Gas supply: ସ୍ବାଭାବିକ ହୋଇପାରୁନି ଗ୍ୟାସ୍‌ ଯୋଗାଣ: ବଦଳିଯାଉଛି ଗ୍ୟାସ୍‌ ସିଲିଣ୍ଡର ଡେଲିଭରି ତାରିଖ

ଭୁବନେଶ୍ବର: ରାଜ୍ୟରେ ଗ୍ୟାସ୍‌ ସିଲିଣ୍ଡର ସଙ୍କଟ ଥମୁ ନାହିଁ। ଖାଉଟିମାନଙ୍କୁ ବିଚଳିତ ନ ହେବା ଲାଗି ସରକାର କହୁଥିଲେ ହେଁ ପ୍ରକୃତରେ ଏ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳ ସ୍ବାଭାବିକ ହୋଇପାରିନି। ବଜାରରେ ଗ୍ୟାସ୍‌ର ଅଭାବ ଥିବା ବେଳେ କଳାବଜାରରୁ ଶହ ଶହ ସିଲିଣ୍ଡର ଜବତ ହେଉଛି। ଏଭଳି ପରିସ୍ଥିତିରେ ବ୍ୟାବସାୟିକ ଗ୍ୟାସ୍‌ ସିଲିଣ୍ଡର କଥା ନ କହିଲେ ଭଲ। ତେଣୁ ଘରୋଇ କମ୍ପାନି ବଦଳରେ ରାଜ୍ୟ ସରକାର ଗ୍ୟାସ୍‌ ସିଲିଣ୍ଡର ବିତରଣ ବ୍ୟବସ୍ଥାକୁ ନିଜ ହାତକୁ ନେବା ପାଇଁ ସାଧାରଣରେ ଦାବି ହେଉଛି।

ଯୁଦ୍ଧ ପାଇଁ ପ୍ରାୟ ୨ମାସ ହେବ ଗ୍ୟାସ୍‌ ସଂକଟ ଲାଗି ରହିଛି। ଖାଉଟିମାନେ ଗ୍ୟାସ୍‌ ପାଇଁ ବୁକିଂ କଲେ ମଧ୍ୟ ସିଲିଣ୍ଡର ପାଉନାହାନ୍ତି। ବହୁ ଲୋକଙ୍କ ସିଲିଣ୍ଡର ଡେଲିଭରି ହୋଇଯାଇଥିବା ମେସେଜ୍‌ ଆସୁଛି, ହେଲେ ଘରେ ଗ୍ୟାସ୍‌ ପହଞ୍ଚୁନାହିଁ। ଏଜେନ୍‌ସି ବାହାରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଗ୍ୟାସ୍‌ ସିଲିଣ୍ଡରକୁ ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି କରାଯାଉଛି। ଗ୍ୟାସ୍‌ ସଂକଟ ଭିତରେ ନୂଆ ନୂଆ ଢଙ୍ଗରେ ଏବେ କଳାବଜାର ଆରମ୍ଭ ହୋଇଛି। କେନ୍ଦ୍ର ସରକାର ସହରାଞ୍ଚଳରେ ୨୫ଦିନ ଓ ଗ୍ରାମାଞ୍ଚଳରେ ୩୫ଦିନ ପରେ ଗ୍ୟାସ୍‌ ବୁକିଂ କରିବା ପାଇଁ କଟକଣା ଜାରି କରିଛନ୍ତି। ହେଲେ ଡେଲିଭରି ତାରିଖ ମନଇଚ୍ଛା ଘୁଞ୍ଚି ଚାଲିଥିବାରୁ ପରବର୍ତ୍ତୀ ବୁକିଂ ତାରିଖ ମଧ୍ୟ ସେହି ଅନୁଯାୟୀ ବଢ଼ିଯାଉଛି। ଯେଉଁ ଉପଭୋକ୍ତାମାନେ ଏଜେନ୍‌ସିଠାରୁ ସିଧାସଳଖ ଗ୍ୟାସ୍‌ ଆଣୁଛନ୍ତି, ସେମାନଙ୍କ ଡେଲିଭରି ତାରିଖ ଏପଟସେପଟ ହୋଇଯାଉଛି। ଏଭଳି ଢଙ୍ଗରେ ବୁକିଂ ସମୟ ଲମ୍ବି ଚାଲିଥିବା ବେଳେ ଗୋଟିଏ ପରିବାର କିଭଳି ଢଙ୍ଗରେ ଗ୍ୟାସ୍‌ ସିଲିଣ୍ଡରକୁ ବ୍ୟବହାର କରିବ ?

ବଦଳିଯାଉଛି ଗ୍ୟାସ୍‌ ସିଲିଣ୍ଡର ଡେଲିଭରି ତାରିଖ
ଚଢ଼ଉ ସତ୍ତ୍ବେ ଥମୁନି କଳାବଜାର; ଜବତ ହେଲାଣି ୬ହଜାର ସିଲିଣ୍ଡର
ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର କଥା ଭୁଲିଗଲେଣି

ସେହିପରି ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି। ହୋଟେଲମାନଙ୍କୁ ୫୦% ପର୍ଯ୍ୟନ୍ତ ସିଲିଣ୍ଡର କୋଟା ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ଆରମ୍ଭ କରିଥିବା ଘୋଷଣା କରିଥିଲେ। ହେଲେ ଏବେ ବି ବ୍ୟବସାୟିକ ଗ୍ୟାସ୍‌ ଯୋଗାଣ ୨୦% ଭିତରେ ରହିଛି। ଫଳରେ ବିବାହ, ବ୍ରତଘର ଉପରେ ନିର୍ଭର କରୁଥିବା କ୍ୟାଟେରିଂ ଶିଳ୍ପ ପ୍ରଭାବିତ ହୋଇଛି। ରାଜ୍ୟରେ ୨ଶହରୁ ଅଧିକ ପଞ୍ଜୀକୃତ କ୍ୟାଟେରିଂ ସଂସ୍ଥା ଥିବା ବେଳେ ଏଥିରେ କାମ କରୁଥିବା ଅନେକ କର୍ମଚାରୀ ନିଜର ଜୀବିକା ହରାଇଥିଲେ। କେବଳ ସେତିକି ନୁହେଁ, ଗ୍ୟାସ୍‌ ସଂକଟର ସୁ‌ଯୋଗ ନେଇ ହୋଟେଲ ଓ ରେସ୍ତୋରାଁମାନେ ଖାଦ୍ୟ ଦର ଉପରେ ୧୦-୨୦ ଟଙ୍କା ଅତିରିକ୍ତ ଚାର୍ଜ କରୁଛନ୍ତି। ଏହା ଉପରେ ସରକାରଙ୍କ କୌଣସି ପ୍ରକାର ନିୟନ୍ତ୍ରଣ ନାହିଁ।

ଅପରପକ୍ଷରେ ରାଜ୍ୟରେ ଗ୍ୟାସ୍‌ କଳାବଜାର  ଉପରେ ଚଢ଼ଉ କେବଳ ଧର୍ମକୁ ଆଖିଠାର ଭଳି ହୋଇଛି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁଦ୍ଧା ରାଜ୍ୟର ୯୪୮ ଡିଷ୍ଟ୍ରିବ୍ୟୁଟର ଓ ୧୯୨୧ ଅନ୍ୟ ସ୍ଥାନକୁ ମିଶାଇ ମୋଟ ୨୮୬୯ ସ୍ଥାନରେ ଚଢ଼ାଉ ହୋଇଛି। ଏଥିରେ ୬୩୮୦ ଗ୍ୟାସ୍‌ ସିଲିଣ୍ଡର ଜବତ ହେଉଛି। ବାଲେଶ୍ବରରେ ସର୍ବାଧିକ ୧୧୮୭, ଜଗତସିଂହପୁରରେ ୯୧୩, ଖୋର୍ଦ୍ଧା ୫୮୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୪୩ ସିଲିଣ୍ଡର ଜବତ କରାଯାଇଛି। ୪୦୨ଟି ମାମଲା ପଞ୍ଜୀକୃତ ହୋଇଛି ଓ ୫ଜଣ ଗିରଫ ହୋଇଛନ୍ତି। ଗୋଟିଏ ପଟେ ଲୋକମାନେ ଠିକ୍‌ଭାବେ ଗ୍ୟାସ୍‌ ସିଲିଣ୍ଡର ପାଉ ନ ଥିବା ବେଳେ କଳାବଜାରରେ ଏତେସଂଖ୍ୟକ ସିଲିଣ୍ଡର ଆସୁଛି କେଉଁଠୁ ?

ଯୋଗାଣ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀଧର ନାୟକ କହିଛନ୍ତି, ଯେଉଁଠାରେ ଗ୍ୟାସ୍‌ ସମସ୍ୟା ନଜରକୁ ଆସୁଛି ଯୋଗାଣ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଡେଲିଭରି ବୁକିଂ ଅବଧି ମନଇଚ୍ଛା ବଢ଼ାଯାଉଥିବା ଅଭିଯୋଗ ସରକାରଙ୍କ ନିକଟକୁ ଆସିନାହିଁ। ବ୍ୟବସାୟିକ ସିଲିଣ୍ଡର ସରକାରଙ୍କ ନିୟମ ଅନୁଯାୟୀ ଦିଆଯାଉଛି। ଗ୍ରାହକଙ୍କୁ ଅଧିକ ଦର ଚାର୍ଜ କରି ହୋଟେଲ ବ୍ୟବସାୟୀମାନେ ମନମାନି ଚଳାଇଛନ୍ତି।

ସୌଜନ୍ୟ ସମ୍ବାଦ