Knockout: କଙ୍ଗୋର ସଫଳ ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ: ପ୍ରଥମ ବିଜୟ ସହ ନକ୍ଆଉଟ୍ରେ
ୟୋଆନା ୱିସାଙ୍କ ଯୁଗଳ ଗୋଲ୍ରେ ୫୨ ବର୍ଷ ପରେ ବିଶ୍ବକପ୍ ଖେଳୁଥିବା କଙ୍ଗୋ ନକ୍ଆଉଟ୍ରେ ପ୍ରବେଶ କରିଛି। ରବିବାର ଗ୍ରୁପ୍-କେ’ର ଏକ ମ୍ୟାଚ୍ରେ ଏହି ଦଳ ୩-୧ ଗୋଲ୍ରେ ଉଜ୍ବେକିସ୍ତାନକୁ ହରାଇ ଶ୍ରେଷ୍ଠ ତୃତୀୟ ଦଳ ଭିତରେ ରହି ଏହି ସ୍ଥାନ ପକ୍କା କରିଛି।

ଆଟ୍ଲାଣ୍ଟା: ୟୋଆନା ୱିସାଙ୍କ ଯୁଗଳ ଗୋଲ୍ରେ ୫୨ ବର୍ଷ ପରେ ବିଶ୍ବକପ୍ ଖେଳୁଥିବା କଙ୍ଗୋ ନକ୍ଆଉଟ୍ରେ ପ୍ରବେଶ କରିଛି। ରବିବାର ଗ୍ରୁପ୍-କେ’ର ଏକ ମ୍ୟାଚ୍ରେ ଏହି ଦଳ ୩-୧ ଗୋଲ୍ରେ ଉଜ୍ବେକିସ୍ତାନକୁ ହରାଇ ଶ୍ରେଷ୍ଠ ତୃତୀୟ ଦଳ ଭିତରେ ରହି ଏହି ସ୍ଥାନ ପକ୍କା କରିଛି। ୧୯୭୪ରେ ପଦାର୍ପଣ କରିଥିବା କଙ୍ଗୋ ଚଳିତ ବର୍ଷ ଦ୍ବିତୀୟ ଥର ବିଶ୍ବକପ୍ ଖେଳିବା ସହ ପ୍ରଥମ ବିଜୟ ପାଇଥିଲା। ଆରମ୍ଭରୁ ଚମତ୍କାର ଖେଳ ଦେଖାଇ ଦଶମ ମିନିଟ୍ରେ ଉଜ୍ବେକିସ୍ତାନ ଅଗ୍ରଣୀ ନେଇଯାଇଥିଲା। ଅକମଲ ମୋଜଗଭୟଙ୍କ ପାସ୍ରେ ଏଲଡର ସୋମୁରୋଡୋଭ ଗୋଲ୍ ଦେଇ ଏହି ଅଗ୍ରଣୀ ଦେଇଥିଲେ। ଏଥିସହ ଉଜ୍ବେକିସ୍ତାନ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲ। ତେବେ ଦ୍ବିତୀୟାର୍ଦ୍ଧରେ ଆଫ୍ରିକୀୟ ଦଳ କଙ୍ଗୋ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ଅର୍ଦ୍ଧରେ ୩ ଗୋଲ୍ ଲଦି ନକ୍ଆଉଟ୍ରେ ପ୍ରବେଶ କରିବା ସହ ଉଜ୍ବେକିସ୍ତାନକୁ ବିଦାୟର ରାସ୍ତା ଦେଖାଇଥିଲା। ୬୮ତମ ମିନିଟ୍ରେ କଙ୍ଗୋକୁ ମିଳିଥିବା ପେନାଲ୍ଟିକୁ ୱିସା ଗୋଲ୍ରେ ପରିଣତ କରି ସ୍ଥିତି ସମାନ କରିଥିଲେ। ଏହାର ୧୦ ମିନିଟ୍ରେ ଫିଷ୍ଟନ ମାୟଲେ (୭୮ ମିନିଟ୍) ଗୋଲ୍ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଶେଷ ମିନିଟ୍ରେ ମସ୍ଚାକ୍ ଏଲିଆଙ୍କ ସୁନ୍ଦର ପାସ୍କୁ ୱିସା ଗୋଲ୍ କରି ଦଳକୁ ଐତିହାସିକ ବିଜୟ ଭେଟି ଦେଇଥିଲେ।
କଙ୍ଗୋ, ପର୍ତ୍ତୁଗାଲ୍ ଓ କଲମ୍ବିଆ ନକ୍ଆଉଟ୍ରେ
କଙ୍ଗୋ ସହ ଏହି ଗ୍ରୁପ୍ରୁ ପର୍ତ୍ତୁଗାଲ୍ ଓ କଲମ୍ବିଆ ମଧ୍ୟ ନକ୍ଆଉଟ୍ରେ ସ୍ଥାନ ନିଶ୍ଚିତ କରିଛନ୍ତି। କଲମ୍ବିଆ (୭ ପଏଣ୍ଟ୍) ଶୀର୍ଷରେ ଏବଂ ପର୍ତ୍ତୁଗାଲ (୫ ପଏଣ୍ଟ୍) ଦ୍ବିତୀୟ ସ୍ଥାନରେ ନକ୍ଆଉଟ୍ରେ ପହଞ୍ଚିଥିଲା। ରବିବାର ମିଆମି ଷ୍ଟାଡିୟମ୍ରେ ଖେଳାଯାଇଥିବା କଲମ୍ବିଆ ଓ ପର୍ତ୍ତୁଗାଲ୍ ମ୍ୟାଚ୍ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ମ୍ୟାଚ୍ ସାରା ଉଭୟ ଦଳ ନିଜର ଆକ୍ରମଣାତ୍ମକ ଓ ପ୍ରତିରକ୍ଷାତ୍ମକ ପ୍ରଦର୍ଶନ କରିବାରୁ ଫଳାଫଳ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ସୌଜନ୍ୟ ସମ୍ବାଦ




