OIL: ଖାଇବା ତେଲ ପ୍ୟାକେଟ୍‌ରେ ତାରତମ୍ୟ: ଏକା ଦେଖାଯାଉଥିବା ପ୍ୟାକେଟ୍‌ରେ ନଥାଏ ସମାନ ତେଲ

ଖାଇବା ତେଲ ପ୍ୟାକେଟ୍‌ରେ ରହୁଥିବା ତାରତମ୍ୟକୁ ନେଇ ସୋୟାବିନ୍ ପ୍ରୋସେସର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‌ଓପିଏ) ଉଦବେଗ ପ୍ରକାଶ କରିଛି। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏହା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।

 

ନୂଆଦିଲ୍ଲୀ: ଖାଇବା ତେଲ ପ୍ୟାକେଟ୍‌ରେ ରହୁଥିବା ତାରତମ୍ୟକୁ ନେଇ ସୋୟାବିନ୍ ପ୍ରୋସେସର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‌ଓପିଏ) ଉଦବେଗ ପ୍ରକାଶ କରିଛି। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏହା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ସଂଗଠନ କହିଛି ଯେ ଅନେକ କମ୍ପାନୀ ବଜାରରେ ଏଭଳି ଅଣ-ମାନକ ଆକାରର ଖାଇବା ତେଲ ପ୍ୟାକେଜ୍ ପ୍ରଚଳନ କରୁଛନ୍ତି, ଯାହା ମୂଲ୍ୟ ଏବଂ ପରିମାଣକୁ ନେଇ ଗ୍ରାହକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ସଂଗଠନ କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗର ସଚିବଙ୍କୁ ଏକ ଚିଠି ଲେଖିଛି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବରୁ ଖାଇବା ତେଲ ଶିଳ୍ପର ପାଞ୍ଚଟି ଜାତୀୟ ସଂଗଠନ ମିଳିତ ଭାବେ ଏହି ବିଷୟ ଉପସ୍ଥାପନ କରିଥିଲେ ଏବଂ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖାଇବା ତେଲର ପ୍ୟାକେଜିଂ ପରିମାଣକୁ ମାନକୀକରଣ କରିବାକୁ ସୁପାରିସ କରିଥିଲେ। ସରକାର ଖାଇବା ତେଲ ପ୍ୟାକେଜିଂ ଉପରୁ ମାନକ ପରିମାଣର ପ୍ରତିବନ୍ଧକ ହଟାଇ ଦେଇଥିଲେ ଓ ପ୍ୟାକେଜ୍ ଉପରେ ପ୍ରତି ୟୁନିଟ୍ ମୂଲ୍ୟ ଲେଖିବାକୁ ବାଧ୍ୟତାମୂଳକ କରିଥିଲେ। କିନ୍ତୁ କିଛି ନିର୍ମାତା ବଜାରରେ ଅଣ-ମାନକ ଆକାରର ପ୍ୟାକ୍ ପ୍ରଚଳନ କରି ଏହି ରିହାତିର ଅପବ୍ୟବହାର କରୁଛନ୍ତି, ଯାହା ଗ୍ରାହକଙ୍କୁ ବିଭ୍ରାନ୍ତ କରୁଛି।

ସଂଗଠନ କହିଛି ‌ଯେ ଜଣେ ସାଧାରଣ ଖୁଚୁରା ଗ୍ରାହକ ପ୍ରତି ମିଲିଲିଟର କିମ୍ବା ପ୍ରତି ଗ୍ରାମର ମୂଲ୍ୟ ହିସାବ କରି ତାହାକୁ ଲିଟର କିମ୍ବା କିଲୋଗ୍ରାମରେ ପରିଣତ କରନ୍ତି ନାହିଁ। ଯଦି ଜଣେ ଗ୍ରାହକଙ୍କ ସମ୍ମୁଖରେ ପ୍ରାୟ ଏକାଭଳି ଦେଖାଯାଉଥିବା ଦୁଇଟି ପ୍ୟାକେଟ୍ ରଖାଯାଏ ତେବେ କମ୍‌ ଦାମ୍‌ ଥିବା ପ୍ୟାକ୍‌କୁ ସେ ଚୟନ କରିବେ। ଯଦି ସେଥିରେ ଗୋଟିଏ ପ୍ୟାକ୍‌ରେ ୮୮୦ ମିଲିଲିଟର ଏବଂ ଅନ୍ୟଟି ୯୧୦ ମିଲି ବିଶିଷ୍ଟ ହୋଇଥିବ ତେବେ ସେ ୮୮୦ ମିଲିଲିଟର ପ୍ୟାକ୍‌କୁ ଶସ୍ତା ଭାବି ନେଇଯିବେ। କିନ୍ତୁ ଏଥିରେ ପ୍ରକୃତରେ ଗ୍ରାହକଙ୍କ ଘାଟା ହୋଇଥାଏ। କାରଣ ସେ ଦେଇଥିବା ଟଙ୍କା ଅନୁସାରେ କମ୍‌ ତେଲ ପାଇଥାନ୍ତି। ମାନକୀକରଣ ଅଭାବରୁ, ନିୟମ ପାଳନ କରୁଥିବା କମ୍ପାନିଗୁଡିକ ମଧ୍ୟ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ଅଣ-ମାନକ ପ୍ୟାକ୍ ସାଇଜରେ ଉତ୍ପାଦ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏସ୍‌ଓପିଏ କହିଛି।

ଗ୍ରାହକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ବିଷୟରେ ତୁରନ୍ତ ଏବଂ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସଂଗଠନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଯଦି ସରକାର ପ୍ୟାକେଜିଂ ପରିମାଣକୁ ମାନକୀକରଣ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଶିଳ୍ପ ଉପରେ ଅନାବଶ୍ୟକ ଚାପ ଏଡାଇବା ପାଇଁ ଉତ୍ପାଦନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଏବଂ ପୂର୍ବରୁ ଉପଲବ୍ଧ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିବାକୁ କମ୍ପାନିଗୁଡ଼ିକୁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ ବୋଲି ମଧ୍ୟ ସଂଗଠନ କହିଛି।

 

 

 

ସୌଜନ୍ୟ ସମ୍ବାଦ