MI VS PBKS: ମୁମ୍ବାଇକୁ ଜିତାଇଲେ ତିଳକ: ପଞ୍ଜାବର ପଞ୍ଚମ ପରାଜୟ

ଧରମଶାଳା: ପ୍ରଥମ ୭ ମ୍ୟାଚ୍‌ରେ ଅପରାଜିତ ଥିବା ପଞ୍ଜାବ କିଙ୍ଗ୍‌ସ ଲୟ ହରାଇବା ସହ ପରବର୍ତୀ ୫ ମ୍ୟାଚ୍‌‌ରେ ହାରିଯାଇଛି। ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଏହି ଦଳକୁ ରୋମାଞ୍ଚକ ଭାବେ ୬ ୱି‌କେଟ୍‌ରେ ପରାସ୍ତ କରିଛି। ପଞ୍ଜାବ ଦେଇଥିବା ୨୦୧ ରନ୍‌ ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଇଣ୍ଡିଆନ୍ସ ତିଳକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ (୩୩ ବଲ୍‌ରୁ ୭୫* ରନ୍‌, ୬ ଲେଖାଏଁ ଚୌକା ଓ ଛକା) ଏବଂ ୱିଲ୍‌ ଜ୍ୟାକ୍ସଙ୍କ ୧୦ ବଲ୍‌ ୨୫* ରନ୍‌ ବଳରେ ହାସଲ କରି ନେଇଥିଲା। ଶେଷ ୩.୨ ଓଭରରୁ ତିଳକ-ଜ୍ୟାକ୍ସ ୫୬ ରନ୍‌ ଯୋଡ଼ି କଷ୍ଟକର ମନେ ହେଉଥିବା ଲକ୍ଷ୍ୟକୁ ଛକା ମାଡ଼ରେ ଶେଷ କରି ଦେଇଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ କିଙ୍ଗ୍‌ସ ଏକାଧିକ କ୍ୟାଚ୍‌ ଡ୍ରପ୍‌ରୁୁ ଫାଇଦା ଉଠାଇ ୨୦୦ ରନ୍‌ କରି ନେଇଥିଲା। ବ୍ୟକ୍ତିଗତ ଭାବେ ମାତ୍ର ୫ ରନ୍‌ରେ ଜୀବନଦାନ ପାଇଥିବା ପ୍ରଭସିମ୍ରନ ସିଂହ ୩୨ ବଲ୍‌ରୁ ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ମଧ୍ୟକ୍ରମରେ ଶ୍ରେୟସ ଆୟର, ସୂର୍ଯ୍ୟାଂଶ ଶେଗ୍‌ଡେ, ଶଶାଙ୍କ ସିଂହଙ୍କ ବିଫଳତା କାରଣରୁ ଦିଗହରା ହୋଇଯାଇଥିଲା। ଶେ‌ଷ ଭାଗରେ ଆଜମାତୁଲା ଓମାରଜାଇ (୧୭ ବଲ୍‌ରୁ ୩୮ ରନ୍), ବିଷ୍ଣୁ ବିନୋଦ (୮ ବଲ୍‌ରୁ ୧୫* ରନ୍) ଏବଂ ଜାଭିଏର୍‌ ବାର୍ଟଲେଟ୍‌ (୭ ବଲ୍‌ରୁ ୧୮* ରନ୍) ଦଳକୁ ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ ୧୭ ବଲ୍‌ରୁ ୨୨ ରନ୍‌ ଏବଂ କୁପର କୋନୋଲି ୨୨ ବଲ୍‌ରୁ ୨୧ ରନ୍ କରିବା ସତ୍ତ୍ବେ ସଂଘର୍ଷ କରିଥିଲେ। ମୁମ୍ବାଇକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ଶାର୍ଦୁଳ ଠାକୁର (୪-୦-୩୯-୪) ଏବଂ ଦୀପକ ଚହର (୪-୦-୩୬-୨)।

 

 

 

ସୌଜନ୍ୟ ସମ୍ବାଦ