ମୁଖ ଗହ୍ବର କ୍ୟାନ୍ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍ସର: ନୋ ଆନ୍ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ କାରଣ ଜାଣି ମଧ୍ୟ ତାହାର ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ତାହା ଅକାଳ ମୃତ୍ୟୁକୁ ଡାକି ଆଣିଥାଏ। ଏବେ ଦେଖାଯାଉଥିବା କ୍ୟାନ୍ସର ମଧ୍ୟରୁ ମୁଖଗହ୍ବର କ୍ୟାନ୍ସର ଅନ୍ୟତମ। ବିଶେଷଭାବରେ ତମାଖୁଜାତୀୟ ଦ୍ରବ୍ୟ ଖାଇବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲେ ତାହା ଏହି ରୋଗର ପ୍ରମୁଖ କାରଣ ସାଜିଥାଏ। କେତେକ ଫଙ୍ଗସ ଜାତୀୟ (ଜୀବାଣୁ ବା ଭୂତାଣୁଜନିତ ଦୀର୍ଘ ସ୍ଥାୟୀ ସଂକ୍ରମଣ) ହେତୁ ମନୁଷ୍ୟ ଶରୀରରେ ମୁଖଗହ୍ବର କ୍ୟାନ୍ସର ହେବାର ଆଶଙ୍କା ରହିଥାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗ ନିରୂପଣ ହେଲେ ଆରୋଗ୍ୟସାଧ୍ୟ ହୋଇଥାଏ, ତେଣୁ ନିଶାଦ୍ରବ୍ୟ ସେବନ ଭଳି କୁଅଭ୍ୟାସଠାରୁ ନିଜକୁ ଦୂରେଇ ରଖିଲେ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା କମ୍ ଥାଏ। ମୁଖଗହ୍ବର କ୍ୟାନ୍ସରର କେତେକ ପ୍ରମୁଖ ଲକ୍ଷଣ ରହିଛି। ସେଗୁଡ଼ିକ ହେଲା-ମୁଖର ଅନ୍ତଃ ଭାଗରେ ଦୀର୍ଘ ଦିନ ଧରି ନାଲି କିମ୍ବା ଧଳା ଦାଗ ରହିଥିଲେ, ପାଟିରେ ଘା’ ହେଲେ ଶୀଘ୍ର ଭଲ ନ ହେବା, କ୍ରମାଗତ ଭାବେ ବଢ଼ି ଚାଲିଥିବା ଫୁଲା, ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହେବା କିମ୍ବା ଆଦୌ ଲାଳ ନିର୍ଗତ ନ ହେବା, ଅସ୍ବାଭାବିକ ଭାବେ ପାଟିରୁ ରକ୍ତସ୍ରାବ ହେବା କିମ୍ବା ନାକରୁ ରକ୍ତ ପଡ଼ିବା, ପାଟିର କର୍କସ ସ୍ବର ବାହାରି ଦୀର୍ଘଦିନ ଲାଗିରହିବା, ପାଟି ଠିକ୍ ଭାବେ ଖୋଲି ନ ପାରିବା, ପାଟି ଦ୍ୱାରା ଖାଦ୍ୟର ସ୍ବାଦ ଠିକ୍ ଭାବେ ବାରି ନ ପାରିବା,
ଜିଭ ବାହାରକୁ ବାହାର କରିବାରେ କଷ୍ଟ ଅନୁଭବ କରିବା, ଗଳା ସ୍ଥାନର ଗ୍ରନ୍ଥି ଫୁଲିବା ଏବଂ ପାଟିର ଅନ୍ତଃ ପ୍ରଦେଶରେ ବହୁଦିନ ଧରି ଯନ୍ତ୍ରଣା ଲାଗିରହିବା। ଏସବୁ ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
ସୌଜନ୍ୟ ଧରିତ୍ରୀ




