ପିଲାର ଚିକିତ୍ସା ପାଇଁ ଯାଉଥିଲେ, ବାଟରେ ଜଗିଥିଲା ଯମ; ଖାଇକୁ ଖସି ବର୍ଷକର ଶିଶୁ ସମେତ ଗୋଟିଏ ପରିବାରର ୫ ମୃତ
ପରିବାରର ସଦସ୍ୟମାନେ ସେମାନଙ୍କର ବର୍ଷକର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଠାନକୋଟସ୍ଥିତ ଏକ ହସ୍ପିଟାଲକୁ ନେଉଥିଲେ । ବାଟରେ ଲାହାଡ଼ ଗ୍ରାମ ନିକଟରେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ କାର୍ଟି ଗଭୀର ଖାଇକୁ ଖସିପଡ଼ିଥିଲା ।

ହିମାଚଳ ପ୍ରଦେଶ, ୨୮।୭: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ପଠାନକୋଟ-ଭରମୌର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଲାହାଡ଼ ଗ୍ରାମ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିଛି । ଏହି ଭୟଙ୍କର ଦୁର୍ଘଟଣାରେ କାର୍ରେ ଥିବା ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମୃତକ ଚମ୍ବା ଜିଲ୍ଲା ଗେହରା ଅଞ୍ଚଳର ବୋଲି ଜଣାପଡ଼ିଛି ।
ପରିବାରର ସଦସ୍ୟମାନେ ସେମାନଙ୍କର ବର୍ଷକର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଠାନକୋଟସ୍ଥିତ ଏକ ହସ୍ପିଟାଲକୁ ନେଉଥିଲେ । ବାଟରେ ଲାହାଡ଼ ଗ୍ରାମ ନିକଟରେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ କାର୍ଟି ଗଭୀର ଖାଇକୁ ଖସିପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି । ଦୁର୍ଘଟଣାର କାରଣ ଦ୍ରୁତ ଗତି, ଯାନ୍ତ୍ରିକ ତ୍ରୁଟି ନା ରାସ୍ତାର ଅନ୍ଧମୋଡ଼ ଯୋଗୁଁ ହୋଇଛି, ସେ ନେଇ ପୁଲିସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶରେ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଚମ୍ବା ଜିଲ୍ଲାର ସରୋଲ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଅର୍ଥାତ୍ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧରାତିରେ ନିଜ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଘରୁ ବାହାରକୁ ଦୌଡ଼ିଥିଲେ । ବର୍ଷା ପରେ କାଦୁଅ-ମାଟି ଓ ଆବର୍ଜନା ଲୋକଙ୍କ ଘର ଭିତରକୁ ପଶିଯାଇ ଅନେକ ଘରକୁ କ୍ଷତିଗ୍ରସ୍ତ କରିଛି, ଏପରିକି ଗୋଟିଏ ଘରର ଗୋଟିଏ ମହଲା ମାଟି ତଳେ ପୋତି ହୋଇଯାଇଛି । ଏହାସହ ୧୦ଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାଣିପାଗ କେନ୍ଦ୍ର ସିମଲା ପକ୍ଷରୁ ସିରମୌର ଓ ବିଲାସପୁର ଜିଲ୍ଲା ପାଇଁ ପ୍ରବଳ ବର୍ଷାର ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଥିବା ବେଳେ ସିମଲା, ମଣ୍ଡି ଓ ସୋଲନ ଜିଲ୍ଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ।
ସୌଜନ୍ୟ ପ୍ରମେୟ




