Savan 2026 : ‘ଶ୍ରାବଣୀ’ ଆରମ୍ଭ ହେବାକୁ ଆହୁରି ୧୦ ଦିନ ବାକି… ଆଗୁଆ ମହାଦେବଙ୍କୁ ଜଳାଭିଷେକ କରିଦେଲେ କାଉଡ଼ିଆ
ଶ୍ରାବଣ ଜଳଲାଗି ପର୍ବ ‘ଶ୍ରାବଣୀ’ ଆରମ୍ଭ ହେବାକୁ ଆହୁରି ୧୦ ଦିନ ବାକି। ଏବେଠୁ ବ୍ୟଗ୍ର ହେଲେଣି ଶ୍ରଦ୍ଧାଳୁ। ଶ୍ରୀଲିଙ୍ଗରାଜଙ୍କୁ ଆଗୁଆ ଜଳଲାଗି କଲେ କାଉଡ଼ିଆ...

ଭୁବନେଶ୍ୱର, ୨୧/୦୭ : ଆହୁରି ୧୦ଦିନ ପରେ ଶ୍ରାବଣ ଜଳଲାଗି ପର୍ବ ‘ଶ୍ରାବଣୀ’ ଆରମ୍ଭ ହେବ। କିନ୍ତୁ ଏବେଠୁ ଭକ୍ତମାନେ ନିଜ ଆରାଧ୍ୟଙ୍କ ଠାରେ ଜଳଲାଗି କରିବାକୁ ବ୍ୟଗ୍ର ହେଲେଣିା ସୋମବାର ଏହିଭଳି ଏକ ରୋଚକ ସ୍ଥିତି ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଥିଲା । ବାଲେଶ୍ୱର ଜିଲ୍ଲାର କିଛି କାଉଡିଆ ଭକ୍ତ ମହାନଦୀରୁ ପାଣି ଉତ୍ତୋଳନ କରି ଶ୍ରୀଲିଙ୍ଗରାଜଙ୍କ ଠାରେ ଲାଗି କରିବାକୁ ଭୋରରେ ମନ୍ଦିର ସିହଂଦ୍ୱାର ନିକଟରେ ପହଞ୍ଚି ଥିଲେ । ମନ୍ଦିର ପହୁଡ ଖୋଲିବା ପରେ ସାହାଣମେଲା ଦର୍ଶନ ବେଳେ ସେମାନେ ଭିତରକୁ ପ୍ରବେଶ କରିଥିଲେ । ଶ୍ରାବଣ ମାସ ଆରମ୍ଭ ନ ହେଉଣୁ ଆସିଥିଲେ ମଧ୍ୟ ସେମାନଙ୍କ ଇଛାକୁ ସମ୍ମାନ ଜଣାଇ ଜଳଲାଗି କରିବାକୁ କେହି ତାଙ୍କୁ ବାଧା ଦେଇ ନଥିଲେ।
ଏମିତିକି ଶ୍ରାବଣୀ ପାଉଣା ବାବଦୀୟ ଦେୟ ମଧ୍ୟ ସେମାନଙ୍କଠୁ ମନ୍ଦିର ପ୍ରଶାସନ ତରଫରୁ ଅସୁଲ କରାଯାଇନି। କେବଳ ନଡିଆ ବାବଦ ଟିକଟ କଟାଯାଇଥିବା ଜଣେ ମନ୍ଦିର କର୍ମଚାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବ୍ରାହ୍ମଣ ନିଯୋଗ ସେବାୟତ ଶକ୍ତି ମହାପାତ୍ର କହିଛନ୍ତି ଯେ ଆମର ଏଠି ଆସନ୍ତା ୩୦ ତାରିଖ ଠାରୁ ଜଳଲାଗି ପାଇଁ ବିଧିବଦ୍ଧ ଭାବେ ବ୍ୟବସ୍ଥା ଉପଲବ୍ଧ ହେବ । ତେଣୁ ଏ ବାବଦ ପ୍ରସ୍ତୁତି ବୈଠକ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।
ସୌଜନ୍ୟ ପ୍ରମେୟ




