ଦଶରଥପୁର: କୁଆଖିଆ-ମଙ୍ଗଳପୁର ୨୦ ନମ୍ବର ଜାତୀୟ ରାଜପଥରେ ନିମ୍ନମାନର କାର୍ଯ୍ୟକୁ ନେଇ ତନାଘନା ଆରମ୍ଭ ହୋଇଛି। ‘ସମ୍ବାଦ’ରେ ୧୪୨ କୋଟି ଟଙ୍କାର ରାଜପଥ ୪୨ ଦିନ ଗଲାନି ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଜନୈକ ବ୍ୟକ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ପିଏମ୍ଓ ଓ ସିଏମ୍ଓଙ୍କୁ ଟୁଇଟ୍ କରିଥିଲେ। ଗତକାଲି ପିଏମ୍ଓ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ସହିତ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ନେଇ ସମୀକ୍ଷା କରାଯାଇଛି। ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ରାସ୍ତା ନିର୍ମାଣ କରୁଥିବା ଶିବମ କନ୍ଡେଭ୍କୁ କଳାତାଲିକାଭୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି କହିଛନ୍ତି। ଦୀର୍ଘଦିନର ଦାବି ପରେ ଏବେ ରାଜପଥ ସଂପ୍ରସାରଣ କରାଯାଉଛି। ମାତ୍ର ନିମ୍ନମାନର କାର୍ଯ୍ୟ ପାଇଁ ପିଚୁ ଉଠିଯାଇଥିବା ଅଭିଯୋଗ ହୋଇଛି। ଏବେ ସେହି ପିଚୁ ଉପରେ କଂକ୍ରିଟ୍ ପକାଯାଇଛି।
ପିଏମ୍ଓ ବିରକ୍ତ, ନିର୍ମାଣକାରୀ ସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ଦାବି
ନୂତନ ଭାବେ ସମ୍ପ୍ରସାରଣ ହେଉଥିବା ଏହି ଜାତୀୟ ରାଜପଥ ଦବିଯାଇଛି। ଫଳରେ ସେହି ସ୍ଥାନରେ ନିର୍ମାଣାଧୀନ ପିଚୁକୁ ଉଠାଇ କଂକ୍ରିଟ୍ ଢଳାଇ ପକାଯାଇଛି। ଦଶରଥପୁର ବ୍ଲକ୍ ଇଜାପୁର ଗ୍ରାମର ନିକଟରେ ଏଭଳି ନିମ୍ନମାନର କାମ ସାମନାକୁ ଆସିବା ପରେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୁଆଖିଆରୁ ଭଦ୍ରକର ଧାମରା ଭାୟା ଯାଜପୁରଟାଉନ-ମଂଗଳପୁର, କୟାଁଗୋଲା ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ନିର୍ମାଣାଧୀନ ରହିଛି। ଏହାର ନିର୍ମାଣ କାର୍ଯ୍ୟ ଶିବମ କନ୍ଡେଭ୍ ନାମକ ସଂସ୍ଥା ତଥା ଜଗତସିଂହପୁର ଜିଲ୍ଲାର ରଘୁନାଥ ପରିଡ଼ା ପାଇବା ପରେ ଏହାକୁ ଏଆର୍ଏସ୍ଏସ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରକଳ୍ପଟି ୨୦୨୨ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୩୫ କିଲୋମିଟର ରାସ୍ତା ପାଇଁ ଅଟକଳ ମୂଲ୍ୟ ୩୪୧ କୋଟି ୭୩ ଲକ୍ଷ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦଶରଥପୁର ବ୍ଲକ୍ ଛକଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ବର୍ତ୍ତମାନ କାର୍ଯ୍ୟ ଚାଲିଛି।
ଗତ ୨ମାସ ହେଲା ରାମବାଗଠାରୁ ବଉଳାଙ୍ଗ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ଉପରୁ ଏକାଧିକ ସ୍ଥାନରେ ପିଚୁ ଉଠିଗଲାଣି। ଝୁମ୍ପୁରି ବଜାରଠାରୁ ଦଶରଥପୁର ବ୍ଲକ୍ ପର୍ଯ୍ୟନ୍ତ ରାସ୍ତା ମଝିରେ ୧୫ଟି ବିଦ୍ୟୁତ୍ ଖୁଣ୍ଟ ରହିଛି। ଅଭିଯୋଗକୁ ଦୁଇମାସ ବିତିଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ। ଏଭଳି ଦାୟିତ୍ୱହୀନତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବର୍ଷକ ମଧ୍ୟରେ ୪ଜଣଙ୍କ ଜୀବନହାନି ଘଟିଛି। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ନାରାୟଣ ପଟେଲଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ନଜରରେ ରହିଛି ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ

