କଟକ: ଓଡ଼ିଶାରେ ଅପରାଧୀଙ୍କ ସ୍ଥାନ ନାହିଁ। ଅପରାଧୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଜିଲ୍ଲାଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅପରାଧ ମୁକାବିଲା କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ ବୋଲି ପରୋକ୍ଷରେ ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ ଚେତାଇ ଦେଇଛନ୍ତି। ଡିଜିଙ୍କ ନିର୍ଦ୍ଦେଶରେ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ମାତ୍ର ୧୮ ଦିନ ଭିତରେ ୫ ହଜାର ୭୦୩ ଜଣଙ୍କ ବିରୋଧରେ ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରାଯିବା ସହିତ ୫୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୯୫୭ ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୨୯ ବିଏନ୍ଏସ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୨୬ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ ୨ ହଜାର ୬୨୦ ଜଣଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି। ୩୯ଟି ବନ୍ଧୁକ ଓ ୨୯ଟି ଗୁଳି ପୁଲିସ ଜବତ କରିଛି।
୧୮ ଦିନରେ ବନ୍ଧାହେଲେଣି ୬ ହଜାର
ନିଶା ମାଫିଆଙ୍କୁ ସାବାଡ଼ ପାଇଁ ସ୍ବତନ୍ତ୍ର ଅଭିଯାନ
ମେ ୧୨ ତାରିଖରୁ ରାଜ୍ୟର ସମସ୍ତ ପୁଲିସ ରେଞ୍ଜ ଓ କମିସନରେଟ୍ ପୁଲିସରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ୯୭ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବା ବେଳେ ୧୩୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୩୯୮ କେଜି ଗଞ୍ଜେଇ, ୫୮୬ ଗ୍ରାମ୍ ବ୍ରାଉନ୍ସୁଗର, ୨୨୦ ଗ୍ରାମ୍ ହେରୋଇନ୍ ଏବଂ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି। ନିଶା କାରବାରରେ ବ୍ୟବହୃତ ୨୭ଟି ଗାଡ଼ି, ୧୪ଟି ମୋବାଇଲ୍ ଫୋନ୍, ୩ଟି ପିସ୍ତଲ ସହ ନଗଦ ୨ ଲକ୍ଷ ୯୨ ହଜାର ୮୮ ଟଙ୍କା ଜବତ ହୋଇଛି। ୨ ହଜାର ୧୫୪ଟି ଅବକାରୀ ମାମଲା ରୁଜୁ ହୋଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୩ ହଜାର ୨୯୩ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୬ କୋଟି ୪୬ ଲକ୍ଷ ୭ ହଜାର ୫୬୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗୋଚାଲାଣ ରୋକିବାକୁ ପୁଲିସ ୨୯ଟି ମାମଲା ରୁଜୁ କରିଥିବାବେଳେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୧୭ଟି ଗାଡ଼ିରୁ ୨୮୪ଟି ଗାଈଙ୍କୁ ଉଦ୍ଧାର କରାଯାଇଛି। ଚୋରା ଖଣି କାରବାର ଘଟଣାରେ ୬୫୪ଟି ମାମଲା ରୁଜୁ କରି ୧୬୨ ଜଣଙ୍କୁ ଗିରଫ କରାଯାଇଛି। ୮୭୮ଟି ହାଇୱା, ଟ୍ରକ୍, ଟ୍ରାକ୍ଟର, ଟିପର୍, ପାୱାର ଟିଲର ଓ ଜେସିବି ଜବତ ହୋଇଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୩୧ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୫ ଜଣଙ୍କୁ ଗିରଫ କରାଯାଇଛି। ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ, କଟକ ଶୀର୍ଷରେ ରହିଛି। ଏହି ରେଞ୍ଜରେ ୧୮ ଦିନ ମଧ୍ୟରେ ୧୫୧୯ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ

