ଆରମ୍ଭ ହୋଇଗଲା ଖରାଛୁଟି: ଜୁନ୍‌ ୧୭ରେ ଖୋଲିବ ସ୍କୁଲ, ‘ସମର ଲର୍ଣ୍ଣିଂ’ରେ ଘରେ ଥାଇ ପଢ଼ିବେ ପିଲା

ଭୁବନେଶ୍ୱର: ପ୍ରବଳ ତାତି। ଘରୁ ବାହାରିବା ମୁସ୍କିଲ, ପିଲା ସ୍କୁଲ ଆସି ପାଠ ପଢ଼ିବେ ବା କେମିତି? ସେଥିପାଇଁ ସୋମବାରଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖରା ଛୁଟି ଆରମ୍ଭ ହୋଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୭ ତାରିଖ ଯାଏ ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଛୁଟି ସମୟରେ ପିଲାଙ୍କର ପାଠପଢ଼ା ଯେପରି କ୍ଷତି ନହୁଏ ସେଥିଲାଗି ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ତଥା ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାର୍ଯ୍ୟ ପୂର୍ବପରି ଜାରି ରହିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ମେ’୬ରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମକାଳୀନ ଛୁଟି ରହିଛି ।

ସୌଜନ୍ୟ Prameya News7