Heat Wave ପ୍ରବଳ ଖରାରେ ଶ୍ରମିକଙ୍କୁ କାମରେ ଲାଗଅନି: ପୂର୍ତ୍ତ ବିଭାଗର ତାଗିଦ

ଭୁବନେଶ୍ୱର:  ଦିନର ସର୍ବାଧିକ ତାପମାତ୍ର ୪୦ ଡିଗ୍ରି ଟପିଛି। ଦିନରେ ଦାଉଦାଉ ତାତି। ରାଜ୍ୟ ସରକାର ବହୁ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ପୂର୍ବାହ୍‌ଣ ୧୧ଟାରୁ ୩ଟା ଯାଏଁ ଶ୍ରମିକଙ୍କୁ କାମରେ ନିୟୋଜିତ ନକରିବାକୁ ନିର୍ଦ୍ଦେଶ ଦେବା ସହ ଏନେଇ ଆବଶ୍ୟକ ସୁରକ୍ଷା ଓ ସ୍ବାସ୍ଥ୍ୟଗତ ପରାମର୍ଶ ଜାରି କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ଘଟୁଥିବା ଅଭିଯୋଗ ହେବା ଓ ଏକାଧିକ ଅଂଶୁଘାତ ମୃତ୍ୟୁଘଟିବା ପରେ ପୂଣି ପୂର୍ତ୍ତ ବିଭାଗ ଚେତାବନୀ ଜାରି କରିଛି।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।
ବିଭାଗ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗ୍ରୀଷ୍ଣପ୍ରବାହ ପରିପ୍ରେକ୍ଷୀରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଖରାରେ କାର୍ଯ୍ୟ ନ କରାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କିନ୍ତୁ କିଛି ସ୍ଥାନରେ ଏହି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଗଣମାଧ୍ୟମ ସୂତ୍ରରୁ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏଣୁ ଠିକା ସଂସ୍ଥାମାନେ ପ୍ରତିବନ୍ଧିତ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ସେଡ୍‌) ସହ ପାନୀୟ ଜଳ ଓ ଫାଷ୍ଟଏଡ୍‌ (ଆଶୁ ଚିକିତ୍ସା) ଉପଲବ୍ଧ କରିବାକୁୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ଷେତ୍ର କର୍ମଚାରୀମାନେ ଏଥି ପ୍ରତି ସଜାଗ ରହିବା ସହ କୌଣସି ଅପ୍ରୀତିକାର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

 

ସୌଜନ୍ୟ ସମ୍ବାଦ