5 Multi Storeyed Buildings: ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପାଞ୍ଚ ବହୁତଳ କୋଠା ଓ ୧୩ଟି ମୂଲ୍ୟବାନ୍ ପ୍ଲଟ୍, ଘରୁ ନଗଦ ୨.୬୬ ଲକ୍ଷଟଙ୍କା ଜବତ

ବାଲିଗୁଡ଼ା/ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନ୍ଧମାଳଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ପଶିଲା ଘରେ ଭିଜିଲାନ୍ସ । ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ସଂପତ୍ତି ଦେଖି ତାଜୁବ୍ ହୋଇଯାଇଛନ୍ତି ଭିଜିଲାନ୍ସ ଟିମ୍। ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ୫ଟି ବହୁମହଲା କୋଠା (ରାଜଧାନୀରେ ୪ଟି ପାଲାସିଆଲ୍ କୋଠା), ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଥିବା ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ଠାବ କରିଛି। ଏହାଛଡ଼ା ତାଙ୍କ ଘରୁ ନଗଦ ୨ଲକ୍ଷ ୬୬ ହଜାର ଟଙ୍କା ମିଳିଛି। ବିପୁଳ ପରିମାଣର ସୁନା, ହୀରା ଓ ରୁପା ଅଳଙ୍କାର ବି ଠାବ ହୋଇଛି। ଏଣେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଦୁଇଟି ଲକର୍ ଏଯାବତ୍ ଖୋଲାଯାଇ ନଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରୁ ଗୋଟିଏ ଭୁବନେଶ୍ବରର ଆକ୍ସିସ୍ ବ୍ୟାଙ୍କ ଓ ଆରଟି ୟୁବିଆଇରେ ଥିବା ଜଣାଯାଇଛି।
ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ
ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ତାଙ୍କର ଭୁବନେଶ୍ୱର, ବାରିପଦା, ଧର୍ମଶାଳା (ଯାଜପୁର) ଏବଂ ବାଲିଗୁଡ଼ା (କନ୍ଧମାଳ)ରେ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏନେଇ ସଂପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରାଯାଇଛି।
ସୌଜନ୍ୟ ସମ୍ବାଦ




