ନବରଙ୍ଗପୁର /ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ ମଧ୍ୟରେ ଜଣେ ଅଭିଯୁକ୍ତ ଯୁବକ ଆତ୍ମହତ୍ୟାକରିଥିବା ଜଣା ପଡ଼ିଛି। ଯୁବକ ଜଣକ ଡାବୁଗାଁ ଥାନା ଅଞ୍ଚଳା ଗ୍ରାମର ପୂର୍ଣ୍ଣ କଲାର (୨୩) ବୋଲି ଜଣା ପଡିଛି। ପୁଲିସ ସୋମବାର ଅଭିଯୁକ୍ତ ପୂର୍ଣ୍ଣ କଲାରକୁ ଦୁଇ ମାସ ତଳେ ନାବାଳିକା ଅପହରଣ ମାମଲାରେ ଥାନାକୁ ଆଣିଥିଲେ। ଗତକାଲି ପୀଡିତାଙ୍କ ପରିବାର ସହ ଆପୋଷ ଆଲୋଚନା କରି ମାମଲା ମୀମାଂସା କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ଝିଅଙ୍କ ପରିବାର ରାଜି ନ ହେଵାରୁ ପୁଲିସ ମାମଲା ରୁଜୁ କରିଥିଲେ।
ହାଜତରେ ରଖିଥିବା ବେଳେ ଆଜି ସକାଳେ କୌଣସି କାରଣରୁ ଅଭିଯୁକ୍ତ ପୂର୍ଣ୍ଣ କଲାର ହାଜତ ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମର ଶରୀରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ହାଜତ ମଧ୍ୟରେ ଜଣେ ଅଭିଯୁକ୍ତର କିଭଳି ମୃତ୍ୟୁ ଘଟିଲା। ଥାନା ସୁରକ୍ଷା ପ୍ରତି କିଭଳି ଅବହେଳା କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ହାଜତ ମଧ୍ୟରେ ପୂର୍ଣ୍ଣ କଲାରର ମୃତ୍ୟୁ ଘଟଣା ଶୁଣି ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ପୁଲିସ ମୁତୟନ
ଘଟଣାକୁ ନେଇ ପୁଲିସ ତରଫରୁ କୌଣସି ସୂଚନା ମିଳି ପାରି ନାହିଁ। ନବରଙ୍ଗପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଡାବୁଗାଁ ଥାନା ନିକଟକୁ କାହାରିକୁ ଛଡା ଯାଉନି।
ସୌଜନ୍ୟ ସମ୍ବାଦ

