Farming: ବର୍ଷାଭାବ ଯୋଗୁ ଆଗେଇପାରୁନି ଚାଷ: ମୌସୁମୀ ବିଳମ୍ବିତ, ଆଶଙ୍କାରେ ସୁନ୍ଦରଗଡ଼ର ଚାଷୀ

ମଳୟ ରଞ୍ଜନ ସାହୁ

ରାଉରକେଲା: ସୁନ୍ଦରଗଡ଼ ଚାଷୀଙ୍କ ପାଇଁ ଦାଉ ସାଧିଛି ମୌସୁମୀ ବର୍ଷା। ଏପ୍ରିଲ ଓ ମେ’ ମାସରେ ବର୍ଷା ଉଭାନ ହୋଇ ଯାଇଥିବାରୁ ଚାଷ କାମ ଆଗେଇପାରୁନି। ଗତବର୍ଷଠାରୁ ଏଥର କମ୍‌ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଏପ୍ରିଲ ଓ ମେ’ର ବର୍ଷା ଖରିଫ ଚାଷ ପାଇଁ ସହାୟକ ହୋଇଥାଏ। ଅକ୍ଷୟ ତୃତୀୟା ଅର୍ଥାତ୍‌ ଏପ୍ରିଲ  ୨୯ ତାରିଖ ପରଠୁ ଚାଷୀ କାର୍ଯ୍ୟ ଆରମ୍ଭ କରିଥାଏ। ହେଲେ ଗତବର୍ଷ ଅପେକ୍ଷା ଢେର କମ୍‌ ବର୍ଷା ହୋଇଥିବାରୁ ଜିଲ୍ଲାର କେଉଁ ବ୍ଲକ୍‌ରେ ୪/୫ ଏକର ତ ଅନ୍ୟ କେଉଁ ବ୍ଲକ୍‌ରେ ଚାଷୀ ଆଦୌ କ୍ଷେତକୁ ଯାଇନି। ଜିଲ୍ଲାରେ ମୋଟ ୩.୨ ଲକ୍ଷ ହେକ୍ଟର ଚାଷଜମି ରହିଛି। ମେ’ ସୁଦ୍ଧା ଜିଲ୍ଲାର ୧୭ ବ୍ଲକ୍‌ରେ ୧୦୦ ହେକ୍ଟର ଜମିରେ ଚାଷ ହୋଇ ନାହିଁ। ଜୁନ୍‌ ଓ ଜୁଲାଇରେ କମ୍‌ ବର୍ଷା ହେଲେ ଜିଲ୍ଲାରେ ଅନେକ ଚାଷ ଜମି ପଡ଼ିଆ ପଡ଼ିବାର ଆଶଙ୍କା ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୫ ମେ’ରେ ଲାଠିକଟା ବ୍ଲକ୍‌ରେ ୧୯୮ ହେକ୍ଟର, କୁଆରମୁଣ୍ଡାରେ ୧୦୫ ହେକ୍ଟର ଓ ବିଶ୍ରା ବ୍ଲକ୍‌ରେ ୬୫ ହେକ୍ଟର ଜମିରେ ଚାଷ ହୋଇଥିଲା।

ଏଥର ଲାଠିକଟା, କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରାରେ ଆଦୌ ଚାଷ ହୋଇ ନାହିଁ। ଚଳିତ ମାସ ଲାଠିକଟାରେ ୧୭୮ ଏମ୍‌ଏମ୍‌, କୁଆରମୁଣ୍ଡାରେ ୧୩୯ ଏମ୍ଏମ୍‌, ନୂଆଗାଁରେ ୧୧୮ ଏମ୍‌ଏମ୍‌ ଓ ବିଶ୍ରା ବ୍ଲକ୍‌ରେ ୧୫୫ ଏମ୍‌ଏମ୍‌ ବର୍ଷା ହୋଇଛି, ଯାହା ଚାଷ ପାଇଁ ଆଦୌ ଅନୁକୂଳ ନୁହେଁ। କୋଇଡା ବ୍ଲକ୍‌ରେ ଏପ୍ରିଲରେ ୬୯ ଏମ୍‌ଏମ୍‌ ଓ ମେ’ରେ ୧୦୦ ଏମ୍‌ଏମ୍‌ ବର୍ଷା ହେବା କଥା। ଏଥର ଏପ୍ରିଲରେ ୧୭ ଏମ୍‌ଏମ୍‌ ଓ ମେ’ରେ ୪୧.୪ ଏମ୍‌ଏମ୍‌ ବର୍ଷା ହୋଇଛି। ମାତ୍ର ୨ ହେକ୍ଟର ଜମିରେ ଚାଷକାର୍ଯ୍ୟ ହୋଇଛି। ଗୁରୁଣ୍ଡିଆରେ ମେ’ରେ ସାଧାରଣ ଭାବେ ୧୮୭ ମିଲିମିଟର ବର୍ଷା ହୋଇଥାଏ। ଏବେ ସୁଦ୍ଧା ୪୧.୪ ମିଲିମିଟର ବର୍ଷା ହୋଇଥିବାରୁ ମାତ୍ର ୭ ହେକ୍ଟର ଜମିରେ ଚାଷ ହୋଇପାରିଛି। ଲହୁଣିପଡ଼ାରେ ଆଜି ପର୍ଯ୍ୟନ୍ତ ମାତ୍ର ୪୦ ଏମ୍‌ଏମ୍‌ ବର୍ଷା ହୋଇଛି। ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ ହେକ୍ଟର ଜମିରେ ଚାଷ ହୋଇପାରିଛି। ମେ’ ମାସରେ ବଣାଇ ବ୍ଲକ୍‌ରେ ୪୧ ଏମ୍‌ଏମ୍‌ ବର୍ଷା ହୋଇଥିବାବେଳେ ରାଜଗାଙ୍ଗପୁର, ଟାଙ୍ଗରପାଲି, ହେମଗିରି, ସବ୍‌ଡେଗା, କୁତ୍ରା, ବଡ଼ଗାଁ, ସୁନ୍ଦରଗଡ଼ ସଦର, ବାଲିଶଙ୍କରା, ଲେଫ୍ରିପଡ଼ାରେ ବର୍ଷାଭାବ ଚାଷୀକୁଳଙ୍କୁ ଆଶଙ୍କା ଭିତରକୁ ଠେଲିଦେଇଛି।

 

 

 

ସୌଜନ୍ୟ ସମ୍ବାଦ