ଜିଲ୍ଲାରାଜ୍ୟ

Chhattisgarh: ଛତିଶଗଡ଼ରୁ ମାଡ଼ିଆସୁଛି ପାଣି: ବିପଦ ସଙ୍କେତ ଉପରେ କଲମା ଡ୍ୟାମ୍‌

ଉପକୂଳ ଓଡ଼ିଶାରେ ବନ୍ୟା ତାଣ୍ଡବ ଜାରି ରହିଥିବା ବେଳେ ବର୍ତ୍ତମାନ ମହାନଦୀ କରାଳ ରୂପ ଧାରଣ କରିବାରେ ଲାଗିଛି। ଛତିଶଗଡ଼ର ୧୦ ଜିଲ୍ଲାରେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ ସମସ୍ତ ଉପନଦୀ ଏବେ ମହାନଦୀକୁ ଫୁଲାଇ ଦେଇଛି।

ଝାରସୁଗୁଡ଼ା: ଉପକୂଳ ଓଡ଼ିଶାରେ ବନ୍ୟା ତାଣ୍ଡବ ଜାରି ରହିଥିବା ବେଳେ ବର୍ତ୍ତମାନ ମହାନଦୀ କରାଳ ରୂପ ଧାରଣ କରିବାରେ ଲାଗିଛି। ଛତିଶଗଡ଼ର ୧୦ ଜିଲ୍ଲାରେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ ସମସ୍ତ ଉପନଦୀ ଏବେ ମହାନଦୀକୁ ଫୁଲାଇ ଦେଇଛି। ଗତକାଲି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଉପରମୁଣ୍ଡରେ ହାରାହାରି ୫୦.୧୭ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଥିବା ବେଳେ ଏହି ପାଣି ବର୍ତ୍ତମାନ ଦ୍ରୁତଗତିରେ ହୀରାକୁଦ ଜଳଭଣ୍ଡାର ଆଡ଼କୁ ମାଡ଼ିଆସୁଛି। ଛତିଶଗଡ଼ କଲମା ବ୍ୟାରେଜ୍‌ର ୨ଟି ଅଚଳ ଗେଟ୍‌କୁ ଛାଡ଼ିଦେଲେ ଅବଶିଷ୍ଟ ୬୪ ଗେଟ୍ ଖୋଲା ରହିଛି। ଏହାସତ୍ତ୍ବେ ସେଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି।

ବିପଦ ସଙ୍କେତ ଉପରେ କଲମା ଡ୍ୟାମ୍‌
୬୪ ଗେଟ୍‌ ଖୋଲା ସତ୍ତ୍ବେ ବଢୁଛି ଜଳସ୍ତର
ବନ୍ୟା ପାଇଁ ସୀମାନ୍ତ ଛତିଶଗଡ଼ରେ ସତର୍କ ସୂଚନା

ଲଘୁଚାପ ପ୍ରଭାବରେ ଓଡ଼ିଶାରୁ ଆରମ୍ଭ କରି ଛତିଶଗଡ଼ ଯାଏଁ ପ୍ରବଳ ବର୍ଷା ହୋଇଛି। ଗତ ରବିବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଗତକାଲି ପର୍ଯ୍ୟନ୍ତ ଜାରି ରହିଥିବାବେଳେ ଆଜି ତାହା ଥମିଛି। ଛତିଶଗଡ଼ର ରାୟପୁର, ଧମତରୀ, ବିଳାସପୁର, ସୁରଗୁଜା, ଅମ୍ବିକାପୁର, ସାରଙ୍ଗଗଡ଼, ବିଲେଇଗଡ଼ରୁ ନେଇ ଓଡ଼ିଶା ସୀମାନ୍ତ ରାୟଗଡ଼ ପର୍ଯ୍ୟନ୍ତ ତୁହାକୁତୁହା ବର୍ଷା ହୋଇଥିଲା। ଗତକାଲି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଉପରମୁଣ୍ଡରେ ଥିବା ୮ଟି ଗଜ୍ ଷ୍ଟେସନ୍‌ ମଧ୍ୟରୁ ଘୋରାରୀରେ ୫୨.୪ ମିମି, ନନ୍ଦଘାଟରେ ୫୬.୬, ଶିବରିନାରାୟଣରେ ୩୯.୬, ଚାମ୍ପାରେ ୧୦୦, ସାରଡିହିରେ ୨୬.୮, ତାରାପୁରରେ ୧୯, ଦେଓଗାଁରେ ୮୫ ଏବଂ ଖେରୁଆଲରେ ୮୮.୪ ମିମି ବର୍ଷା ରେକର୍ଡ ହୋଇଥିଲା। ଏହି ସମସ୍ତ ପାଣି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବାରୁ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୦ ହଜାର ୨୩୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ଜଣାପଡ଼ିଛି। ହୀରାକୁଦ ଜଳସ୍ତର ମଧ୍ୟ ଆସନ୍ତାକାଲି ସୁଦ୍ଧା ୬୨୩ ଫୁଟ ଅତିକ୍ରମ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ସମସ୍ତଙ୍କ ନଜରରେ ରହିଥିବା କଲମା ବ୍ୟାରେଜ୍‌ରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। କଲମାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୯୭ ମିଟର ଥିବା ବେଳେ ୧୯୭.୨ ମିଟର ପର୍ଯ୍ୟନ୍ତ ଜଳ ପ୍ରବାହିତ ହେଉଛି। ଏହାର ଉପରମୁଣ୍ଡରେ ଥିବା ସାରଡିହି, ବସନ୍ତପୁର, ଶିବରିନାରାୟଣ, ମିରୋନି ଓ ସମୋଡ଼ା ବ୍ୟାରେଜ୍‌ର ସବୁ ଗେଟ୍ ଖୋଲାରହିଛି।

ପରିସ୍ଥିତିକୁ ଦେଖି ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାୟଗଡ଼, ସାରଙ୍ଗଗଡ଼-ବିଲେଇଗଡ଼, ଜାଙ୍ଗିର, ଚାମ୍ପା ଆଦି ଜିଲ୍ଲାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସେଠାକାର ସରକାର ଲୋକଙ୍କୁ ବନ୍ୟା ସତର୍କ ସୂଚନା ଜାରି କରିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ସୀମାନ୍ତବର୍ତ୍ତୀ ମହାନଦୀର ପ୍ରବେଶସ୍ଥଳ ଲଖନପୁର ଏବଂ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button