ଦେଶ ବିଦେଶ

Lipulekh: ଲିପୁଲେଖ ବିବାଦ ମଧ୍ୟରେ ଭାରତ-ଚୀନ୍‌ ସୀମା ବାଣିଜ୍ୟ ନେଇ ଚିନ୍ତା ପ୍ରକାଶ କଲେ ନେପାଳ ବିଦେଶ ମନ୍ତ୍ରୀ

ନୂଆଦିଳ୍ଲୀ: ଲିପୁଲେଖଗିରିପଥକୁ ନେଇ ବିବାଦ ମଧ୍ୟରେ ନେପାଳ ବିଦେଶ ମନ୍ତ୍ରୀ ଶିଶିର୍‌ ଖାନଲ ରବିବାର କହିଛନ୍ତି ଯେ, ନେପାଳ ଭାରତ ସହିତ ଏହାର ସୀମା ବିବାଦର ସମାଧାନ ‘‌ଖୋଲା ହୃଦୟ’ରେ କରିବାକୁ ଚାହୁଛି। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ଖାନଲ କହିଛନ୍ତି, ନେପାଳ ଏହି ପ୍ରସଙ୍ଗ କୂଟନୀତି ମାଧ୍ୟମରେ ସମାଧାନ କରିବାକୁ ଚାହୁଛି। ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଓ ବାଣିଜ୍ୟ ମାର୍ଗର ନବୀକରଣକୁ ନେଇ ନେପାଳର ବିଦେଶ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆସିଛି। ଗତବର୍ଷ ଭାରତ ଓ ଚୀନ୍ ‌ସେମାନଙ୍କ ସମ୍ପର୍କ ନବୀକରଣ କରିବା ସହିତ ସିଧାସଳଖ ବିମାନ ସେବା, ଭିସା ଓ କୈଳାସ ମାନସରୋବର ଯାତ୍ରା ପୁନଃଆରମ୍ଭ କରିବାକୁ ଘୋଷଣା କରିଥିଲେ।

ତେବେ ଭାରତ ଓ ଚୀନ୍‌ ସୀମାକୁ ଲାଗି ରହିଥିବା‌ ନେପାଳ କାଲାପାନି ଓ ଲିପୁଲେଖ ଅଞ୍ଚଳକୁ ତୀର୍ଥଯାତ୍ରା ଓ ଭାରତ-ଚୀନ୍ ବାଣିଜ୍ୟ ପାଇଁ ବ୍ୟବହାର କରିବା ଉପରେ ଆପତ୍ତି ଉଠାଇଥିଲା। ଭାରତ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରି ଖାନଲ କହିଛନ୍ତି ଯେ, ତୀର୍ଥଯାତ୍ରା ବିଭିନ୍ନ ସୀମା ପ୍ରବେଶପଥ ଦେଇ କରାଯାଉଥିବାବେଳେ ଭାରତ ଓ ଚୀନ୍ ଦ୍ୱାରା କାଲାପାନି ଓ ଲିପୁଲେଖ ଅଞ୍ଚଳ ବ୍ୟବହାର କରିବାକୁ ନେଇ ମୁଖ୍ୟତଃ ଚିନ୍ତା ରହିଛି। ଖାନଲ କହିଛନ୍ତି, କାଲାପାନି ଓ ଲିପୁଲେଖ ଅଞ୍ଚଳ ନେଇ ଭାରତ ଓ ଚୀନ ସେମାନଙ୍କ ଚୁକ୍ତି ନବୀକରଣ କରିଥିବାବେଳେ ଏହି ଅଞ୍ଚଳ ନେପାଳ ଅଧୀନରେ ଆସୁଥିବାବେଳେ ଦୁଇ ଦେଶ ନିଜ ନିଜ ମଧ୍ୟରେ କୌଣସି ଚୁକ୍ତି କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଲିପୁଲେଖ ଗିରିପଥକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ରହିଥିଲା। ୨୦୨୦ରେ ନେପାଳର ରାଜ‌ନୈତିକ ମାନଚିତ୍ରରେ ଲିମ୍ପିୟାଧୁରା, କାଲାପାନି ଓ ଲିପୁଲେଖକୁ ନେପାଳ ଅଞ୍ଚଳ ଭାବେ ଦର୍ଶାଇବା ପରେ ବିବାଦ ଅଧିକ ତୀବ୍ର ହୋଇଥିଲା। ନେପାଳର ଦାବି ଯେ, ୧୮୧୬ ସୁଗୋଲି ଚୁକ୍ତି ଅନୁଯାୟୀ ସେହିସବୁ ଅଞ୍ଚଳ ନେପାଳର ଅଂଶବିଶେଷ। ୧୮୬୫ ମସିହାରେ ଭାରତରେ ଥିବା ବ୍ରିଟିଶମାନେ ଲିପୁଲେଖ ନିକଟବର୍ତ୍ତୀ ସୀମାକୁ କାଲାପାନି ନଦୀର ଜଳବିଭାଜକକୁ ସ୍ଥାନାନ୍ତରିତ କରିଥିଲେ, ଯାହା କାଲାପାନି ଅଞ୍ଚଳ ଭାବରେ ପରିଚିତ ହୋଇଥିଲା। ବ୍ରିଟିଶଙ୍କ ଠାରୁ ସ୍ୱାଧୀନତା ପରେ ଏହି ଅଞ୍ଚଳଗୁଡ଼ିକ ଭାରତ ଅଧୀନକୁ ଆସିଥିଲା।

କିନ୍ତୁ କାଠମାଣ୍ଡୁର ଦାବି ଯେ, ଏହିସବୁ ଅଞ୍ଚଳ କାଳୀ ନଦୀର ପୂର୍ବକୁ ଥିବାରୁ ନେପାଳ ଅଧୀନସ୍ଥ ଅଞ୍ଚଳ ଭାବେ ପରିଗଣିତ ହେବ। ନେପାଳର ଏହି ଦାବିକୁ ଭାରତ ତୀବ୍ର ନିନ୍ଦା କରିବା ସହିତ ୨୦୨୦ ନେପାଳ ମାନଚିତ୍ରକୁ ଏକପାଖିଆ ଓ ଅଗ୍ରହଣୀୟ ବୋଲି କହିଛି। ସେହିପରି ଲିପୁଲେଖ ଗିରିପଥ ଉତ୍ତରାଖଣ୍ଡ ରାଜ୍ୟ ଅନ୍ତର୍ଗତ ଆସୁଛି ବୋଲି ନୂଆଦିଲ୍ଲୀ କହିଛି। ୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ପରଠାରୁ ଏହି ଗିରିପଥ ଭାରତ ନିୟନ୍ତ୍ରଣ ଓ ପ୍ରଶାସନ ଅଧୀନ‌ରେ ରହିଥିବାରୁ ଏହା ଭାରତର ବୋଲି ନୂଆଦିଲ୍ଲୀ ଦାବି କରିଛି। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ କୂଟନୀତି ଓ ଆଲୋଚନା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧ।

ସୌଜନ୍ୟ ସମ୍ବାଦ

Show More
Back to top button