ଯାଜପୁର: ନିର୍ମାଣ ହୋଇଛି ମାଳମାଳ ପ୍ରକଳ୍ପ। ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଅନୁଦାନ। ଯାଜପୁର ଜିଲ୍ଲାରେ ଏହି ପାଣ୍ଠିରୁ ଏପର୍ଯ୍ୟନ୍ତ ୧,୬୯୩କୋଟି ଟଙ୍କା ବ୍ୟୟ କରାଯାଇଛି। ଦୂରଦୃଷ୍ଟି ଅଭାବରୁ ବହୁ ପ୍ରକଳ୍ପ ପରିଚାଳନା ଅଭାବରୁ ଖତ ହୋଇଗଲାଣି। ଡିଏମ୍ଏଫ୍ରୁ ବିପୁଳ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ଏଥିରେ କିଏ ଉପକୃତ ହୋଇଛନ୍ତି, କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହାର ଉତ୍ତର ପ୍ରଶାସନ ପାଖରେ ନାହିଁ। ତଥ୍ୟ ଅନୁଯାୟୀ ଜିଲ୍ଲାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୨,୯୮୫.୨୫ ଟଙ୍କା ଆଦାୟ ହୋଇଛି। ଏଥିରୁ ୧,୬୯୩.୨୦ କୋଟି ଟଙ୍କା ବିନିଯୋଗ ହୋଇସାରିଛି। ୧,୦୯୫.୬୦ କୋଟି ଟଙ୍କା ଗଚ୍ଛିତ ଥିବାବେଳେ ଆଗାମୀ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପରେ ୧୦୮୪.୧୩ କୋଟି ଟଙ୍କା ବ୍ୟୟ ନିମନ୍ତେ ଅଟକଳ କରାଯାଇଛି।
କାମରେ ଆସୁନି ମାଳମାଳ ପ୍ରକଳ୍ପ
ଖର୍ଚ୍ଚ ୧,୬୯୩ କୋଟି, ଗଚ୍ଛିତ ଅଛି ୧୦୯୫.୬୦ କୋଟି
ସାଧାରଣତଃ ଡିଏମ୍ଏଫ୍ ପାଣ୍ଠିରେ ଖଣି ଓ ଶିଳ୍ପ ପ୍ରଭାବିତ ଅଞ୍ଚଳର ମୌଳିକ ସମସ୍ୟା ଦୂରୀକରଣ ଉପରେ କାମ କରାଯିବାର ପ୍ରାବଧାନ ରହିଛି। ମାତ୍ର ଡିଏମ୍ଏଫ୍ ଆଦାୟର ମୁଖ୍ୟ ଉତ୍ସ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ରେ ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା ଓ ପ୍ରଦୂଷଣ ସମସ୍ୟା ଉଦ୍ବେଗଜନକ। ସ୍ବଚ୍ଛ ପିଇବା ପାଣି ଅଭାବରୁ ଏହି ଅଞ୍ଚଳରେ କିଡ୍ନି ଓ କ୍ୟାନସର ଭଳି ରୋଗ ମାଡ଼ିଚାଲିଛି। ଅଥଚ ଡିଏମ୍ଏଫ୍ରୁ ୫୦-୬୦କୋଟି ଟଙ୍କା ଖର୍ଚ୍ଚ କରି ଏକାଧିକ ପାର୍କ ନିର୍ମାଣ କରାଯାଇଛି, ଯେଉଁଗୁଡ଼ିକ ନଷ୍ଟ ହୋଇଯାଇଛି। ବ୍ୟାସନଗର ସହରର ଚାନ୍ଦମାରେ ପାଇକାରୀ ପରିବା ବଜାର ଓ ଭେଣ୍ଡିଂ ଜୋନ୍, ଏକାଧିକ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ହୋଇଥିଲେ ବି କାମରେ ନଲାଗି ନଷ୍ଟ ହୋଇଗଲାଣି। ୬୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ବ୍ୟାସସରୋବର ବୃହତ୍ ପର୍ଯ୍ୟଟନ ପ୍ରକଳ୍ପ ଅବସ୍ଥା ଶୋଚନୀୟ। ସାଧାରଣତଃ ପର୍ଯ୍ୟଟନ ଶିଳ୍ପରେ ୬୦କୋଟି ଟଙ୍କା ନିବେଶ ହେଲେ ୬ଶହରୁ ୧୨୦୦ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ୧୫୦୦ରୁ ୩ହଜାର ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପଟି ନଷ୍ଟ ହେବାକୁ ବସିଛି। ଜିଲ୍ଲାର ପାଣିକୋଇଲି-ଷଠିପୁର ଅଞ୍ଚଳରେ ଟ୍ରମାକେୟାର ସେଣ୍ଟର, ସାଇନ୍ସ ଏକାଡେମି, ଆଡ୍ଭେଞ୍ଚର ପାର୍କ, ଏସ୍ଏଚ୍ଜି ବଜାର ଆଦି ନିର୍ମାଣ ହୋଇଛି। ଏସବୁ ପ୍ରକଳ୍ପ ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ। ୧୧୫ କୋଟିରେ ତିଆରି ହୋଇଥିବା ସାଇନ୍ସ ପାର୍କ କାର୍ଯ୍ୟକ୍ଷମ ହେବ କି ନାହିଁ ସନ୍ଦେହ। ଏହାବାଦ୍ ପାନୀୟଜଳ ପ୍ରକଳ୍ପ ଓ ନଳକୂଅ ଖନନ, ମରାମତି ବାବଦରେ ଏହି ପାଣ୍ଠିରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ମାତ୍ର ଲୋକେ ସ୍ବଚ୍ଛ ପାଣି ପାଉନାହାନ୍ତି।
ଡିଏମ୍ଏଫ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସୁକିନ୍ଦା ଓ ଦାନଗଦୀ ବ୍ଲକରେ ୫୨.୨୦ କୋଟି ଟଙ୍କାରେ ୪ଟି ‘ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ’ ପ୍ରତିଷ୍ଠା କରାଯିବ। କିଡ୍ନି ରୋଗର ମୁକାବିଲା ପାଇଁ ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ୍ ସୁବିଧା ଯୋଗାଇ ଦିଆଯିବ। ଦୁଇ ବ୍ଲକରେ ରାସ୍ତା ନିର୍ମାଣ ଓ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଯଥାକ୍ରମେ ୯୭.୩୭ କୋଟି ଓ ୨୩.୨୬କୋଟି ଖର୍ଚ୍ଚ ହେବ। ସ୍କୁଲ ପିଲାଙ୍କୁ ସପ୍ତାହକୁ ୩ଦିନ ପରିବର୍ତ୍ତେ ୬ ଦିନ ଅଣ୍ଡା/ପୁଷ୍ଟିକର ଖାଦ୍ୟ ଦିଆଯିବ। ଏଥିରେ ଦୁଇ ବ୍ଲକର ୪୨,୫୬୩ ଶିଶୁ ଉପକୃତ ହେବେ। ଅଚଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ଜିଲ୍ଲାପାଳ ଅମ୍ବର କୁମାର କର ବାରମ୍ବାର ସମୀକ୍ଷା କରିଛନ୍ତି। ଅନେକ ପ୍ରକଳ୍ପ ଯୋଜନାବିହୀନ ଭାବେ କରାଯାଇଥିବାରୁ କାର୍ଯ୍ୟକାରୀ କରିବାରେ ସମସ୍ୟା ହେଉଛି। ତଥାପି ସମାଧାନ ନିମନ୍ତେ ଉଦ୍ୟମ କରାଯାଉଛି।
ସୌଜନ୍ୟ ସମ୍ବାଦ

