Government jobs: ‘ସରକାରୀ ଚାକିରି ଜୀବିକା ନୁହେଁ, ଜନସେବା’: ୭ ବିଭାଗରେ ୪୬୨୩ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ୧୫ତମ ନିଯୁକ୍ତି ମେଳାରେ ଆଜି ୭ଟି ବିଭାଗରେ ୪ ହଜାର ୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୧୩ ଜଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ ଜଣ, ଖଣି ବିଭାଗରେ ୭୭ ଜଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗରେ ୭୦ ଜଣ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ ଜଣ ଓ ଦକ୍ଷତା ବିକାଶ ବିଭାଗରେ ୧୪ ଜଣ ନିଯୁକ୍ତିପତ୍ର ପାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ଚାକିରି କେବଳ ଏକ ଜୀବିକା ନୁହେଁ, ଜନସାଧାରଣଙ୍କ ସେବା କରିବାର ଏକ ଅନନ୍ୟ ସୁଯୋଗ।

ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ସରକାରୀ ଅଧିକାରୀ ଏବଂ କର୍ମଚାରୀ ହେଉଛନ୍ତି ସରକାରଙ୍କ ପ୍ରକୃତ ଚେହେରା। ସମସ୍ତଙ୍କର ଲକ୍ଷ୍ୟ ହେଉଛି ଅନ୍ତିମ ଶ୍ରେଣୀରେ ଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ପହଞ୍ଚାଇବା। ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରିରେ ୪୪ ହଜାର ୮୨ ଓ ବେସରକାରୀ କ୍ଷେତ୍ରରେ ୯୨ ହଜାର ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି। ନବନିଯୁକ୍ତମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପୂର୍ଣ୍ଣ ଦକ୍ଷତା, କର୍ତ୍ତବ୍ୟବୋଧ, ସମର୍ପଣ ଓ ସ୍ୱଚ୍ଛତାର ସହିତ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶା। ସମ୍ମାନିତ ଅତିଥି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ମିଳୁଛି।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଏହି ନିଯୁକ୍ତି କେବଳ ଏକ ପଦବି ନୁହେଁ, ଜନସେବା ପାଇଁ ଦାୟିତ୍ୱ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଲେ, ଏହି ନିଯୁକ୍ତି ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ସେବା କରିବାର ଦାୟିତ୍ୱ। ବିଦ୍ୟାଳୟ ଓ ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ କହିଲେ, ରାଜ୍ୟରେ କ୍ରମାଗତ ଭାବରେ ନିଯୁକ୍ତି ମେଳା ଆୟୋଜନ ହୋଇଚାଲିଛି। ଏହି ନିଯୁକ୍ତି ସରକାରଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରୁଛି। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାଏକ ସ୍ୱାଗତ ଭାଷଣ ଓ ଏମ୍‌ଏସ୍‌ଏମ୍‌ଇ ସଚିବ ରଶ୍ମିତା ପଣ୍ଡା ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ