OAS: ବଦଳିଯାଉଛି ‘ବଦଳି’: ଓଏଏସ୍ ବଦଳି ତାଲିକା ବାରମ୍ବାର ବଦଳୁଛି

ଭୁବନେଶ୍ବର: ନିୟମିତ ବ୍ୟବଧାନରେ ରାଜ୍ୟ ପ୍ରଶାସନରେ ଗଦାଗଦା ବଦଳି ତାଲିକା ବାହାରୁଛି। କିନ୍ତୁ ତାହାକୁ ବହୁ ଅଧିକାରୀ ପାଳନ କରୁନାହାନ୍ତି। ପୁଣି ସରକାର ନିଜ ଆଡ଼ୁ ବଦଳିକୁ ସଂଶୋଧନ କରିଦେଉଛନ୍ତି। କେବଳ ତଳତଳିଆ ଅଧିକାରୀ ନୁହନ୍ତି, ଆଇପିଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ କ୍ଷେତ୍ରରେ ବି ସେପରି ହେଉଛି। ବାରମ୍ବାର ବଦଳୁଥିବା ‘ବଦଳି’ ତାଲିକାକୁ ନେଇ ଏବେ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା। ପ୍ରଶ୍ନ ଉଠୁଛି, ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ କିଛି ଅଧିକାରୀ ଏପରି କରୁଛନ୍ତି ନା ବଦଳି ତାଲିକା ବାହାରିଲା ପରେ ରାଜନୈତିକ ଚାପ ଯୋଗୁ ତାହା ବଦଳିଯାଉଛି?
ଗତ କିଛି ମାସ ମଧ୍ୟରେ ଓଏଏସ୍ ଅଧିକାରୀଙ୍କ ବଦଳି କ୍ଷେତ୍ରରେ ଏହି ବିଡ଼ମ୍ବନା ଅଧିକ ଦେଖାଯାଉଛି। ବାରମ୍ବାର ସେମାନଙ୍କର ବଦଳିକୁ ନେଇ ଲୋକସେବା ଭବନରେ ବସିଥିବା ବାବୁମାନେ ଲୁଚକାଳି ଖେଳୁଛନ୍ତି। ଯେଉଁ ତାଲିକା ବାହାରୁଛି, ତାହାକୁ ଅନେକ ଅଧିକାରୀ ମାନୁ ନାହାନ୍ତି। ତାଲିକା ବାହାରିବାର ଦିନେ ଦୁଇ ଦିନ ଭିତରେ ପୁଣି ବଦଳି ବାତିଲ୍ କରାଯାଉଛି। ଆଉ କିଛି ଅଧିକାରୀ ନୂଆ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଉନାହାନ୍ତି। ୪/୫ ମାସ ପରେ ତାଙ୍କର ବଦଳି ବି ବାତିଲ କରାଯାଇ ଅନ୍ୟତ୍ର ବଦଳି ତାଲିକା ବାହାରୁଛି। ଗତ ମାସରେ ବାହାରିଥିବା ଓଏଏସ୍ ତାଲିକାରେ ଏମିତି ବିସଙ୍ଗତି ଦେଖିବାକୁ ମିଳିଥିଲା। ଏଥିରେ ପାଞ୍ଚ ଜଣ ଅଧିକାରୀଙ୍କର ପୂର୍ବରୁ ହୋଇଥିବା ବଦଳିକୁ ବାତିଲ୍ କରି ନୂଆ ଜାଗାରେ ନିଯୁକ୍ତି ଦିଆଯାଇଥିଲା। ବାରମ୍ବାର ଏପରି ଘଟୁଥିବାରୁ ସେହି ନିର୍ଦ୍ଦେଶନାମାରେ ସରକାରଙ୍କୁ ଧମକ ଦେବାକୁ ପଡ଼ିଲା। ବଦଳି ନିର୍ଦ୍ଦେଶ ନ ମାନିଲେ ଦରମା ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦିଆଗଲା। ପ୍ରଶାସନରେ ଏପରି ଅବ୍ୟବସ୍ଥା କାହିଁକି ବାରମ୍ବାର ଘଟୁଛି, ତାହାର କାରଣ ଖୋଜାଯାଉ ନାହିଁ। କାହା ଇଙ୍ଗିତରେ ବଦଳି ହେଉଛି ଏବଂ କାହା ଇଙ୍ଗିତରେ ତାହାକୁ ବଦଳାଇ ଦିଆଯାଉଛି? ଏପରି କରିବା ଦ୍ବାରା ପ୍ରଶାସନରେ କି କାର୍ଯ୍ୟଦକ୍ଷତା ବୃଦ୍ଧି ପାଉଛି?
ରାଜ୍ୟରେ ମେ’ ୩୦ ତାରିଖରୁ ଏସ୍ଆଇଆର୍ ଆରମ୍ଭ ହେଉଥିବା ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ଘୋଷଣା ହୋଇଛି। ସାଧାରଣତଃ ଏହି ପ୍ରକ୍ରିୟା ବେଳେ ଦାୟିତ୍ବରେ ଥିବା ଅଧିକାରୀଙ୍କର ବଦଳି ହୁଏ ନାହିଁ। ଏଥି ପାଇଁ ନିର୍ବାଚନ କମିସନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ତାହା ସତ୍ତ୍ବେ ୨୬ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦ ଜଣ ପ୍ରଶାସନିକ ଅଧିକାରୀଙ୍କ ଲମ୍ବା ବଦଳି ନିର୍ଦ୍ଦେଶ ବାହାରିଲା। ବଦଳି ତାଲିକା ପ୍ରସ୍ତୁତ କରିଥିବା ଅଧିକାରୀମାନେ ଏହା ଜାଣି ନଥିବେ ତାହା ନୁହେଁ। କିନ୍ତୁ କେଉଁ ଅଦୃଶ୍ୟ ଚାପରେ ତାଲିକା ବାହାର କରି ପରଦିନ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଓଏଏସ୍ ବଦଳି ତାଲିକା ବାରମ୍ବାର ବଦଳୁଛି
ଆଇପିଏସ୍ ବଦଳିରେ ବି ସଂଶୋଧନ ହେଉଛି
ନଗର ଉନ୍ନୟନ ବିଭାଗରେ ଆହୁରି ବିଚିତ୍ର ସ୍ଥିତି
ନଗର ଉନ୍ନୟନ ବିଭାଗରେ ଆଉ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦ ଜଣ ପ୍ରଶାସନିକ ଅଧିକାରୀଙ୍କର ଗୋଟିଏ ତାଲିକା ହୋଇଥିଲା ବେଳେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ବଦଳି ନେଇ ଭିନ୍ନ ନିର୍ଦ୍ଦେଶନାମା ଜାରି ହେଲା। ଏସ୍ଆଇଆର୍ ପାଇଁ ସେହି ୨୦ ଜଣଙ୍କର ବଦଳି ସ୍ଥଗିତ ରହିଥିଲା ବେଳେ ଝାରସୁଗୁଡ଼ା ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଦାୟିତ୍ବମୁକ୍ତ କରିଦିଆଗଲା। ତାଙ୍କୁ ମୂଳ ରାଜସ୍ବ ବିଭାଗକୁ ପଠାଇ ଦିଆଗଲା। ଯଦି ଜଣଙ୍କର ବଦଳି ଆଦେଶ ତତ୍କାଳ କାର୍ଯ୍ୟକାରୀ ହୋଇପାରୁଛି, ତେବେ ଆଉ ୨୦ ଜଣଙ୍କର ସ୍ଥଗିତ ରଖାଯିବାର ମାନେ କ’ଣ, ତାହା ଚର୍ଚ୍ଚାର ବିଷୟ ହୋଇଛି। ଯଦି ୨୦ ଜଣଙ୍କର ସ୍ଥଗିତ ରହିଲା, ତେବେ ଜଣଙ୍କୁ କାହିଁକି ଦାୟିତ୍ବମୁକ୍ତ କରିଦିଆଗଲା? ବିଭାଗର ଏପରି ଅଜବ ନୀତି ପ୍ରଶାସନିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।
କଥା ଏତିକିରେ ଅଟକିନି। ଆଇପିଏସ୍ ଅଧିକାରୀମାନଙ୍କର ବଦଳି ବି ଏପରି ବିଭ୍ରାନ୍ତିରୁ ବାଦ୍ ପଡ଼ିନି। ନିକଟରେ ବିଭିନ୍ନ ଜିଲ୍ଲାର ଏସ୍ପି ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେଲା। ଏହି ତାଲିକାରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ-ସିଆଇଡି ଏସ୍ପି ପରମାର ସ୍ମିତ୍ ପୁରୁଷୋତ୍ତମ ଦାସଙ୍କୁ ନୟାଗଡ଼ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ୨୪ ଘଣ୍ଟା ନ ପୂରୁଣୁ ସେଥିରେ ବି ସଂଶୋଧନ କରାଗଲା। ଶ୍ରୀ ପାତ୍ରଙ୍କ ଘର ଖୋର୍ଦ୍ଧା ହୋଇଥିବାରୁ ତାଙ୍କୁ ଖୋର୍ଦ୍ଧା ପରିବର୍ତ୍ତେ ନୟାଗଡ଼ ପଠାଗଲା। ସ୍ମିତ ପୁରୁଷୋତ୍ତମଙ୍କୁ ଖୋର୍ଦ୍ଧାରେ ନିଯୁକ୍ତି ଦିଆଗଲା। ପ୍ରଶ୍ନ ଉଠୁଛି, ତାଲିକା ପ୍ରସ୍ତୁତି ବେଳେ ଶ୍ରୀ ପାତ୍ରଙ୍କର ଘର ଖୋର୍ଦ୍ଧା ବୋଲି ଗୃହ ବିଭାଗ ପାଖରେ ଖବର ନ ଥିଲା କି?
ସୌଜନ୍ୟ ସମ୍ବାଦ




