ରାଜ୍ୟ

Confusion: ଏସ୍‌ଆଇଆର୍‌ରେ ସାମିଲ ହେବା ନେଇ ଦ୍ୱନ୍ଦ୍ୱ

ପାହାଡ଼, ଜଙ୍ଗଲଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ବାସ କରୁଛନ୍ତି ବହୁ ତିବ୍ବତୀୟ ଶରଣାର୍ଥୀ। ପ୍ରାୟ ୬୭ ବର୍ଷ ତଳେ ତିବ୍ବତ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା.....

ପାରଳାଖେମୁଣ୍ଡି/ଚନ୍ଦ୍ରଗିରି: ପାହାଡ଼, ଜଙ୍ଗଲଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ବାସ କରୁଛନ୍ତି ବହୁ ତିବ୍ବତୀୟ ଶରଣାର୍ଥୀ। ପ୍ରାୟ ୬୭ ବର୍ଷ ତଳେ ତିବ୍ବତ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ ବଂଶଧରମାନେ ଆଜି ଗଜପତିରେ ଚତୁର୍ଥ ପିଢ଼ିରେ ପହଞ୍ଚିଛନ୍ତି। ତଥାପି ଭାରତୀୟ ନାଗରିକର ପରିଚୟ ଓ ଗଣତାନ୍ତ୍ରିକ ଅଧିକାର ପ୍ରାପ୍ତିକୁ ନେଇ ରହିଛି ଦ୍ୱନ୍ଦ୍ବ। କାରଣ ଗତ ୩୦ ତାରିଖରୁ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତିବ୍ବତୀୟ ଶରଣାର୍ଥୀଙ୍କୁ ଏହି ପ୍ରକିୟାରେ ସାମିଲ କରାଯାଇନାହିଁ।

ବର୍ତ୍ତମାନ ମୋହନା ଓ ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରଗିରି, ଲାବରାସିଂ, ମହେନ୍ଦ୍ରଗଡ଼, ଟଙ୍କିଲିପାଦର ଓ ଜିରାଙ୍ଗ ଭଳି ପାଞ୍ଚଟି କ୍ୟାମ୍ପରେ ପ୍ରାୟ ୨ ହଜାରରୁ ଅଧିକ ତିବ୍ବତୀୟ ବସବାସ କରୁଛନ୍ତି।  ଏତେ ବର୍ଷ ଧରି ଭାରତରେ ରହିଥିଲେ ମଧ୍ୟ ସମସ୍ତ ତିବ୍ବତୀୟ ଭୋଟ ଅଧିକାର ପାଇ ପାରିନଥିବା ବେଳେ ଭାରତୀୟ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭାରତରେ ଜନ୍ମଗ୍ରହଣ କରିଥିବା ତିବ୍ବତୀୟମାନେ ହିଁ ଭାରତୀୟ ନାଗରିକତ୍ୱ ଦାବି କରି ଭୋଟର ତାଲିକାରେ ସାମିଲ ହୋଇପାରିବେ। କିନ୍ତୁ ଆବଶ୍ୟକ ଦଲିଲପତ୍ର, ପ୍ରଶାସନିକ ପ୍ରକ୍ରିୟା ଓ ଆଇନଗତ ଜଟିଳତା କାରଣରୁ ଅନେକ ତିବ୍ବତୀୟ ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି।

ଗତ ୨୦୨୪ ସାଧାରଣ  ନିର୍ବାଚନରେ ଗଜପତି ଜିଲ୍ଲାରୁ ମୋଟ ୪୨ ତିବ୍ବତୀୟ ଭୋଟପ୍ରକିୟାରେ ସାମିଲ ହୋଇ ମତଦାନ କରିଥିଲେ।  ନିକଟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ମଧ୍ୟ କିଛି ତିବ୍ବତୀୟ ପରିବାର ନିଜ ନାମ ତାଲିକାରେ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ମଧ୍ୟ ତିବ୍ବତୀୟ ଶରଣାର୍ଥୀଙ୍କୁ  ସାମିଲ କରାଯାଇ ନାହିଁ । ୨୦୦୨ ମସିହା ପୂର୍ବରୁ ବସବାସ କରୁଥିବାର ପ୍ରମାଣପତ୍ର ଆଧାରରେ ତଥ୍ୟ ସଂଗ୍ରହ କରାଯାଉଥିବାରୁ ତିବ୍ବତୀୟ ବସତି ଥିବା ଅଞ୍ଚଳରେ ୪ଟି ବୁଥ୍‌ର ସର୍ଭେ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଫଳରେ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ସାମିଲ ହେବା ନେଇ ଦ୍ୱନ୍ଦ୍ବ ଦେଖାଦେଇଛି। ସେମାନେ ଧର୍ମଶାଳାରେ ଥିବା କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନକୁ ଜଣାଇଛନ୍ତି, ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି। ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button