Heavy Rain Alert: ଆଜି ଗଭୀର ଅବପାତ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭/୭: ସୋମବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଅବପାତ ପ୍ରଭାବରେ ବାଦଲ ଫଟା ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା ଯୋଗୁ ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା(ଫ୍ଲାସ୍ ଫ୍ଲଡ୍) ସ୍ଥିତି ସୃଷ୍ଟି ହୋଇପାରେ । ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ସତର୍କ କରାଇଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଅବପାତ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆହୁରି ବଳୁଆ ହେବ । ସୋମବାର ଗଭୀର ଅବପାତ ରୂପ ନେବ । ସୋମବାର ସକାଳରୁ ଦିନ ୧୨ଟା ଭିତରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧ ତାରିଖ ଯାଏ ରାଜ୍ୟର ବହୁ ସ୍ଥାନରେ ଭାରି ବର୍ଷା ହୋଇପାରେ । ତେବେ ୨୯ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପ୍ରବଳ ବର୍ଷା ଆଶଙ୍କାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
ଜଗତସିଂହପୁର ବିରିଡ଼ିରେ ସର୍ବାଧିକ ୩୨୮ମିମି ବର୍ଷା ଢାଳିଛି । ସମ୍ବଲପୁର ଯୁଯୁମରାରେ ୨୭୫ମିମି, ନାକଟିଦେଉଳରେ ୧୪୫, ବାଟଗାଁରେ ୧୨୦, ରେଢାଖୋଲରେ ୧୨୯, ଖୋର୍ଦ୍ଧା ବାଲିପାଟଣାରେ ୧୨୫, ବରଗଡ଼ ଗାଇସିଲଟରେ ୧୧୪, ବଲାଙ୍ଗିର ସାଲେଭଟାରେ ୧୧୪, ଜଗତ୍ସିଂହପୁର ଆଳିପିଙ୍ଗଳରେ ୧୧୩, ବରଗଡ଼ ଝାରବନ୍ଧରେ ୧୧୨, କେନ୍ଦ୍ରାପଡ଼ା ରାଜକନିକାରେ ୧୦୮ ଓ ଯାଜପୁର ବରୀରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି ।
ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାଣ୍ଣି ର୍ଂ ଦିଆଯାଇଛି । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ଜିଲ୍ଲାରେ ଭାରି ବର୍ଷା ଆଶଙ୍କା ଅଛି । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୯ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି । ପ୍ରବଳ ବର୍ଷା କାରଣରୁ ନରାଜଠାରେ ମହାନଦୀର ଜଳସ୍ତର ୨୯.୯୫ ମିଟର ରହିଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି । ଏଠାରେ ଜଳସ୍ତର ରହିଛି ୧୮.୩୪ ମିଟର । ଆଖୁଆପଦାରେ ବୈତରଣୀର ଜଳସ୍ତର ୧୭.୨୨ ମିଟର ଅଛି ।
ସୌଜନ୍ୟ ପ୍ରମେୟ




