Japan: ଶିଳ୍ପ କ୍ଷେତ୍ରରେ ପୁଞ୍ଜି ଖଟାଇବ ଜାପାନ: ୧୫୦୦୦ କୋଟି ନିବେଶ କରିବ

ସମ୍ବଲପୁର/ଭୁବନେଶ୍ବର: ଜାପାନର ଇସ୍ପାତ କମ୍ପାନି ଜେଏଫ୍‌ଇ ଷ୍ଟିଲ୍‌ କର୍ପୋରେସନ୍‌ ଓଡ଼ିଶାରେ ୧୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଛି। ଏହା ହେଉଛି ଓଡ଼ିଶାରେ ଜାପାନର ସର୍ବବୃହତ୍‌ ନିବେଶ। ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ସହ‌ଯୋଗିତାରେ ଜେଏଫ୍‌ଇ ଷ୍ଟିଲ୍‌ ସମ୍ବଲପୁରରେ ଏହି ନିବେଶ କରିବ। ସମ୍ବଲପୁରଜିଲ୍ଲା ଠେଲକୋଲୋଇସ୍ଥିତ ଜେଏସ୍‌ଡବ୍ଲୁ କାରଖାନାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ କମ୍ପାନି ମଧ୍ୟରେ ଗଠନ ହୋଇଥିବା ୫୦:୫୦ ଯୌଥ ଉଦ୍ୟୋଗ (ଜେଭି)କୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ହେଉଛି ଓଡ଼ିଶା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଓ ଭାରତର ଶିଳ୍ପ ଭବିଷ୍ୟତ ପାଇଁ ଏକ ନିର୍ଣ୍ଣାୟକ ଅଧ୍ୟାୟ। ଏହା ହେଉଛି ଓଡ଼ିଶାରେ ଜାପାନର ପ୍ରଥମ ଓ ସର୍ବବୃହତ୍‌ ନିବେଶ। ଜାପାନୀ ପ୍ରଯୁକ୍ତି ଓ ବିଶ୍ବସ୍ତରୀୟ ପରିଚାଳନା ଦକ୍ଷତା ଜରିଆରେ ଏହି ପ୍ରକଳ୍ପ ଉଚ୍ଚ ମାନର ଓ ସ୍ପେସାଲିଟି ଷ୍ଟିଲ୍‌ ଉତ୍ପାଦନରେ ଓଡ଼ିଶାର ଦକ୍ଷତାରେ ଉନ୍ନତି ଆଣିବ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହା ଦ୍ବାରା ଯୁବବର୍ଗ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ବାରା ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଏକ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ ହେବ। ପୂର୍ବ ସରକାର ଭଳି ଏଠାରେ କେବଳ ଖଣିଭିତ୍ତିିକ ଶିଳ୍ପ ନୁ‌ହେଁ, ବରଂ ଫାର୍ମା ଭଳି ୧୬ଟି କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି ହେବ। ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧରେ ମଧ୍ୟ ଶିଳ୍ପ ପାଇଁ ପ୍ରାଧାନ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜେଏଫ୍‌ଇ ଷ୍ଟିଲ୍‌-ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ‌ଯୌଥ ଉଦ୍ୟୋଗ ସ୍ଥାପନ

ଏହି ଅବସର‌ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଜେଏସ୍‌ଡବ୍ଲୁ ଏବଂ ଜେଏଫ୍‌ଇର ମିଳନ କେବଳ ଏକ ବ୍ୟାବସାୟିକ ଚୁକ୍ତି ନୁହେଁ, ବରଂ ଏହା ଜାପାନ ଏବଂ ଭାରତର ଶିଳ୍ପଦକ୍ଷତା ସହିତ ଉତ୍ତରଦାୟୀ ବିକାଶର ଏକ ସମନ୍ୱୟ। ଏହା ସହିତ ଏହି ପ୍ରକଳ୍ପ ‘ଗ୍ରିନ୍ ଷ୍ଟିଲ୍’ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଉଦାହରଣ ସୃଷ୍ଟି କରିବ। ୧୯୫୨ ମସିହାରୁ ଭାରତ ଏବଂ ଜାପାନ ମଧ୍ୟରେ ରହିଥିବା ଦୃଢ଼ କୂଟନୈତିକ ସମ୍ପର୍କ ଆଗାମୀ ୨୦୨୭ ମସିହାରେ ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ନିବେଶ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବ। ଏହି ରାଜିନାମା ଅଧୀନରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସମ୍ବଲପୁର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ନିୟୁତ ଟନ୍‌ରୁ ୧୦ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପରେ ୩୦ ହଜାର କୋଟି ଟଙ୍କା ନିବେଶ ହେବ।

ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି, ଏହି ଚୁକ୍ତିନାମା ଯୌଥ ଉଦ୍ୟୋଗଠାରୁ ଅଧିକ ଅଟେ। ଏହି ଅବସରରେ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ, କୋଲକାତାସ୍ଥିତ ଜାପାନ ବାଣିଜ୍ୟ ଦୂତାବାସର ୟୋସିହିସା ଇସିକାୱା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁ଼ଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ମୁଖ୍ୟ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଜେଏଫ୍‌ଇ ଷ୍ଟିଲ୍ କର୍ପୋରେସନ୍‌ର ସିଇଓ ୟୋଶିହିସା କିତାନୋ ଉପସ୍ଥିତ ଥି‌ଲେ।

ସୌଜନ୍ୟ ସମ୍ବାଦ