Online gaming: ଗେମ୍ସକ୍ରାଫ୍ଟର ୧,୯୦୬ କୋଟି ଟଙ୍କାର ସମ୍ପତ୍ତି ଜବତ ଅନଲାଇନ୍ ଗେମିଂକୁ ନେଇ ଇଡିର କଡ଼ା କାର୍ଯ୍ୟାନୁଷ୍ଠାନ
ଅନଲାଇନ୍ ଗେମିଂ ପ୍ଲାଟଫର୍ମ ‘ଗେମ୍ସକ୍ରାଫ୍ଟ’ ବିରୋଧରେ ଚାଲିଥିବା ମନିଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ସଂସ୍ଥା ସହ ସମ୍ପୃକ୍ତ ୧,୯୦୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବୁଧବାର ଅସ୍ଥାୟୀ ଭାବେ ଜବତ କରାଯାଇଥିବା ଇଡି ଶୁକ୍ରବାର ପ୍ରକାଶ କରିଛି।

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ପ୍ଲାଟଫର୍ମ ‘ଗେମ୍ସକ୍ରାଫ୍ଟ’ ବିରୋଧରେ ଚାଲିଥିବା ମନିଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ସଂସ୍ଥା ସହ ସମ୍ପୃକ୍ତ ୧,୯୦୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବୁଧବାର ଅସ୍ଥାୟୀ ଭାବେ ଜବତ କରାଯାଇଥିବା ଇଡି ଶୁକ୍ରବାର ପ୍ରକାଶ କରିଛି। ଇଡିର ଅଭିଯୋଗ ଅନୁସାରେ, ଗେମ୍ସକ୍ରାଫ୍ଟ ଦକ୍ଷତାଭିତ୍ତିକ ଖେଳ ନାମରେ ଏଭଳି ଅନଲାଇନ୍ଗେମ୍ ଚଳାଉଥିଲା, ଯାହା ବ୍ୟବହାରକାରୀଙ୍କ ମଧ୍ୟରେ ଜୁଆ ଓ ନିଶାସକ୍ତି ସୃଷ୍ଟି କରୁଥିଲା ଏବଂ ବିପୁଳ ପରିମାଣର ଅର୍ଥ ଏହା ମାଧ୍ୟମରେ ସଂଗ୍ରହ କରାଯାଇଥିଲା।
ଇଡି କହିଛି, ଏହି ତଦନ୍ତ କର୍ଣ୍ଣାଟକ ପୁଲିସ ରୁଜୁ କରିଥିବା ଏଫ୍ଆଇଆର୍ ଆଧାରରେ ଆରମ୍ଭ ହୋଇଥିଲା। ତଦନ୍ତରେ ଜଣାପଡ଼ିଛି ଯେ, ଗେମ୍ସକ୍ରାଫ୍ଟ ବିଭିନ୍ନ ଅନଲାଇନ୍ ଖେଳ ମାଧ୍ୟମରେ ବ୍ୟବହାରକାରୀଙ୍କଠାରୁ ବହୁ ପରିମାଣରଅର୍ଥ ଆଦାୟ କରୁଥିଲା। ଏହି ବ୍ୟବସାୟରୁ ମିଳିଥିବା ଆୟ ‘ଅପରାଧଜନିତ ଆୟ’ର ଶ୍ରେଣୀଭୁକ୍ତ ହୋଇଥିବାରୁ ‘ପ୍ରିଭେନ୍ସନ୍ ଅଫ୍ ମନିଲଣ୍ଡରିଂ ଆକ୍ଟ’ (ପିଏମ୍ଏଲ୍ଏ) ଅଧୀନରେ ସମ୍ପତ୍ତି ଜବତ କରାଯାଇଛି।
ଇଡିର ସୂଚନା ଅନୁସାରେ, ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ବ୍ୟାଙ୍କରେ ଜମା ଅର୍ଥ, ନିବେଶ, ସେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ସାମିଲ ରହିଛି। ସଂସ୍ଥାର ଅଭିଯୋଗ ହେଉଛି, ଗେମ୍ସକ୍ରାଫ୍ଟର କାର୍ଯ୍ୟକଳାପ ସାଧାରଣ ଦକ୍ଷତାଭିତ୍ତିକ ଖେଳର ସୀମା ଅତିକ୍ରମ କରି ଲୋକଙ୍କୁ ବାରମ୍ବାର ଟଙ୍କା ଲଗାଇବାକୁ ପ୍ରୋତ୍ସାହିତ କରୁଥିଲା, ଯାହା ନିଶାସକ୍ତି ସୃଷ୍ଟି କରିବା ସହ ଆର୍ଥିକ କ୍ଷତି ମଧ୍ୟ ଘଟାଉଥିଲା। ଅନଲାଇନ୍ ଗେମିଂ କ୍ଷେତ୍ରରେ ଆର୍ଥିକ ଅନିୟମିତତା ଓ ମନିଲଣ୍ଡରିଂ ସନ୍ଦେହରେ ଇଡି ନିକଟ ଅତୀତରେ ଏକାଧିକ କମ୍ପାନି ବିରୋଧରେ ତଦନ୍ତ ଜୋରଦାର କରିଛି।
ସୌଜନ୍ୟ ସମ୍ବାଦ




