ଦେଶ ବିଦେଶ

Congress: ଓଏସ୍‌ଏମ୍‌ ବିବାଦକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ସିବିଏସ୍‌ଇ ଅନ ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବିବାଦକୁ ନେଇ କେନ୍ଦ୍ରର ମୋଦୀ ସରକାର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର କଂଗ୍ରେସ ପାର୍ଟି ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅପାରଗତାର ପ୍ରତୀକ ବୋଲି କହି, ତୁରନ୍ତ ପଦ ଛାଡି ‘ରାଜଧର୍ମ’ ପାଳନ କରିବା ଉଚିତ ବୋଲି କହିଛି। ଅନ୍‌ଲାଇନ୍ ଯୁବ ସଂଗଠନ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୁନ୍ ୬ରୁ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସର ଏହି ବୟାନ ଆସିଛି।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ଦାବି ଦୋହରାଇବା ସହିତ ସିବିଏସ୍‌ଇ ବିବାଦକୁ ଭାରତର ଶିକ୍ଷା ଇତିହାସର ସବୁଠାରୁ ବଡ଼ ପ୍ରତିଷ୍ଠାନଗତ ବିଫଳତା ବୋଲି କହିଛି। କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ଏକ ଗଣମାଧ୍ୟମ ରିପୋର୍ଟ ସେୟାର୍ କରି କହିଛନ୍ତି ଯେ, ସପ୍ତାହେ ଧରି ଏହାର ଅନ୍ ସ୍କ୍ରିନ୍ ମାର୍କିଂ (ଓଏସ୍‌ଏମ୍‌) ସିଷ୍ଟମ୍‌ରେ ସାଇବର ସୁରକ୍ଷା ଦୁର୍ବଳତାକୁ ଅସ୍ୱୀକାର କରିବା ପରେ, ଶେଷରେ ସିବିଏସ୍‌ଇ ସ୍ୱୀକାର କରିଛି ଯେ ସିଷ୍ଟମ୍ ବିପଦରେ ରହିଛି। ଓଏସ୍‌ଏମ୍‌ ବ୍ୟବସ୍ଥା ପାଇଁ ଠିକା ନେଇଥିବା କମ୍ପାନି ‘କୋଏମ୍ପ୍ଟ’ ବିରୋଧରେ ସିବିଏସ୍‌ଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି ବୋଲି ରମେଶ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନଙ୍କୁ ସମାଲୋଚନା କରି ରମେଶ କହିଛନ୍ତି, ଦେଶ ଆଉ କେତେଦିନ ଏହାକୁ ସହ୍ୟ କରିବ? ରମେଶ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅହଂକାର ଓ ଅପାରଗତାର ପ୍ରତୀକ କହିବା ସହିତ ତାଙ୍କର ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସିବିଏସ୍ଇର ପୁନଃମୂଲ୍ୟାୟନ ପ୍ରକ୍ରିୟା ଓ ଖର୍ଚ୍ଚକୁ ନେଇ ମୋଦୀ ସରକାରଙ୍କୁ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଯେତେବେଳେ ଶିକ୍ଷାକୁ ସେବା ଭାବରେ ନୁହେଁ ବରଂ ବ୍ୟବସାୟ ଭାବରେ ବିବେଚନା କରାଯାଏ, ସେତେବେଳେ ତ୍ରୁଟି ସଂଶୋଧନ ହୁଏ ନାହିଁ ବରଂ ବହୁଗୁଣିତ ହୁଏ। ସୂଚନାଯୋଗ୍ୟ, ଅନେକ ସିବିଏସ୍ଇ ଦ୍ବାଦଶ ଛାତ୍ରଛାତ୍ରୀ ପୋର୍ଟାଲରେ ଅପଲୋଡ୍ ହୋଇଥିବା ସ୍କାନ କପି ଦେଖିବା ପରେ ଉତ୍ତର ଖାତା ସେମାନଙ୍କର ନୁହେଁ ବୋଲି ଅଭିଯୋଗ କରିଥିଲେ। ସିବିଏସ୍‌ଇ ପରେ ସେମାନଙ୍କୁ ତାଙ୍କ ଉତ୍ତର ଖାତା ପ୍ରଦାନ କରିଥିଲା। କଂଗ୍ରେସ ମିଡିଆ ଓ ପ୍ରଚାର ବିଭାଗ ମୁଖ୍ୟ ପବନ ଖେଡ଼ା ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଖେଡ଼ା ଅଭିଯୋଗ କରିଥିଲେ ଯେ, ୧୨ ବର୍ଷର କୁଶାସନ ଓ ନିରନ୍ତର ପ୍ରଚାର ଭାରତର ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ନଷ୍ଟ କରିଛି। ସିବିଏସ୍‌ଇ ଭ୍ରଷ୍ଟ, ୟୁଜିସି ନଷ୍ଟ ହୋଇଗଲାଣି, ବୈଜ୍ଞାନିକ ଦୃଷ୍ଟିକୋଣ ହ୍ରାସ ପାଇଛି, ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକକୁ ଗେରୁଆ ରଙ୍ଗ କରାଯାଇଛି, ଆର୍‌ଏସ୍‌ଏସ୍‌ ଦ୍ୱାରା କୁଳପତି ନିଯୁକ୍ତି ପାଉଛନ୍ତି ବୋଲି ଖେଡ଼ା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଅନେକ ପେପର ଲିକ୍ ବିଜେପିର ପେପର ଲିକ୍ ମାଫିଆଙ୍କ ସହିତ ସମ୍ପର୍କକୁ ସ୍ପଷ୍ଟ କରିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button