ରାଜ୍ୟ

Gen-G voter: ଟାର୍ଗେଟ୍‌ରେ ୭୦ଲକ୍ଷ ଜେନ୍‌-ଜି ଭୋଟର: ରାଜ୍ୟ ରାଜନୀତିରେ ଜେନ୍‌-ଜି ପ୍ରଭାବ ପଡ଼ିବ କି?

ବିଶ୍ବଜିତ ଦାଶ

ଭୁବନେଶ୍ବର: ସବୁ ରାଜନୈତିକ ଦଳ ଫୋକସ୍‌ରେ ଏବେ ଜେନ୍‌-ଜି ଭୋଟର। ଜେନ୍‌-ଜି (ଯେଉଁମାନେ ୧୯୯୭ରୁ ୨୦୧୨ ମସିହା ଭିତରେ ଜନ୍ମ ହୋଇଛନ୍ତି) ସେହିମାନଙ୍କୁ ଏବେ ବିଭିନ୍ନ ରାଜନୈତିକ ଦଳ ଟାର୍ଗେଟ୍ କରୁଛନ୍ତି। କାରଣ ସାମାଜିକ ଗଣମାଧ୍ୟମ ଯୁଗରେ (ଫେସବୁକ୍, ଟ୍ବିଟର୍‌, ହ୍ବାଟସ୍‌ଆପ୍‌) ଏବେ କୌଣସି ପ୍ରସଙ୍ଗ ଉପରେ ଯିଏ ଯେମିତି କାହାଣୀ ସୃଷ୍ଟି କରୁଛନ୍ତି ତାହା ତୁରନ୍ତ ଲକ୍ଷଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ସବୁ ଜେନ୍‌-ଜିଙ୍କ ପାଖରେ ସ୍ମାର୍ଟ ଫୋନ୍‌ ଥିବାରୁ ସେମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଯିଏ ଏହି ବର୍ଗର ଭୋଟରଙ୍କୁ ଅଧିକ ଆକୃଷ୍ଟ କରୁଛି ସେ ହିଁ ନିର୍ବାଚନ ମଇଦାନରେ ଅପ୍ରତ୍ୟାଶିତ ବିଜୟ ହାସଲ କରୁଛି।

ଏହାର ପ୍ରଭାବ ଏବେ ରାଜନୈତିକ ଦଳଗୁଡ଼ିକ ବୁଝୁଥିବାରୁ ସବୁ ଦଳ ଏବେ ସେମାନଙ୍କର ଛାତ୍ର ଓ ଯୁବ ସଂଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶାରେ ଗତ ୨୦୨୪ ନିର୍ବାଚନରେ ନୂଆ ଭୋଟରଙ୍କ ସଂଖ୍ୟା ଥିଲା ୭.୫ଲକ୍ଷ। ଏପରିକି ଜେନ୍‌ ଜି ବର୍ଗ ଅର୍ଥାତ୍ ୨୦ରୁ ୨୯ବର୍ଷ ବର୍ଗରେ ପ୍ରାୟ ୬୯ ଲକ୍ଷ ଭୋଟର ଥିଲେ। ଏବେ ଏହା ବଢ଼ିକି ୭୦ ଲକ୍ଷ ଟପିଲାଣି। ଏହି ବର୍ଗର ଭୋଟର ମୁଖ୍ୟତଃ କୌଣସି ରାଜନୈତିକ ଦଳ ପ୍ରତି ଏକତରଫା ନହୋଇ ପରିବର୍ତ୍ତିତ ପରିସ୍ଥିତି ଏବଂ ଘଟଣାଭିତ୍ତିକ ପ୍ରସଙ୍ଗରେ କେଉଁ ରାଜନୈତିକ ଦଳର କ’ଣ ପକ୍ଷ ରହୁଛି ତାହା ଉପରେ ନଜର ରଖି ମତଦାନ କରୁଛନ୍ତି। ତେଣୁ ଯେଉଁ ଦଳ ଯେତେ ଜେନ୍‌-ଜିଙ୍କୁ ନିଜ ସପକ୍ଷରେ ଆଣିପାରିବ ସେ ଦଳ ଯେକୌଣସି ପରିସ୍ଥିତିରେ ବି ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇଦେବ ତାହା ସବୁ ରାଜନୈତିକ ଦଳ ଭଲ ଭାବେ ବୁଝିସାରିଲେଣି।

ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସିଧାସଳଖ କହିଥିଲେ, ଏବେ ଜେନ୍‌-ଜିଙ୍କ ମନରେ ବିଜେପି ସରକାର ପ୍ରତି ବିରୋଧୀ ଅଧିକ ନକରାତ୍ମକତା ସୃଷ୍ଟି କରିଲେଣି। ଆମକୁ ଏହାକୁ ଦୂର କରିବାକୁ ହେବ। ସାମାଜିକ ଗଣମାଧ୍ୟମରେ ପ୍ରଚାର ଏବଂ ଯୁବ ବର୍ଗଙ୍କ ପାଇଁ ଅଧିକ କାର୍ଯ୍ୟକ୍ରମ କରି ସେମାନଙ୍କ ମନରେ ବିଜେପି ସରକାର ପ୍ରତି ସକାରାତ୍ମକତା ସୃଷ୍ଟି କରିବାକୁ ହେବ। ବିଜେଡି ସରକାର ବି ୨୦୨୪ ନିର୍ବାଚନ ପୂର୍ବରୁ ‘ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ଏବଂ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରିଥିଲା। ହେଲେ ଏଥିରେ ଛାତ୍ରଛାତ୍ରୀ କେବଳ ମଉଜ ମଜଲିସ୍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ପାଇଲେନି। ତତ୍କାଳୀନ ସରକାରୀ ଦଳ ଏହାର ପ୍ରଚାର ପ୍ରସାର ଯେତିକି ନ କଲା ତା’ଠାରୁ ଅଧିକ ଅପପ୍ରଚାର ବିରୋଧୀ କରିବାରେ ସଫଳ ହେଲେ। ବିଜେଡି ରଣନୀତି ଫେଲ୍ ମାରିଲା।

ପାରମ୍ପରିକ ନୁହେଁ, ନୀତି ଓ ସୁଯୋଗଭିତ୍ତିକ ଚିନ୍ତାଧାରା ବଢ଼ୁଛି
କେବଳ ସାମାଜିକ ଗଣମାଧ୍ୟମ ନୁହେଁ, ନେତୃତ୍ବ ନେବା ଭଳି ନେତା ଦରକାର

ସେହିପରି ବିଜେଡି ୨୦୨୪ ସାଧାରଣ ନିର୍ବାଚନରେ ୨୨ଟି ସିଟ୍‌ରେ କମ୍‌ ବ୍ୟବଧାନରେ ହାରଜିତର ସମ୍ମୁଖୀନ ହୋଇଥିଲା। ପ୍ରାୟ ୫% ଏବଂ ଏହାଠାରୁ କମ୍‌ ଭୋଟ୍‌ରେ ୧୧ଟି ଆସନ ଜିତିଥିବାବେଳେ ୧୧ଟି ଆସନ ହାରିଥିଲା। ୧୪ଟି ଆସନରେ ବିଜେଡି ପ୍ରାର୍ଥୀ ବହୁ କମ୍‌ ଭୋଟରେ ହାରିଥିଲେ। ବିଧାନସଭା ନିର୍ବାଚନରେ ବିଜେଡି ସପକ୍ଷରେ ସବୁଠୁ ଅଧିକ ୪୦.୨୨% ଭୋଟ ଥିବାବେଳେ ବିଜେପି ସପକ୍ଷରେ ୪୦.୦୭% ଭୋଟ ଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ବିଜେଡି ଅଧିକ ଭୋଟ ପାଇ ହାରିବା ପଛରେ ଅନେକ କାରଣ ଥିଲେ ବି ଜେନ୍-ଜିଙ୍କ ପଟ ପରିବର୍ତ୍ତନ ସେଥିରୁ ଅନ୍ୟତମ। ବେରୋଜଗାରୀ, ସରକାରୀ ନିଯୁକ୍ତି ନମିଳିବା, ଯୁବବର୍ଗଙ୍କୁ ବ୍ୟବସାୟ କରିବାକୁ ପର୍ଯ୍ୟପ୍ତ ସୁବିଧା ସୁଯୋଗ ନମିଳିବା ଏହାର କାରଣ।

ଅପରପକ୍ଷେ ବିଜେପି ସରକାର ଆସିବା ପରେ ମେଡିକାଲ, ଇଞ୍ଜିନିୟରିଂରୁ ଆରମ୍ଭ କରି ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାରେ ସଂରକ୍ଷଣ ବ୍ୟବସ୍ଥା ବଢ଼ାଇଛନ୍ତି। ଏଥିରେ ଏସ୍‌ଟି ବର୍ଗଙ୍କୁ ୨୨.୫୦%, ଏସ୍‌ସି ବର୍ଗଙ୍କୁ ୧୬.୨୫% ଏବଂ ଓବିସି/ଏସ୍‌ଇବିସି ବର୍ଗଙ୍କୁ ପ୍ରଥମକରି ୧୧.୨୫% ସଂରକ୍ଷଣ ଦେଇଛନ୍ତି। ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ୨୦% ଥିବାବେଳେ ସରକାର ଏହାକୁ ୫୦% କରିଛନ୍ତି। ସାଧାରଣ ବର୍ଗଙ୍କର କୋଟା କମିଥିବାରୁ ଏହାର ମିଶ୍ର ପ୍ରଭାବ ଜେନ୍‌-ଜିଙ୍କ ଉପରେ ପଡ଼ିଛି। କିନ୍ତୁ ବିଜେପି ଏହାଦ୍ବାରା ବଡ଼ ଗୋଷ୍ଠୀଙ୍କୁ ଆକର୍ଷିତ କରିପାରିଛି। ଏବେ ଦେଶରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ବଢ଼ୁଥିବାବେଳେ ନିୟମିତ ନିଯୁକ୍ତି ଦିଆନଯିବା, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା, ପାଠପଢ଼ା ଶେଷ ହେବା ପରେ ତୁରନ୍ତ ଚାକିରି ନମିଳିବାରୁ ରାଜ୍ୟ ଓ ଦେଶ ବାହାରକୁ କାମ ଅନ୍ବେଷଣରେ ଯିବା, ଓଡ଼ିଶାରେ ବଡ଼ ସଫ୍ଟୱେୟାର କମ୍ପାନି ଅଧିକ ନିଯୁକ୍ତି ଦେଉନଥିବାରୁ ବାହାରେ କାମ କରୁଥିବା ଯୁବବର୍ଗ ଓଡ଼ିଶା ଆସିବାକୁ ଇଛୁକ ଥାଇ ବି ନ ଆସିପାରିବା ଭଳି ପ୍ରସଙ୍ଗ ସେମାନଙ୍କ ମନରେ ସରକାରଙ୍କ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି କରୁଛି। ତେଣୁ ଏହା ଜେନ୍‌-ଜିଙ୍କ ମନରେ ଆକ୍ରୋଶ ବଢ଼ାଉଛି। ଏହାକୁ କିପରି ଅଧିକ ଉଗ୍ର କରାଯିବ ସେନେଇ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏହାର ମୁକାବିଲା ପାଇଁ ସରକାରୀ ଦଳ ରଣନୀତି ପ୍ରସ୍ତୁତ କରୁଛି।

 

ଓଡ଼ିଶା ରାଜନୀତିରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେ ଜେନ୍‌-ଜିଙ୍କୁ ପ୍ରଭାବିତ କରିବାକୁ ସାମାଜିକ ଗଣମାଧ୍ୟମକୁ ମାଧ୍ୟମ କରୁଥିଲେ ବି ଏପର୍ଯ୍ୟନ୍ତ ଜେନ୍‌-ଜିଙ୍କୁ ଆନ୍ଦୋଳନମୁହାଁ କରିବା ଭଳି ନେତୃତ୍ବ ତିନି ଦଳରେ ସୃଷ୍ଟି ହେଉନାହାନ୍ତି। ବିଜେପି ମୋଦୀଙ୍କ ନାମରେ ପ୍ରଚାରରେ ମାତିଥିବାବେଳେ ବିଜେଡି ନବୀନଙ୍କ ନାମରେ ଭୋଟ୍ ବଢ଼ିବ ବୋଲି ଭାବୁଛି। କିନ୍ତୁ ସାରା ଦେଶର ରାଜନୈତିକ ସ୍ଥିତି ଦେଖିଲେ ଜାଣି ହେଉଛି, ଜେନ୍-ଜି ମତଦାତାଙ୍କ ମଧ୍ୟରେ ପାରମ୍ପରିକ ନେତା-କେନ୍ଦ୍ରିକ ଆକର୍ଷଣ ଅପେକ୍ଷା ନୀତି ଓ ସୁଯୋଗଭିତ୍ତିକ ଚିନ୍ତାଧାରା ବଢ଼ୁଛି। ଏହି ବର୍ଗର ମତଦାତା ସରକାର ୫ଟଙ୍କାରେ ଭାତ ଡାଲମା ଦେଲେ କି ସୁଭଦ୍ରା ଯୋଜନାରେ ମାସକୁ ୧୦ ହଜାର, ଧାନ କେତେ କିଣା ହେଲେ କେତେ ହେଲାନି ସେଥିରେ ବେଶୀ ପ୍ରଭାବିତ ହେଉନାହାନ୍ତି। ଜେନ୍‌-ଜି କୌଣସି ପ୍ରସଙ୍ଗରେ ହଠାତ୍ ମନ ଓ ମତ ବଦଳାଉଥିବାରୁ ଏହାର ନେତୃତ୍ବ ନେବାକୁ ତିନି ପ୍ରମୁଖ ଦଳରେ ଏବେ ନେତୃତ୍ବ ଅଭାବ ସ୍ପଷ୍ଟ ବାରି ହୋଇପଡ଼ିଲାଣି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button