Balianta brutality: ବାଲିଅନ୍ତା ବର୍ବରତା: ବନ୍ଧା ହେଲା ବଣ୍ଟି, ୫ ପୁଲିସଙ୍କୁ ଜେରା

କଟକ: ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ତାଙ୍କ ବ୍ଲାଡରରେ ଥିବା ମୂତ୍ର ଓ ମୃତଦେହରେ ଲାଗିଥିବା ରକ୍ତ ନମୁନା ସଂଗ୍ରହ କରିଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମ୍ ୫ ପୁଲିସ କର୍ମଚାରୀ ଓ ସୌମ୍ୟରଞ୍ଜନଙ୍କ ବନ୍ଧୁ, ଦୁଇ ପୀଡ଼ିତା ଯୁବତୀଙ୍କୁ ଜେରା କରିଛି।

ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନଙ୍କ ବନ୍ଧୁ କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁରର ଓମ୍‌ପ୍ରକାଶ ରାଉତଙ୍କୁ ଜେରା କରିଛି। ଓମ୍‌ଙ୍କ ବୟାନ ଅନୁଯାୟୀ, ୭ ତାରିଖରେ ଓମ୍‌ ଏକ ଦୁଇଚକିଆ ଗାଡ଼ିରେ ଓଲଟପୁରରୁ ଭୁବନେଶ୍ବର ଆଡ଼କୁ ଆସୁଥିଲେ। ସାଙ୍ଗରେ ସୌମ୍ୟରଞ୍ଜନ ଆସିଥିଲେ। କାଜ ବ୍ରିଜ୍‌ ନିକଟରେ ସୌମ୍ୟରଞ୍ଜନ ଘରେ ପର୍ସ ଛାଡ଼ି ଆସିଥିବା ଓମ୍‌ଙ୍କୁ କହିଥିଲେ। ଗାଡ଼ି ବୁଲାଇ ଘରକୁ ଯିବାକୁ କହିବାରୁ ଓମ୍ ଗାଡ଼ି ବୁଲାଇ ପ୍ରାୟ ୧୦୦ ମିଟର ଆସିବା ପରେ ହଠାତ୍ ସୌମ୍ୟ ଓମ୍‌ଙ୍କ ଦୁଇ କାନ୍ଧକୁ ଦୁଇ ହାତରେ ପଛକୁ ଭିଡ଼ି ଦେଇଥିଲେ। ମାତ୍ର ୩୦ ସ୍ପିଡ୍‌ରେ ଗାଡ଼ି ଚଳାଉଥିଲେ ବି ଓମ୍ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ହାତ ଛଡ଼ାଇବାକୁ ଉଦ୍ୟମ କରିବା ସମୟରେ ଦୁଇ ଯୁବତୀଙ୍କ ସ୍କୁଟିକୁ ପଛପଟୁ ପିଟିଥିଲେ। ଘଟଣାସ୍ଥଳରେ ଓମ୍‌, ସୌମ୍ୟରଞ୍ଜନ ଓ ସ୍କୁଟିରେ ଯାଉଥିବା ଦୁଇ ଯୁବତୀ ତଳେ ପଡ଼ି ଯାଇଥିଲେ।

ସୌମ୍ୟରଞ୍ଜନଙ୍କ ବ୍ଲାଡର୍‌ରୁ ମୂତ୍ର, ମୃତଦେହରୁ ରକ୍ତ ନମୁନା ସଂଗ୍ରହ
କ୍ରାଇମବ୍ରାଞ୍ଚକୁ ଓମ୍‌ଙ୍କ ବୟାନ: ସୌମ୍ୟରଞ୍ଜନଙ୍କ ମାଡ଼ରେ ଚେତା ହରାଇଥିଲେ ଯୁବତୀ

ସୌମ୍ୟରଞ୍ଜନ ରାଗିଯାଇ ଯୁବତୀଙ୍କୁ ମାଡ଼ ମାରିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେହିଭଳି ପୀଡ଼ିତା ଯୁବତୀ କ୍ରାଇମବ୍ରାଞ୍ଚକୁ ବୟାନରେ କହିଛନ୍ତି ଯେ ଦୁର୍ଘଟଣା ପରେ ସୌମ୍ୟ ତାଙ୍କୁ ଚାପୁଡ଼ା ମାରିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଫେରିବା ପରେ ପୁଣି ଥରେ ଚାପୁଡ଼ା ମାରିଥିବା ପୀଡ଼ିତା କ୍ରାଇମବ୍ରାଞ୍ଚକୁ ବୟାନ ଦେଇଛନ୍ତି। ସେଦିନ ଘଟଣାସ୍ଥଳକୁ ଜଣେ ପୁଲିସ ଏସ୍‌ଆଇ, ଜଣେ ହାବିଲଦାର, ଜଣେ କନେଷ୍ଟବଳ, ଦୁଇ ଜଣ ହାବିଲଦାର ଯାଇଥିଲେ। ସେମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବା ସହିତ ସମସ୍ତଙ୍କୁ ପୃଥକ ଭାବେ ଜେରା କରିଛି। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହି ମାମଲାରେ ପୂର୍ବରୁ ବାଲିଅନ୍ତା ଥାନା ପୁଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବାଲିଅନ୍ତା ଥାନା ପୁଲିସ ବେଣୁପୁରର ବଣ୍ଟି ଓରଫ୍‌ ଯୁଧିଷ୍ଠିର ଜେନା(୨୩)କୁ ଗିରଫ କରିଛି। ସୌମ୍ୟ ହଠାତ୍ ଓମ୍‌ଙ୍କ ଦୁଇ କାନ୍ଧକୁ ଭିଡ଼ି ଧରିବା ପଛରେ ଷ୍ଟେରଏଡ୍‌ କିମ୍ବା ଅନ୍ୟ କୌଣସି ନିଶା ସେବନ ନେଇ ଯେଉଁ ଅଭିଯୋଗ ଆସୁଛି, ମୂତ୍ର ଓ ରକ୍ତ ନମୁନା ରିପୋର୍ଟରୁ ସେ ସଂପର୍କିତ ତଥ୍ୟ ମିଳିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

 

 

 

ସୌଜନ୍ୟ ସମ୍ବାଦ