ପାଣିପାଗରାଜ୍ୟ

Heat wave: ରାଜ୍ୟରେ ତାତିର ଜ୍ବାଳା ଜାରି: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତିର ଜ୍ବାଳା ଥମିବାର ନାଁ ନେଉନି। ଝାରସୁଗୁଡ଼ାରେ ଆଜି ପୁଣି ୪୪.୭ ଡିଗ୍ରି ସହ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ବରଗଡ଼ରେ ୪୩.୯ ଡିଗ୍ରି, ବୌଦ୍ଧରେ ୪୩.୫ ଡିଗ୍ରି, ବଲାଙ୍ଗୀରରେ ୪୩.୩ ଡିଗ୍ରି, ସମ୍ବଲପୁର, ନୂଆପଡ଼ାରେ ୪୩.୨ ଡିଗ୍ରି, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼ ଓ ରାଉରକେଲାରେ ୪୩ ଡିଗ୍ରି ଲେଖାଏଁ ତାପମାତ୍ରା ରହିଛି। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଆସନ୍ତାକାଲି ମଧ୍ୟ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଟ୍‌ୱେଭ୍‌ ଜାରିରହିବ। ବିଶେଷ କରି ବଲାଙ୍ଗୀରକଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ଏଥିସହ ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ‌ସୋନପୁର ଜିଲ୍ଲାରେ ରାତି ବି ଗରମ ରହିବ। ତାପମାତ୍ରା ଅଧିକ ଯୋଗୁଁ ଶରୀର ଥଣ୍ଡା ହେବ ନାହିଁ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ କିନ୍ତୁ ଉପକୂଳ ଓଡ଼ିଶାର ତାତି କମିଛି। କଟକର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ଥିଲା ୩୬.୫ ଡିଗ୍ରି। ଗୋପାଳପୁରରେ ୩୧.୪ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି, ବାଲେଶ୍ବରର ୩୮.୩ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ତେବେ ତାପମାତ୍ରା କମ୍‌ ରହିଥିଲେ ବି ଉପକୂଳରେ ଆର୍ଦ୍ରତା ଅଧିକ ‌ଯୋଗୁଁ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି। ଆସନ୍ତାକାଲି ମଧ୍ୟ ବାଲେଶ୍ବର, ଭଦ୍ରକଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହୁର, ପୁରୀ ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ସହ ଅଧିକ ଗୁଳୁଗୁଳି ଅନୁଭୂତ ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକ‌ରେ ଏହିଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପଟେ ରାଜ୍ୟର କିଛି କିଛି ଅଞ୍ଚଳରେ କାଳ‌ବୈଶାଖୀ ସମ୍ଭାବନା ବି ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଏହା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ଣ ଆଡ଼କୁ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିପାରେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button