
ପାରଳାଖେମୁଣ୍ଡି: ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ତଥା ଐତିହାସିକ ମହେନ୍ଦ୍ରଗିରି ପର୍ବତ ଶିଖରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଭବ୍ୟ “ମହେନ୍ଦ୍ର ମେଳା” ମଙ୍ଗଳବାର ପୂର୍ଣ୍ଣାହୁତି ସହ ଶେଷ ହୋଇଛି। ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ମହେନ୍ଦ୍ରାଞ୍ଚଳକୁ ଭକ୍ତି, ସଂସ୍କୃତି ଓ ଆସ୍ଥାର ଏକ ବିରାଟ କେନ୍ଦ୍ରରେ ପରିଣତ କରିଥିଲା।
ଶିଖରରେ ପହଞ୍ଚି ମହେନ୍ଦ୍ରେଶ୍ୱରଙ୍କ ଦର୍ଶନ କରିଥିଲେ
ପବିତ୍ର ଯୋଡ଼ା ଜ୍ୟେଷ୍ଠ ମହାସଂଯୋଗ ଅବସରରେ ମହେନ୍ଦ୍ରଗିରିରେ ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଜନସମାଗମ ଦେଖିବାକୁ ମିଳିଥିଲା। ମେଳାର ଶେଷ ଦିନରେ ମଧ୍ୟ ହଜାର ହଜାର ଭକ୍ତ କଠିନ ପାହାଡ଼ିଆ ପଥ ଅତିକ୍ରମ କରି ମହେନ୍ଦ୍ରଗିରି ଶିଖରରେ ପହଞ୍ଚି ମହେନ୍ଦ୍ରେଶ୍ୱରଙ୍କ ଦର୍ଶନ କରିଥିଲେ। ପୂର୍ଣ୍ଣାହୁତି ଯଜ୍ଞରେ ଅଂଶଗ୍ରହଣ କରିବା ସହ ମେଳାର ଶେଷ ମୁହୂର୍ତ୍ତକୁ ଉପଭୋଗ କରି ଅନେକ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇପଡ଼ିଥିଲେ। ମେଳାର ନଅ ଦିନ ଧରି ମହେନ୍ଦ୍ରଗିରି ପାଦଦେଶରୁ ଶିଖର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇ ରହିଥିଲା। ପ୍ରଥମ ବର୍ଷରେ ଏହି ଆୟୋଜନ ମହେନ୍ଦ୍ରଗିରିର ଆଧ୍ୟାତ୍ମିକ ମହିମା ସହିତ ଏହାର ପର୍ଯ୍ୟଟନ ଓ ସାଂସ୍କୃତିକ ସମ୍ଭାବନାକୁ ମଧ୍ୟ ନୂତନ ପରିଚୟ ଦେଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ମେଳାର ଅନ୍ୟତମ ଆକର୍ଷଣ ଥିଲା। ଜ୍ୟେଷ୍ଠ ମାସର ଶେଷ ଭାଗରେ ପଡ଼ୁଥିବା ଏହି ବିଶେଷ ସଂଯୋଗ ଅବସରରେ ମହେନ୍ଦ୍ରଗିରି ସ୍ଥିତ କୁନ୍ତୀ, ଯୁଧିଷ୍ଠିର ଓ ଭୀମ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଏବଂ ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ ଯଜ୍ଞ, ମନ୍ତ୍ରୋଚ୍ଚାରଣ ଓ ହରିନାମ ସଂକୀର୍ତ୍ତନରେ ସମଗ୍ର ପର୍ବତାଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ମେଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିବା ବେଳେ ମହାମହିମ ରାଜ୍ୟପାଳଙ୍କ ଉପସ୍ଥିତି ମୁଖ୍ୟ ଆକର୍ଷଣ ପାଲଟିଥିଲା। ଶେଷ ଦିନରେ ପରିବହନ କମିଶନର ଅମିତାଭ ଠାକୁର, ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସ୍ପି ପ୍ରହଲ୍ଲାଦ ସହାୟ ମିନା ଓ ବିଶ୍ୱହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସଂଗଠନ ମହାମନ୍ତ୍ରୀ ପଣ୍ଡିତ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ବର୍ଷର ଏହି ବିଶାଳ ଆୟୋଜନ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମାପନ ହୋଇଛି।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାର ପରିଚାଳନାରେ ଯଜ୍ଞ ପରିଚାଳନା କମିଟି ସଭାପତି ଜୁରିଆ ଜାନି, ସମ୍ପାଦକ ତଥା ଏସ୍ଡିସି ଅଧ୍ୟକ୍ଷ କାମଦେବ ବଡ଼ନାୟକ, ମହେନ୍ଦ୍ର ଆଶ୍ରମର ସ୍ୱାମୀ ଭାସ୍କର ତୀର୍ଥ, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଶବର ସମାଜର ସର୍ବୋଚ୍ଚ ସଭାପତି ଦଳପତି ମଣ୍ଡଳ, ସର୍ବୋଚ୍ଚ ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ, ସମ୍ପଦ ନାୟକ ଓ ମହେନ୍ଦ୍ର ଉନ୍ନୟନ କମିଟିର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପ୍ରଥମ ବର୍ଷର ଏହି ଆୟୋଜନ ପରେ ମହେନ୍ଦ୍ର ମେଳା ଆଗାମୀ ଦିନରେ ଏକ ସ୍ଥାୟୀ ପରମ୍ପରାରେ ପରିଣତ ହେବା ସହ ମହେନ୍ଦ୍ରଗିରିକୁ ଓଡ଼ିଶାର ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରାଯାଇଛି ।
ସୌଜନ୍ୟ ସମ୍ବାଦ




