OIL: ଅଲଗା ବାଟରେ ଭାରତକୁ ତେଲ ପଠାଇପାରିବ ୟୁଏଇ

ନୂଆଦିଲ୍ଲୀ: ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ୍‌)ରୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓହରିଯିବାରୁ ମଧ୍ୟପ୍ରାଚ୍ୟରେ ଶକ୍ତି ଦୃଶ୍ୟପଟ ବଦଳିଛି। ଏହା ବିଶ୍ୱ ତୈଳ ବାଣିଜ୍ୟ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। ଏଥି ସହିତ ମୁଖ୍ୟତଃ ସାଉଦି ଆରବ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ଓପେକ୍‌ରୁ ଓହରିବା ପରେ ୟୁଏଇ ଭାରତକୁ ଅଧିକ ତେଲ ପଠାଇପାରିବ। ଯୁଦ୍ଧ ଦ୍ବାରା ପ୍ରଭାବିତ ହର୍ମୁଜ ପ୍ରଣାଳୀ ଆଡ଼କୁ ଜାହାଜ ଆସିବ ଦରକାର ନାହିଁ।

ଫୁଜୈରାହ ପାଇପଲାଇନ ମାଧ୍ୟମରେ ଏହା ଭାରତକୁ ତେଲ ପଠାଇପାରିବ।ଓପେକ୍‌ରୁ ବାହାରିବା ପ‌ରେ ୟୁଏଇ ତୁରନ୍ତ ପ୍ରତିଦିନ ଏକ ନିୟୁତ ବ୍ୟାରେଲ ତୈଳ ଉତ୍ପାଦନ ବୃଦ୍ଧି କରିପାରିବ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି, ବାଣିଜ୍ୟ ଓ ସୁରକ୍ଷା କ୍ଷେତ୍ରରେ ଗଭୀର ସମ୍ପର୍କ ରହିଛି। ଭାରତକୁ ତେଲ ପଠାଉଥିବା ଅନ୍ୟତମ ପ୍ରମୁଖ ଦେଶ ହେଉଛି ୟୁଏଇ। ଯୁଦ୍ଧ ପାଇଁ ପାରସ୍ୟ ଉପସାଗର ଓ ହର୍ମୁଜ ପ୍ରଣାଳୀରେ ବାଧା ସୃଷ୍ଟି ହୋଇଥିବାରୁ ଫୁଜୈରାହ ଦୁଇ ଦେଶ ମଧ୍ୟରେ ତୈଳ କାରବାର ମଜଭୁତ କରିବାର ନୂଆ ସମ୍ଭାବନା ସୃଷ୍ଟି କରିଛି।

ହାବଶାନ-ଫୁଜୈରାହ ତୈଳ ପାଇପଲାଇନକୁ ଆବୁଧାବି ଅଶୋଧିତ ତୈଳ ପାଇପଲାଇନ ମଧ୍ୟ କୁହାଯାଉଛି। ଆବୁଧାବିର ହାବଶାନ ତୈଳ କ୍ଷେତ୍ରରୁ ଓମାନ ଉପସାଗରର ଫୁଜୈରାହ ବନ୍ଦର ପର୍ଯ୍ୟନ୍ତ ୩୮୦-୪୦୬ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପାଇପଲାଇନଟି ସଂକୀର୍ଣ୍ଣ ହରମୁଜ ପ୍ରଣାଳୀକୁ ଏଡାଇବା ପାଇଁ ନିର୍ମାଣ କରାଯାଇଥିଲା। ପ୍ରାୟ ୪ ବିଲିୟନ ଡଲାର ଖର୍ଚ୍ଚରେ ୨୦୧୨ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ଏହି ୪୮ ଇଞ୍ଚ ପାଇପଲାଇନର ଦୈନିକ କ୍ଷମତା ହେଉଛି ୧.୫ ନିୟୁତ ବ୍ୟାରେଲ। ଫୁଜୈରାହରୁ ଟ୍ୟାଙ୍କରଗୁଡ଼ିକ ମୁର୍ବାନ ଅଶୋଧିତ ତୈଳ ଲୋଡ୍ କରି ସିଧାସଳଖ ଖୋଲା ଆରବ ସାଗରକୁ ଯାଆନ୍ତି। ସେମାନଙ୍କୁ ହର୍ମୁଜ ପ୍ରଣାଳୀର ଭିଡ଼ ଓ ବିପଦକୁ ସାମ୍ନା କରିବାକୁ ପଡ଼ିନଥାଏ।

ଭାରତ ପାଇଁ ଏହି ରାସ୍ତା ପୂର୍ବରୁ ଉପଯୋଗୀ ପ୍ରମାଣିତ ହୋଇଛି। ଯେତେବେଳେ ହର୍ମଜୁ ଅବରୋଧର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତୀୟ ରିଫାଇନାରିଗୁଡ଼ିକ ଫୁଜୈଇରା ଦେଇ ଆମଦାନି ବୃଦ୍ଧି କରିଛନ୍ତି। ୟୁଏଇ ଏବେ ଓପେକ୍‌ କବଳରୁ ମୁକ୍ତ ହେବା ସହିତ କୋଟା ଚିନ୍ତା ବିନା ଏହି ପାଇପ୍‌ଲାଇନ୍‌ ଦେଇ ଅଧିକ ଅଶୋଧିତ ତୈଳ ପ୍ରବାହିତ ହୋଇପାରିବ। ଫୁଜୈଇରା ନିଜେ ଷ୍ଟୋରେଜ୍ ଟ୍ୟାଙ୍କ, ବଙ୍କରିଂ ସୁବିଧା ଏବଂ ଏକ ଗଭୀର ଜଳ ବନ୍ଦର ସହିତ ଏକ ପ୍ରମୁଖ ତୈଳ କେନ୍ଦ୍ରରେ ପରିଣତ ହୋଇଛି। ଉପସାଗର ବାହାରେ ଏହାର ଅବସ୍ଥିତି ଏହାକୁ ଆଞ୍ଚଳିକ ଉତ୍ତେଜନାଠାରୁ ଅଲଗା ରଖିପାରିଛି।

 

 

 

ସୌଜନ୍ୟ ସମ୍ବାଦ