Border: ଭାରତ-ବାଂଲାଦେଶ ସୀମାରେ ବଡ଼ ସ୍ମାର୍ଟ ଫେନ୍ସିଂ ଅଭିଯାନ, ସୁନ୍ଦରବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା
ଭାରତ-ବାଂଲାଦେଶସୀମାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ପଶ୍ଚିମବଙ୍ଗରେ ବଡ଼ ଧରଣର ସ୍ମାର୍ଟ ଫେନ୍ସିଂ କାର୍ଯ୍ୟ କରାଯାଉଛି।

ନୂଆଦିଲ୍ଲୀ: ଭାରତ–ବାଂଲାଦେଶସୀମାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ପଶ୍ଚିମବଙ୍ଗରେ ବଡ଼ ଧରଣର ସ୍ମାର୍ଟ ଫେନ୍ସିଂ କାର୍ଯ୍ୟ କରାଯାଉଛି। ବିଶେଷକରି ମୁର୍ଶିଦାବାଦ, ମାଲଦା ଓ ସୁନ୍ଦରବନ ଭଳି ଅନୁପ୍ରବେଶ ଓ ଚୋରାଚାଲାଣ ପ୍ରବଣ ଅଞ୍ଚଳରେ ଆଧୁନିକ ପ୍ରଯୁକ୍ତିଭିତ୍ତିକ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଲକ୍ଷ୍ୟ କେବଳ କାଣ୍ଟାତାର ବାଡ଼ ନିର୍ମାଣ ନୁହେଁ, ବରଂ ସମଗ୍ର ସୀମାକୁ ଏକ ସମନ୍ୱିତ ସ୍ମାର୍ଟ ନଜରଦାରି ବ୍ୟବସ୍ଥା ଅଧୀନକୁ ଆଣିବା।
ଦୀର୍ଘ ଦିନ ଧରି ଜମି ହସ୍ତାନ୍ତର ସମସ୍ୟା ଯୋଗୁ ସୀମାର ଅନେକ ଅଂଶରେ ଫେନ୍ସିଂ କାମ ଅଟକି ରହିଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ୯ଟି ସୀମାନ୍ତ ଜିଲ୍ଲାରେ ମୋଟ ୧,୦୨୪.୭୫ ଏକର ଜମି ବିଏସ୍ଏଫ୍କୁ ହସ୍ତାନ୍ତର କରିବା ପରେ ପ୍ରାୟ ୧୭୨.୬ କିଲୋମିଟର ନୂଆ ସୀମା ବାଡ଼ ନିର୍ମାଣ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଥିମଧ୍ୟରୁ ମୁର୍ଶିଦାବାଦରେ ୪୫.୪ କିଲୋମିଟର, ଉତ୍ତର ୨୪ ପ୍ରଗଣାରେ ୪୨.୦୭ କିଲୋମିଟର, କୁଚ୍ବିହାରରେ ୩୯.୩୯ କିଲୋମିଟର ଓ ମାଲଦାରେ ୨୦.୧୫ କିଲୋମିଟର ଫେନ୍ସିଂ ନିର୍ମାଣ ଯୋଜନା ରହିଛି।
ମୁର୍ଶିଦାବାଦର ଜଳଙ୍ଗୀ ସେକ୍ଟରରେ ପ୍ରାୟ ୧୨ ଫୁଟ ଉଚ୍ଚର ସ୍ମାର୍ଟ ଫେନ୍ସିଂ ନିର୍ମାଣ ହେଉଛି। ଏହି ବାଡ଼ରେ ଭବିଷ୍ୟତରେ ସେନ୍ସର, ଉଚ୍ଚକ୍ଷମତାସମ୍ପନ୍ନ ସିସିଟିଭି କ୍ୟାମେରା, ଥର୍ମାଲ୍ ଇମେଜିଂ, ନାଇଟ୍ ଭିଜନ୍ ଉପକରଣ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ନଜରଦାରି ବ୍ୟବସ୍ଥା ସଂଯୋଗ କରାଯିବ। ବାଡ଼ କାଟିବା କିମ୍ବା ଛୁଇଁବାକୁ ଚେଷ୍ଟା କଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ସଙ୍କେତ ପହଞ୍ଚିବ ଏବଂ ବିଏସ୍ଏଫ୍ର ତ୍ୱରିତ ପ୍ରତିକ୍ରିୟା ଦଳ ଘଟଣାସ୍ଥଳରେ ପହଞ୍ଚିବ। ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତି ମଧ୍ୟ ଏହି ବ୍ୟବସ୍ଥାର ଅଂଶ ହେବ।
ସୌଜନ୍ୟ ସମ୍ବାଦ




