ଭୁବନେଶ୍ବର: ଆଗୁଆ ହୋଇପାରେ ଗ୍ରୀଷ୍ମ ଛୁଟି। ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ନଜରରେ ରଖି ସରକାର ପ୍ରସ୍ତୁତ ହେଉଛନ୍ତି। ୧୮ଟି ଜିଲ୍ଲାରେ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ିଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ତଥାପି ସ୍ଥିତିରେ ସୁଧାର ନ ଆସିବାରୁ ଗଞ୍ଜାମ, ଝାରସୁଗୁଡ଼ା, ରାୟଗଡ଼ାରେ ୨୪ ଓ ୨୫ ତାରିଖ ପାଇଁ ଛୁଟି ଘୋଷଣା ହୋଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି ସକାଳ ସାଢ଼େ ୬ଟାରୁ ପୂର୍ବାହ୍ଣ ସାଢ଼େ ୯ଟା ପର୍ଯ୍ୟନ୍ତ ଖୋଲିବ ବୋଲି କହିଛନ୍ତି। କଟକ ଜିଲ୍ଲାରେ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମୀକ୍ଷା କରିଛନ୍ତି। ପରେ ରାଜସ୍ବ ମନ୍ତ୍ରୀ କହିଥିଲେ, ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏସ୍ଆରସିଙ୍କୁ ଅବଗତ କରାଯାଇଛି। ଦୁଇ ଦିନ ମଧ୍ୟରେ ଆଗୁଆ ଗ୍ରୀଷ୍ମ ଛୁଟି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଗ୍ରୀଷ୍ମପ୍ରବାହ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ପିଲାମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯିବ।
ସୌଜନ୍ୟ ସମ୍ବାଦ

