ରାଜ୍ୟ

Ratha yatra: ଭକ୍ତ-ମହାପ୍ରଭୁଙ୍କ ଅତୁଟ ସଂପର୍କ: ରଥଯାତ୍ରା ପାଇଁ ଭାରରେ ଯାଆନ୍ତି ଶ୍ରୀଜଗନ୍ନାଥ

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ ଅପାର। କେଉଁଠି ସେ କେଉଁଭଳି ପୂଜା ପାଆନ୍ତି ତାହା ମହାପ୍ରଭୁଙ୍କୁ ଜଣା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ଭିନ୍ନ ପରମ୍ପରା ପାଟଣାଗଡ଼ ବ୍ଲକ୍‌ ଲରମ୍ଭାର....

ବଲାଙ୍ଗୀର: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ ଅପାର। କେଉଁଠି ସେ କେଉଁଭଳି ପୂଜା ପାଆନ୍ତି ତାହା ମହାପ୍ରଭୁଙ୍କୁ ଜଣା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ଭିନ୍ନ ପରମ୍ପରା ପାଟଣାଗଡ଼ ବ୍ଲକ୍‌ ଲରମ୍ଭାର ଖୁରିପାଣି ଗାଁରେ ଦେଖିବାକୁ ମିଳେ। ଆଜି ଗାଁରେ ଏକଚକିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି। ରଥରେ ବିଜେ ହୋଇ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଲୋକ କଥା ମୁତାବକ ସ୍ବାଧୀନତାର ବହୁ ବର୍ଷ ପୂର୍ବରୁ ଲରମ୍ଭା ଖୁରିପାଣି ଗାଁର ଗୌନ୍ତିଆ ଓ ବରଗଡ଼ ଜିଲ୍ଲା ତାଲପାଲି ଗାଁର ଗୌନ୍ତିଆ ଥିଲେ ସ୍ବର୍ଗତ ରାଜେନ୍ଦ୍ର ସାହୁ। ସେ ବରଗଡ଼ ଜିଲ୍ଲା ଘେଁସରେ ଏକଚକିଆ ରଥଯାତ୍ରା ଦେଖିଥିଲେ। ସେହି ଅନୁସାରେ, ଖୁରିପାଣି ଓ ତାଲପାଲି ଗାଁରେ ମହାପ୍ରଭୁଙ୍କ ଏକଚକିଆ ରଥ ଓ ବାହୁଡ଼ା ଯାତ୍ରା ଆରମ୍ଭ କରିଥିଲେ। ଦ୍ବିତୀୟାରେ ଖୁରିପାଣି ଗାଁରେ ରଥଯାତ୍ରା ଓ ତାଲିପାଲି ଗାଁରେ ବାହୁଡ଼ା ସଂପନ୍ନ ହେଉଥିବା ଖୁରିପାଣି ଗାଁର ବାସିନ୍ଦା ଗୁଣନିଧି ସାହୁ ସୂଚନା ଦିଅନ୍ତି। ଏହି କ୍ରମରେ ପାଟଣାଗଡ଼ ବ୍ଲକ୍‌ର ଘୁମେର, ଗଡ଼ିଆଜୋର ଅଞ୍ଚଳରେ ମଧ୍ୟ ଏହି ରଥଯାତ୍ରା ହେଉଥିଲା। କାଳକ୍ରମେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ୪ ବର୍ଷ ହେଲା ଏଠାରେ ପ୍ରଚଳିତ ରଥ ପରମ୍ପରାରେ ପରିବର୍ତ୍ତନ ହୋଇଛି।

ତଥ୍ୟ ଅନୁସାରେ, ବ୍ରାହ୍ମଣୀପାଲି ଗାଁର ତ୍ରିନାଥ ମଲ୍ଲିକଙ୍କ ଘରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ବର୍ଷତମାମ ହୁଏ। ବିଧି ଓ ଆଲୋଚନା ଅନୁସାରେ, ମଙ୍ଗଳବାର ଖୁରିପାଣି ଗାଁର ଭକ୍ତମାନେ ବ୍ରାହ୍ମଣୀପାଲିସ୍ଥିତ ଶ୍ରୀ ମଲ୍ଲିକଙ୍କ ଘରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ପୂଜା କରିବା ପରେ ଭାରରେ ବୋହିଥିଲେ। ଗାଁ ଲୋକେ ଭଜନ କୀର୍ତ୍ତନ କରି ମହାପ୍ରଭୁଙ୍କୁ ଆଣିଥିଲେ। ଗୌନ୍ତିଆ ପ୍ରଥା ନ ଥିଲେ ହେଁ ଖୁରିପାଣି ଗାଁର ରମେଶ ଚନ୍ଦ୍ର ସାହୁ, ତାଙ୍କ ପତ୍ନୀ ଭାଗ୍ୟଲତା ସାହୁ, ଭୁଜ ରାଉତ, ସନ୍ତୋଷ ବାଗ ପ୍ରମୁଖ ମହାପ୍ରଭୁଙ୍କ ପୂଜା ସହ ଆସ୍ଥାନକୁ ପାଛୋଟି ନେଇଥିଲେ। ଆଜି ଖୁରିପାଣି ଗାଁରେ ଏକଚକିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି (ଗୁରୁବାର) ପୁଣି ମହାପ୍ରଭୁଙ୍କୁ ଭାରରେ ବୋହି ଭକ୍ତମାନେ ବ୍ରାହ୍ମଣୀପାଲି ଗାଁର ଶ୍ରୀ ମଲ୍ଲିକଙ୍କ ଘରକୁ ନେବେ। ସେଠାରେ ଦଶମୀ ତିଥିରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ପ୍ରକାଶଥାଉକି, ଖୁରିପାଣି ଓ ବ୍ରାହ୍ମଣୀପାଲି ଗାଁର ଜନସଂଖ୍ୟା ପ୍ରାୟ ୪ ଶହ। ଶ୍ରୀଜଗନ୍ନାଥଙ୍କୁ ଭାରରେ ବୋହି ଆଣିବା ପରମ୍ପରା, ରଥଯାତ୍ରା ସହ ଆଦିବାସୀ ଜନବହୁଳ ଅଞ୍ଚଳର ଲୋକେ ବାହୁଡ଼ାରେ ଭକ୍ତିଭାବର ସହ ବିଭୋର ହେବା ଶ୍ରୀଜଗନ୍ନାଥ ଚେତନାର ଭିନ୍ନ ଦିଗକୁ ଦର୍ଶାଏ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button