ଦ୍ଦାରିତ ଅନୁଯାୟୀ ୪ପଡି ପାଇଁ ହିଁ ଦେବତ୍ତୋର ବିଭାଗ ପକ୍ଷରୁ ୮ଟଙ୍କା ଲେଖାଏଁ ପ୍ରସାଦ ପାଇଁ ପଇସା ଦିଆଯାଉଛି।
ସେଭଳି ପୂଜକଙ୍କ ମଧ୍ୟରେ କିଛି ପୂଜକଙ୍କୁ ଦିନକୁ ୩ଟଙ୍କାର ୮ଟଙ୍କା ଯାଉଁ ରହିଛି। ସେହି ଅନୁଯାୟୀ ସ୍ବାର, ଗୌଡ, ପାଇକ ଓ ଚଇକଙ୍କୁ ୧୦୦ରୁ ୧୫୦ଟଙ୍କା ମାସିକ ଦରମା ରହିଛି। ଏହି ମହରଗ ଯୁଗରେ ମାସକୁ ଏହି ସ୍ବଳ୍ପ ବେତନରେ ନିଜର ପରିବାରକୁ ନେଇଏମାନେ କିଭଳି ଚଳୁଛନ୍ତି ତାହା ସହଜେ ଅନୁମେୟ। କିଛି ମନ୍ଦିରକୁ ଶ୍ରଦ୍ଦାଳୁ ଭକ୍ତ ମାନେ ବହୁତ କମ୍ ସଂଖ୍ୟାରେ ଯାଉଥିବା ବେଳେ, ସବୁ ଭକ୍ତ ଯେ ଦାନ କରିବେ ତାହା ନାହିଁ।
ସୌଜନ୍ୟ ସମ୍ବାଦ

