ଜିଲ୍ଲାରାଜ୍ୟ
Defective books: ତ୍ରୁଟିପୂର୍ଣ୍ଣ ବହି ପଢ଼ିବେ ପିଲା: ଏବର୍ଷ ପ୍ରତ୍ୟାହାର ହେବନି ପାଠ୍ୟପୁସ୍ତକ, ୨୦୨୭-୨୮ରେ ସଂଶୋଧିତ ବହି ଆସିବ
ଏବର୍ଷ ଆଉ ବଦଳିବନି ବହି। ମାଳମାଳ ତ୍ରୁଟି ଥିବା ବହିଗୁଡ଼ିକୁ ପିଲାମାନେ ପଢ଼ିବେ। ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ ପିଲାମାନେ କର୍ଣ୍ଣାଟକ ବିଧାନସଭାର ଚିତ୍ର ପୁସ୍ତକରେ ଦେଖିବେ। ବ୍ରହ୍ମପୁର ସହରକୁ ଏକ ଜିଲ୍ଲା ଭାବେ ପଢ଼ିବେ।

ଭୁବନେଶ୍ବର: ଏବର୍ଷ ଆଉ ବଦଳିବନି ବହି। ମାଳମାଳ ତ୍ରୁଟି ଥିବା ବହିଗୁଡ଼ିକୁ ପିଲାମାନେ ପଢ଼ିବେ। ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ ପିଲାମାନେ କର୍ଣ୍ଣାଟକ ବିଧାନସଭାର ଚିତ୍ର ପୁସ୍ତକରେ ଦେଖିବେ। ବ୍ରହ୍ମପୁର ସହରକୁ ଏକ ଜିଲ୍ଲା ଭାବେ ପଢ଼ିବେ। କେଉଁଠି ଆକାର ନ ଥିବା ଶବ୍ଦ ପଢ଼ିବେ ତ ଆଉ କେଉଁଠି ଇଂରାଜୀରେ ଭୁଲ୍ ବାକ୍ୟ ପଢ଼ିବେ। କ୍ଲାସ୍ ଚାଲିଥିବା ସମୟରେ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ପିଲାଙ୍କୁ ବହିରେ ସଂଶୋଧନ କରି ପଢ଼ିବାକୁ କହିବେ। ଯେଉଁମାନେ ସଂଶୋଧନ କରି ନ ପାରିବେ ସେମାନଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ ଯୋଗାଇ ଦେବେ। ବିଶେଷକରି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିବେ। ବହି ପ୍ରତ୍ୟାହାର କରିବା ଏବେ ସମ୍ଭବପର ନୁହେଁ ବୋଲି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା
ଓ ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି) ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ଆଜି କହିଛନ୍ତି।
ଏବର୍ଷ ପ୍ରତ୍ୟାହାର ହେବନି ପାଠ୍ୟପୁସ୍ତକ
୨୦୨୭-୨୮ରେ ସଂଶୋଧିତ ବହି ଆସିବ
କୋର୍ କମିଟିର କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ
‘ମାଇନର୍ ମିସ୍ଟେକ୍’ କହି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘଟଣାକୁ ହାଲୁକା ଭାବେ ନେଇଥିବା ବେଳେ ଆଜି ନିର୍ଦ୍ଦେଶିକା ଶ୍ରୀମତୀ ସାହୁଙ୍କ ବକ୍ତବ୍ୟ ଚିନ୍ତାଜନକ ହୋଇଛି। ସେ କହିଛନ୍ତି ଯେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନ ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତି ସରିଯାଇଛି। ପିଲାମାନଙ୍କୁ ବଣ୍ଟାଯାଇଛି। ପରବର୍ତ୍ତୀ ସମୟରେ ଯେଉଁ ତ୍ରୁଟିଗୁଡ଼ିକ ସାମନାକୁ ଆସିଥିଲା ଏସ୍ସିଇଆର୍ଟି ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି। ସେମାନେ ତ୍ରୁଟିଗୁଡ଼ିକ ସଂଶୋଧନ କରି ପିଲାଙ୍କୁ ପଢ଼ାଇବେ। ନିର୍ଭୁଲ ଭାବେ ତ୍ରୁଟିଗୁଡ଼ିକୁ ଶ୍ରେଣୀଗୃହରେ ପଏଣ୍ଟ ଆଉଟ୍ କରିବେ। ଛୋଟ ପିଲାମାନଙ୍କ ବହିରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରାଇବେ ଏବଂ ବଡ଼ ପିଲାମାନେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧନ କରି ପଢ଼ିବେ। ଆସନ୍ତାବର୍ଷ ତଥା ୨୦୨୭-୨୮ ଶିକ୍ଷାବର୍ଷ ସଂସ୍କରଣରେ ବହିଗୁଡ଼ିକ ନିର୍ଭୁଲ ଭାବେ ପ୍ରକାଶ ପାଇବ। ଆଉ ଯେପରି ତ୍ରୁଟି ନ ହେବ ସେଥିପାଇଁ ଆମେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବୁ ବୋଲି ସେ କହିଥିଲେ।
ଏହାରି ଭିତରେ ସିଲାବସ୍ ଓ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ ଗଠିତ କୋର୍ କମିଟିର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି। କମିଟିରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସହ ଜଡ଼ିତ ଥିବା ବଛାବଛା ୨୪ ଜଣ ଶିକ୍ଷାବିତ୍ ସଦସ୍ୟ ରହିଥିଲେ ମଧ୍ୟ ତ୍ରୁଟିକୁ କିଭଳି ଧରିପାରିଲେ ନାହିଁ ତାହା ଏବେ ସନ୍ଦେହ ଘେରରେ। ଗଣଶିକ୍ଷା ସଚିବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ସଦସ୍ୟ ରହିଥିଲେ।
ଏମାନଙ୍କ ବ୍ୟତୀତ ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ, ଏନ୍ସିଇଆର୍ଟି ପ୍ରତିନିଧି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୋପାଳର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋପାଳପ୍ରସାଦ ମହାପାତ୍ର, ଶିକ୍ଷାବିତ୍ କିଶୋର ଚନ୍ଦ୍ର ମହାନ୍ତି, ଏନ୍ସିଇଆରଟିର ବିନୟ ପଟ୍ଟନାୟକ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ସୁଶାନ୍ତ କୁମାର ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲଳିତ କୁମାର ଲେଙ୍କା, ରମାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସରୋଜଲକ୍ଷ୍ମୀ ସିଂ, ଇଂରାଜୀ ବିଶେଷଜ୍ଞ ଖଗେଶ୍ବର ଦାସ, ମାଇକ୍ରୋବାୟୋଲୋଜି ପ୍ରଫେସର ବଳରାମ ସାହୁ, ପଦାର୍ଥ ବିଜ୍ଞାନ ବିଶେଷଜ୍ଞ ଗୌରାଙ୍ଗ ମହାନ୍ତି ସଦସ୍ୟ ରହିଥିଲେ। ଏସ୍ସିଇଆର୍ଟି ନିର୍ଦ୍ଦେଶକ କମିଟିର ସଦସ୍ୟ ସଚିବ ଭାବେ ରହିଥିଲେ।
କମିଟିର ସଦସ୍ୟମାନେ ଏଭଳି ତ୍ରୁଟିକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। ଜଣେ ସଦସ୍ୟ କହିଛନ୍ତି ଯେ ପାଠ୍ୟପୁସ୍ତକ ମୋ ପାଖକୁ ଆସିବା ପରେ ଦୁଇ ଥର ସଂଶୋଧନ କରିଛି। ଶବ୍ଦ, ବାକ୍ୟ ଯେପରି ଠିକ୍ ରୁହେ ତାହା ଦେଖିଥିଲି। ଏହା ପରେ ବି ଏଭଳି ତ୍ରୁଟି କିଭଳି ରହିଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଅବଶ୍ୟ ପୁସ୍ତକ ପ୍ରକାଶ ହେବାକୁ ଯିବା ପୂର୍ବରୁ ଆମକୁ ଚୂଡ଼ାନ୍ତ କପି ଦେଖାଯାଇ ନ ଥିଲା। ଡିଟିପି କିମ୍ବା ପ୍ରିଣ୍ଟିଂରେ ତ୍ରୁଟି ହୋଇଥାଇପାରେ ବୋଲି ସେ କହିଛନ୍ତି।
ବନ୍ଦ ହୋଇନି ବହି ଛପା
ଭୁବନେଶ୍ବର: ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ହୋଇଥିବା ସମ୍ପର୍କରେ ଏପ୍ରିଲ ମାସରୁ ଜଣାପଡ଼ିଲାଣି। ତଥାପି ପୁସ୍ତକ ଛାପିବା ଉପରେ ରୋକ୍ ଲଗାଯାଉ ନାହିଁ। ବରଂ ସରକାରୀ ବାବୁମାନେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛାପି ଚାଲିଛନ୍ତି। ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖି ଗଣଶିକ୍ଷା ବିଭାଗ ଅଧିକାରୀମାନେ ସରକାରୀ କଳର ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି। ଏପରିକି ଏତେ ତମ୍ବିତୋଫାନ ପରେ ମଧ୍ୟ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପା ଚାଲିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ତ୍ରୁଟିକୁ ଖାମଖିଆଲ ଭାବେ ଗ୍ରହଣ କରିଛନ୍ତି। ଯେଉଁ ବାହାର ପ୍ରେସ୍ଗୁଡ଼ିକୁ ବହି ଛାପିବାକୁ ଦିଆଯାଇଥିଲା ସେମାନେ ମଧ୍ୟ ବହି ଆଣି ଦାଖଲ କରୁଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସଂସ୍ଥାର ଗୋଦାମ ଘରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷ ପାଠ୍ୟପୁସ୍ତକ ଗଚ୍ଛିତ ରହିଛି। ବହିଗୁଡ଼ିକ ତ୍ରୁଟିପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାହାର କରାଯାଉ ନାହିଁ କି ବାଣ୍ଟିବା ଦିଗରେ ଅଙ୍କୁଶ ଲାଗୁନି। ପ୍ରତିଦିନ ସକାଳୁ ସଂସ୍ଥାର ଗୋଦାମ ଗୃହରେ ଏକାଧିକ ଗାଡ଼ିରେ ପୁସ୍ତକଗୁଡ଼ିକୁ ଲଦାଯାଇ ଜିଲ୍ଲା ଓ ବ୍ଲକ୍ସ୍ତରକୁ ପଠାଯାଉଛି। ଏପରିକି ୧୦ଚକିଆ ଟ୍ରକ୍ରେ ପ୍ରିଣ୍ଟିଂ ପ୍ରେସ୍ରୁ ଏଠାକୁ ହଜାର ହଜାର ବହି ଆସି ଗୋଦାମ ଗୃହରେ ଗଚ୍ଛିତ ହୋଇ ରହୁଛି। ଏତେ ସଂଖ୍ୟକ ତ୍ରୁଟି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କେଉଁଭଳି ଭାବେ ବହି ପ୍ରସ୍ତୁତ କରିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି ଯେ ଆଗରୁ ପ୍ରୁଫ୍ ରିଡିଂ ହେଉଥିଲା। ଏବେ ଆଉ ହେଉ ନାହିଁ। ପୁସ୍ତକ ଛପା ବିଭ୍ରାଟ ପଛର ମୁଖ୍ୟ କାରଣ ହେଉଛି ପ୍ରୁଫ୍ ରିଡିଂ ନ ହେବା ଏବଂ ସଂଶୋଧନରେ ଚରମ ଅବହେଳା ପ୍ରଦର୍ଶନ। ବହିଗୁଡ଼ିକ ଛପା ହେବା ପୂର୍ବରୁ ଏସ୍ସିଇଆରଟି ପକ୍ଷରୁ କୌଣସି ପ୍ରକାରର ପ୍ରୁଫ୍ ରିଡିଂ କିମ୍ବା ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ସରକାରୀ ସଂସ୍ଥା ହୋଇଥିଲେ ମଧ୍ୟ ୭୫ ପ୍ରତିଶତ ପୁସ୍ତକ ଛାପିବାକୁ ବାହାର ସଂସ୍ଥାକୁ ଦିଆଯାଉଛି। ଆମର ଏଠାରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି। ଯେଉଁଥିପାଇଁ କାମ ହୋଇ ପାରୁନାହିଁ। ତଥାପି ଏଠାରେ ବର୍ଷକୁ ଏକ କୋଟି ବହି ଛପାଯାଉଛି। ଏବେ ସୁଦ୍ଧା ୭୦ ଲକ୍ଷ ବହି ଛପାଯାଇ ପଠାଯାଇଛି। ବାକି ବହିର ଛପା କାର୍ଯ୍ୟ ଜାରି ରହିଛି।
୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୭୩ ଲକ୍ଷ ୮୨ ହଜାର ୫୦ ପାଠ୍ୟପୁସ୍ତକ ଆବଶ୍ୟକ ଥିଲା। ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୫୫୦, ମୟୂରଭଞ୍ଜ ପାଇଁ ୧୮ ଲକ୍ଷ ୪୧ ହଜାର ୬୦୦, ବାଲେଶ୍ବର ପାଇଁ ୧୫ ଲକ୍ଷ ୫୫ ହଜାର ୯୦୦, କେନ୍ଦୁଝର ପାଇଁ ୧୩ ଲକ୍ଷ ୫୫ ହଜାର ୬୦, କଟକ ପାଇଁ ୧୨ ଲକ୍ଷ ୪୮ ହଜାର ୫୦୦, ଯାଜପୁୁର ପାଇଁ ୧୨ ଲକ୍ଷ ୨୮ ହଜାର ୭୫୦ ପାଠ୍ୟପୁସ୍ତକ ଯୋଗାଣ କରିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ୨୦୨୫ ସେପ୍ଟେମ୍ବର ମାସରେ ଏସ୍ସିଇଆର୍ଟି ପକ୍ଷରୁ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଆଧାରରେ ପୁସ୍ତକ ପ୍ରସ୍ତୁତି ଚାଲିଥିଲା। ନିୟମିତ ବ୍ୟବଧାନରେ ବିଭିନ୍ନ କମିଟିର ବୈଠକ ବସିବା ସହ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟାଳୟସ୍ତରରେ କିଭଳି ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। ଏବେ ସୁଦ୍ଧା ୯୮% ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତିନି ଦିନ ତଳେ କହିଥିଲେ। ମାତ୍ର ବାସ୍ତବ ଚିତ୍ର ଭିନ୍ନ। ସଂସ୍ଥାର ନିର୍ଦ୍ଦେଶକ ସମ୍ବିତ୍ କୁମାର ନାୟକଙ୍କୁ ଏ ନେଇ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି।
ସୌଜନ୍ୟ ସମ୍ବାଦ




