ମହାନଗରରାଜ୍ୟ

The young man: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବ‌ନେଶ୍ବର: ରାଜଧାନୀରେ ପୁଣି ମୁଣ୍ଡ ଟେକିଛି ପୁଷ୍ପା ଗ୍ୟାଙ୍ଗ। ଆଜି କ୍ୟାପିଟାଲ୍‌ ଥାନା ଅଞ୍ଚଳ ୟୁନିଟ୍‌-୨ ମହିଳା ଉଚ୍ଚବିଦ୍ୟାଳୟ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି। ଘରକୁ ଯାଇ ପରିବାରଲୋକଙ୍କୁ ଧମକ ଦେଇ ଫେରାର୍‌ ହୋଇଯାଇଛନ୍ତି। ଖଣ୍ଡାମାଡ଼ରେ ଗୁରୁତର ଫାଳିକିଆ ବସ୍ତିର ହରିକ୍ରିଷ୍ଣା ନାମକ ଜଣେ ଯୁବକଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଆଜିର ଘଟଣାରେ ସମ୍ପୃକ୍ତ ପୁଷ୍ପା ଗ୍ୟାଙ୍ଗର ୪ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥନରେ ଚଢ଼ଉ ଚଳାଇଛି।

ମଙ୍ଗଳବାର ସନ୍ଧ୍ୟାରେ ହରିକ୍ରିଷ୍ଣା ନିକଟ ବଜାରରୁ ଫେରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ। ହରିକ୍ରିଷ୍ଣା ଏହାକୁ ବିରୋଧ କରିବାରୁ ସେମାନଙ୍କ ସହ ପାଟିତୁଣ୍ଡ ‌ହୋଇଥିଲା। ପାଟିଶୁଣି ହରିକ୍ରିଷ୍ଣାଙ୍କ ମା’ ଧାଇଁ ଆସି ଅଟକାଇବାରୁ ତାଙ୍କୁ ମଧ୍ୟ ପାଇପ୍‌ରେ ଆକ୍ରମଣ କରିଥିଲେ। ଏନେଇ ହରିକ୍ରିଷ୍ଣା କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିବାରୁ କିଛି ଯୁବକ ଥାନା ନିକଟକୁ ଯାଇ ଧମକ ଦେଇଥିଲେ, କାଲି ତୋ ପୁଅକୁ ହାଣିବୁ। ତା’ପରେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ଆଜି ଦିନ ପାଖାପାଖି ୧୨ଟାରେ ହରିକ୍ରିଷ୍ଣା ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ପଡ଼ିଆରୁ କ୍ରିକେଟ୍‌ ଖେଳି ଫେରୁଥିବା ସମୟରେ ୪ଜଣ ଯୁବକ ଓ ଜଣେ ଯୁବତୀ ତାଙ୍କୁ ପିଛା କରିଥିଲେ। କିଛିବାଟ ଆସିବା ପରେ ହଠାତ୍‌ ତାଙ୍କୁ ଖଣ୍ଡାରେ ଗୋଡ଼ାଇ ହାଣିଥିଲେ। ସେହି ରାସ୍ତାରେ ଲୋକେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ସାହସ ଜୁଟାଇପାରି ନଥିଲେ। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ଖବରପାଇ ହରିକ୍ରିଷ୍ଣାଙ୍କ ପରିବାରଲୋକ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସପିଟାଲ୍‌ ନେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନର ସିିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ଏମାନେ ପୁଷ୍ପା ଗ୍ୟାଙ୍ଗର ବୋଲି ଚିହ୍ନଟ କରିବା ସହ ଦୁଇମାସ ତଳେ ଅଶୋକନଗର ଅଞ୍ଚଳରେ ହଣାକଟା କରି ଆତଙ୍କ ସୃଷ୍ଟି କରିଥିଲେ ବୋଲି ପୁଲିସ କହିଛି। ଉକ୍ତ ଘଟଣାରେ ବଡ଼ଗଡ଼ ଥାନା ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହାର ମୁଖିଆ ଫେରାର ଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button