Ratna Bhandar Inventory : ଆଜିଠୁ ପୁଣି ଖୋଲିବ ରତ୍ନ ଭଣ୍ଡାର, SOP ଅନୁସାରେ ଚାଲିବ କାମ

ପୁରୀ ୧୧।୦୫ : ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର। ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ। ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ପୂର୍ବରୁ ୯ ଦିନ ଧରି ଗଣତିମଣତି ଚାଲିଥିଲା । ଦଶମ ଦିନ ନିମନ୍ତେ ଗଣତିମଣତି କାମ ଆଗେଇବ । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ପ୍ରକାରର ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ପ୍ରାୟ ୨୦ ପ୍ରତିଶତ ଗଣତିମଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନ ଧରି ଗଣତିମଣତି ହୋଇଥିଲା ।

ସୋମବାରଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥ ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ଗଣତି ମହାପ୍ରଭୁଙ୍କ ଜାତଭୋଗ ଏବଂ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ । ଏଣୁ ଅପରାହ୍ଣ ୪ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠ ଠାରୁଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜିଉଙ୍କ ନୀତି ସଂପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ପ୍ରବେଶ କରିପାରିବେ ।କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ଠାରୁ ଦର୍ଶନ କରାଯିବ ।

 

 

 

ସୌଜନ୍ୟ Prameya News7