ଜାତୀୟ

ଭାବୁଥିଲି ତାଙ୍କୁ ଲୋକେ ଘୃଣା କରୁଥିଲେ… ଖାମେନିଙ୍କ ଶେଷକୃତ୍ୟରେ କାନ୍ଦୁଥିବା ଲୋକଙ୍କୁ ଥଟ୍ଟା କଲେ ଟ୍ରମ୍ପ

Khamenei's Funeral: ଶେଷକୃତ୍ୟ ସମୟରେ ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି କାନ୍ଦୁଥିବାର ଦେଖାଯାଇଥିଲା। ଏହାକୁ ନେଇ ଟ୍ରମ୍ପ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କହିଛନ୍ତି, ‘ମୁଁ ଭାବୁଥିଲି ଲୋକେ ତାଙ୍କୁ ଘୃଣା କରୁଥିଲେ, ବୋଧହୁଏ ଏହା ମିଛ ଲୁହ ।’

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଚେତାବନୀ ଦେଇଛନ୍ତି। ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ସେଠାକାର ବାକି ସମସ୍ତ ଶୀର୍ଷ ନେତୃତ୍ୱଙ୍କୁ ମାତ୍ର “ଗୋଟିଏ ସଟ୍” (One Shot) ରେ ଶେଷ କରିଦେଇ ପାରିବେ ବୋଲି ଟ୍ରମ୍ପ ଦାବି କରିଛନ୍ତି। କିନ୍ତୁ ଆଲୋଚନା ବା ବୁଝାମଣା କରିବା ପାଇଁ ସେଠାରେ “କେହି ବଞ୍ଚିବେ ନାହିଁ”, ସେଥିପାଇଁ ସେ ଏଭଳି କରିବେ ନାହିଁ ବୋଲି କହିଛନ୍ତି।

ଖବର ସରବରାହ ସଂସ୍ଥା ‘Axios’ କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଇରାନର ସବୁ ନେତା ସେଠାରେ ଏକାଠି ଅଛନ୍ତି। ମାତ୍ର ଗୋଟିଏ ଆକ୍ରମଣରେ ଆମେ ସମସ୍ତଙ୍କୁ ଶେଷ କରିପାରିବୁ, କିନ୍ତୁ ଆମେ ତାହା କରିବୁ ନାହିଁ। କାରଣ ଯଦି ଆମେ ସେମାନଙ୍କୁ ମାରିଦେବୁ, ତେବେ ଆମ ସହ ଆଲୋଚନା କରିବାକୁ କେହି ରହିବେ ନାହିଁ… ସେମାନେ ଏବେ ଚୁକ୍ତି କରିବା ପାଇଁ ଅନୁରୋଧ କରୁଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଖାମେନିଙ୍କ ଶେଷକୃତ୍ୟ ଶେଷ ହେବା ପର୍ଯ୍ୟନ୍ତ ଉଭୟ ପକ୍ଷ ଆଲୋଚନାରୁ ଏକ ସପ୍ତାହର ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ ମଧ୍ୟରେ କେହି କାହା ଉପରେ ଆକ୍ରମଣ କରିବେ ନାହିଁ। ଏହା ପୂର୍ବରୁ ସେ କହିଥିଲେ, ‘ଆମେ ମାତ୍ର ଗୋଟିଏ ଦିନରେ ଭେନେଜୁଏଲାକୁ ହରାଇଲୁ ଏବେ ଇରାନର ଅବସ୍ଥା ଖରାପ କରିଦେଇଛୁ। ସେମାନେ ବୁଝାମଣା ପାଇଁ ବ୍ୟାକୁଳ ହେଉଛନ୍ତି। ଆମେ ଦୟାଳୁ ହୋଇଥିବାରୁ ସେମାନଙ୍କୁ ଖାମେନିଙ୍କ ଶେଷକୃତ୍ୟ ପାଇଁ ଗୋଟିଏ ସପ୍ତାହର ଛୁଟି ଦେଇଛୁ।’

ଇରାନକୁ ପ୍ରାୟ ୩୬ ବର୍ଷ ଧରି ଶାସନ କରିଥିବା ଅଲି ଖାମେନି ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ। ଯଦିଓ ଇସଲାମିକ୍ ନିୟମ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଶବ ସତ୍କାର କରାଯାଏ, କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା।
ଜୁଲାଇ ୪ରେ ଆମେରିକା ଗଠନର ୨୫୦ତମ ବାର୍ଷିକୀ ଅବସରରେ ଇରାନ ଏହି ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ କରିଛି। ଜୁଲାଇ ୭ରେ ତେହେରାନର ଦକ୍ଷିଣରେ ଥିବା ପବିତ୍ର ସହର ‘କୋମ୍’ରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁଲାଇ ୯ରେ  ଖାମେନିଙ୍କ ନିଜ ସହର, ‘ମଶହାଦ’ରେ ତାଙ୍କୁ କବର ଦିଆଯିବ।

ଶେଷକୃତ୍ୟ ସମୟରେ ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି କାନ୍ଦୁଥିବାର ଦେଖାଯାଇଥିଲା। ଏହାକୁ ନେଇ ଟ୍ରମ୍ପ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କହିଛନ୍ତି, ‘ମୁଁ ଭାବୁଥିଲି ଲୋକେ ତାଙ୍କୁ ଘୃଣା କରୁଥିଲେ, ବୋଧହୁଏ ଏହା ମିଛ ଲୁହ ।’

ଇରାନର ବର୍ତ୍ତମାନର ସର୍ବୋଚ୍ଚ ନେତା ତଥା ଅଲି ଖାମେନିଙ୍କ ପୁଅ ମୋଜତବା ଖାମେନି ନିଜ ପିତାଙ୍କ ଶେଷକୃତ୍ୟୁରେ ସାମିଲ ହେବେ ନାହିଁ। ଭାରତରେ ଥିବା ତାଙ୍କ ପ୍ରତିନିଧି ଆୟାତୋଲ୍ଲା ହାକିମ ଇଲାହୀଙ୍କ ସୂଚନା ଅନୁସାରେ, ଇସ୍ରାଏଲର ସୁରକ୍ଷା ବିପଦ ଏବଂ ଡ୍ରୋନ ଯୋଗୁଁ ମୋଜତବାଙ୍କର ସର୍ବସାଧାରଣରେ ଉପସ୍ଥିତ ରହିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button