Made in India Brand Scheme: ଭାରତ ସରକାର ଦେଶର ଉତ୍ପାଦନ କ୍ଷେତ୍ରରେ ଥିବା ଅଭାବକୁ ଦୂର କରିବା ଏବଂ ଘରୋଇ ଉତ୍ପାଦନକୁ ଶକ୍ତିଶାଳୀ କରିବା ପାଇଁ ‘ମେଡ୍ ଇନ୍ ଇଣ୍ଡିଆ’ (Made in India) ବ୍ରାଣ୍ଡ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଘରୋଇ ଉତ୍ପାଦିତ ସାମଗ୍ରୀକୁ ଏକ ମଜଭୁତ ବ୍ରାଣ୍ଡ ବୋଲି ଚିହ୍ନଟ କରିବା ପାଇଁ ଏହାକ ଏକ ସ୍ୱେଚ୍ଛାକୃତ ସାର୍ଟିଫିକେଟ୍ ପ୍ରଦାନ କରିବା ଯୋଜନା। ଯେଉଁଥିରେ ଏହି ସାର୍ଟିଫିକେଟ ମିଳିବା ଦ୍ୱାରା ଏହାର ଲୋଗୋ ରହିବା ଦ୍ୱାରା ଏହି ପ୍ରଡକ୍ଟ ଉନ୍ନତମାନର ବୋଲି ଚିହ୍ନଟ କରାଯିବ।
ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରୋଇ ଉତ୍ପାଦନ ବୃଦ୍ଧି କରିବା। ଭାରତରେ ନିର୍ମିତ ହେଉ ନଥିବା କିମ୍ବା ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉ ନଥିବା ପ୍ରାୟ ୧୦୦ଟି ଉତ୍ପାଦକୁ ଚିହ୍ନଟ କରି ସେଗୁଡ଼ିକର ଉତ୍ପାଦନ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ସେହିପରି ଉତ୍ପାଦର ଗୁଣବତ୍ତା ମଧ୍ୟ ଏଥିରେ ଫୋକସ କରାଯାଇଛି। ଏହି ଯୋଜନା ଅଧୀନରେ ଉତ୍ପାଦଗୁଡ଼ିକୁ ଏକ ସ୍ୱତନ୍ତ୍ର ଲୋଗୋ (Logo) ପ୍ରଦାନ କରାଯିବ, ଯାହା କେବଳ ଭାରତୀୟ ମୂଲ୍ୟ ବୃଦ୍ଧି (Value addition) ନୁହେଁ, ବରଂ ଉତ୍ପାଦର ଉଚ୍ଚ ଗୁଣବତ୍ତା (Quality assurance) ର ପ୍ରମାଣ ଦେବ।
ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ ପାଇଁ ପ୍ରାୟତଃ ଢାଞ୍ଚା ଚୂଡ଼ାନ୍ତ କରିସାରିଛି। ବିଭିନ୍ନ ଶିଳ୍ପ ସହିତ ପରାମର୍ଶ ପରେ ଏହାକୁ ଆରମ୍ଭ କରାଯିବାର ଆଶା କରାଯାଉଛି। DPIIT ସଚିବ ଅମରଦୀପ ସିଂହ ଭାଟିଆ କହିଛନ୍ତି ଯେ ଏହି ଶୁଭାରମ୍ଭ ଖୁବ୍ ଶୀଘ୍ର ହୋଇପାରେ।
ବିଶ୍ୱ ବଜାରରେ ସ୍ଥାନ: ଘରୋଇ ଚାହିଦା ମେଣ୍ଟାଇବା ସହ ଆନ୍ତର୍ଜାତୀୟ ବଜାରରେ ଭାରତୀୟ ଉତ୍ପାଦର ବିଶ୍ୱସନୀୟତା ବୃଦ୍ଧି କରିବା। ବିଶ୍ୱର ଅନ୍ୟ ବ୍ରାଣ୍ଡ ସହିତ ଭାରତୀୟ ଉତ୍ପାଦର ପ୍ରତିଯୋଗିତା କରାଇବା ମଧ୍ୟ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି।
DPIIT ର ପ୍ରୟାସ: ଶିଳ୍ପ ଏବଂ ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ର ସଚିବ ଅମରଦୀପ ସିଂ ଭାଟିଆଙ୍କ କହିବା ଅନୁଯାୟୀ, ଶିଳ୍ପ ଜଗତ ସହ ମିଶି ଏକ “ଅନନ୍ୟ ଏବଂ ଆକର୍ଷଣୀୟ” ଉତ୍ପାଦ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ମୁଖ୍ୟତଃ ଅଟୋମୋବାଇଲ୍ କ୍ଷେତ୍ର (ଯେପରିକି ଆକ୍ସେଲ୍ ଏବଂ ମୋଟରସାଇକେଲ୍ ପାର୍ଟସ୍) ଏବଂ ଅନ୍ୟାନ୍ୟ ଜଟିଳ ଯନ୍ତ୍ରାଂଶ ରହିଛି, ଯାହା ଭାରତରେ ତିଆରି କରିବାର କ୍ଷମତା ଆମର ରହିଛି। ଇସ୍ପାତ (Steel) କ୍ଷେତ୍ରରେ ଏହାର ଏକ ପାଇଲଟ୍ ପରୀକ୍ଷଣ କରାଯାଇଥିଲା, ଯାହା ବେଶ୍ ଉତ୍ସାହଜନକ ରହିଛି। ଏହି ଯୋଜନା ଅଧୀନରେ କମ୍ପାନୀଗୁଡ଼ିକୁ ଭାରତରେ ଦୀର୍ଘକାଳୀନ ପୁଞ୍ଜି ନିବେଶ କରିବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି।
ଭବିଷ୍ୟତରେ ବିଭିନ୍ନ ସୁଯୋଗର ଫାଇଦା ନେବାକୁ ସରକାର ଏହି ଉଧ୍ୟମ ଆରମ୍ଭ କରିଛନ୍ତି। ବିଦେଶଗୁଡ଼ିକ ସହ ହେଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ଭାରତୀୟ ବ୍ୟବସାୟ ପାଇଁ ବିଶ୍ୱସ୍ତରରେ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଏଥିସହିତ ଉତ୍ପାଦନ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବ୍ୟବହାର ଦ୍ୱାରା କାର୍ଯ୍ୟଦକ୍ଷତା ଏବଂ ନୂତନତା ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି।
ଏହି ଲେବଲ୍ ସ୍କିମ୍ ପାଇଁ ପ୍ରାୟ ୯୯୫ କୋଟି ଟଙ୍କା ତିନି ବର୍ଷ ପାଇଁ ପ୍ରସ୍ତାବିତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଭାରତ ନିଜକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ (Global Manufacturing Hub) ଭାବରେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି।
ମୁଖ୍ୟ ଫିଚର୍ସ ଓ ମେକାନିଜମ
ଡିଜିଟାଲ୍ ପ୍ରାମାଣିକତା: ଏହି ଉତ୍ପାଦଗୁଡ଼ିକରେ ଏକ ଡାଇନାମିକ QR କୋଡ୍ ସହିତ ଏକ ଅଫିସିଆଲ୍ ଲେବଲ୍ ପ୍ରଦର୍ଶିତ ହେବ।
QR ସ୍ୱଚ୍ଛତା: କୋଡ୍ ସ୍କାନ କରିବା ଦ୍ଵାରା ଗ୍ରାହକମାନଙ୍କୁ ତୁରନ୍ତ ଉତ୍ପାଦନ ସ୍ଥାନ, ଲେବଲ ବୈଧତା, ଉତ୍ପାଦନ ନିର୍ଦ୍ଦିଷ୍ଟକରଣ ଏବଂ ଗ୍ରାହକ ସେବା ବିବରଣୀ ମିଳିଯିବ।ଗୁଣବତ୍ତା ନିଶ୍ଚିତକରଣ: ଏଥିରେ ସ୍ଥାନୀୟ ସାମଗ୍ରୀ ଘରୋଇ ଭାଲ୍ୟୁ ଏଡିସନ ଓ ଗୁଣବତ୍ତା ମାନଦଣ୍ଡ ପୂରଣ କରୁଛି ବୋଲି ସ୍ପଷ୍ଟ ହେବ। ଏଥିରେ ରେଣ୍ଡମ ସ୍ପଟ୍ ଟେଷ୍ଟିଂ ବ୍ୟବସ୍ଥା ରହିବ।
ପ୍ରମାଣପତ୍ର ପୋର୍ଟାଲ: ଏଥିରେ ନିର୍ମାତାମାନେ ନିର୍ଦ୍ଦେଶାବଳୀ ଯାଞ୍ଚ କରିପାରିବେ ଏବଂ ମେଡ୍ ଇନ୍ ଇଣ୍ଡିଆ – QCI ପ୍ଲାଟଫର୍ମ ମାଧ୍ୟମରେ ପ୍ରାମାଣିକର ପାଇଁ ଆବେଦନ କରିପାରିବେ।
ସୌଜନ୍ୟ Prameya News7

