ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା ୧୮ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଖୋର୍ଦ୍ଧା ନିକଟରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିରରେ ଶ୍ରୀ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ଜିଲ୍ଲା ପ୍ରଭାରୀ ପ୍ରମୁଖ ମଞ୍ଚାସୀନ ହେବେ ବୋଲି ଜଣାପଡ଼ିଛି।
ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରରେ ଉଦ୍ବୋଧନ ଦେବେ
ବିନା ଶୋଭାଯାତ୍ରାରେ ନେବାକୁ ଯୋଜନା
ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ କାର୍ଯ୍ୟାଳୟରେ ଦଳର କୋର୍ କମିଟି, ପଦାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ଅଛି। ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିବେ। ଅପରପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ତାଙ୍କୁ କିପରି ସ୍ବାଗତ କରାଯିବ ସେନେଇ ରାଜ୍ୟ ବିଜେପି ନେତାମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ୍, ଡିଜେଲ୍ କମ୍ ବ୍ୟବହାର କରିବା ସହ ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟତ କରିବାକୁ ଆହ୍ବାନ ଦେଇଥିବାବେଳେ ଯଦି ବାଇକ୍ ରାଲି କି ବଡ଼ ଶୋଭାଯାତ୍ରା କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପ୍ରଶିକ୍ଷଣ ଶିବିର କିମ୍ବା ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଏ, ତେବେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିବ। ଏପରିସ୍ଥଳେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ବିମାନବନ୍ଦରରେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ପରେ ସିଧା ପ୍ରଶିକ୍ଷଣ ଶିବିରକୁ ନେବାକୁ ଆଲୋଚନା ଚାଲିଛି।
ସୌଜନ୍ୟ ସମ୍ବାଦ

