ଜିଲ୍ଲାରାଜ୍ୟ

Mahanadi River: ଫୁଲୁଛି ମହାନଦୀ: ୨୦ ଜିଲ୍ଲାର ୭ ଲକ୍ଷ ଲୋକ ପ୍ରଭାବିତ

ମହାନଦୀ ଓ ଏହାର ପ୍ରମୁଖ ଶାଖାନଦୀ କାଠଯୋଡ଼ି ଏ‌ବେ ଫୁଲୁଛି। ଆଜି ରାତି ସୁଦ୍ଧା ମୁଣ୍ଡଳି ଓ ନରାଜରେ ବନ୍ୟା ଜଳ ବିପଦ ସଙ୍କେତ ଟପିଯିବା ଆଶଙ୍କା କରାଯାଉଛି। ରିପୋର୍ଟ ଲେଖାହେଲା ବେଳକୁ ମୁଣ୍ଡଳିରେ ୮ଲକ୍ଷ ୮୦ ହଜାର ୫୯୧ କ୍ୟୁସେକ୍‌ ଜଳ ପ୍ରବାହିତ....

କଟକ: ମହାନଦୀ ଓ ଏହାର ପ୍ରମୁଖ ଶାଖାନଦୀ କାଠଯୋଡ଼ି ଏ‌ବେ ଫୁଲୁଛି। ଆଜି ରାତି ସୁଦ୍ଧା ମୁଣ୍ଡଳି ଓ ନରାଜରେ ବନ୍ୟା ଜଳ ବିପଦ ସଙ୍କେତ ଟପିଯିବା ଆଶଙ୍କା କରାଯାଉଛି।  ରିପୋର୍ଟ ଲେଖାହେଲା ବେଳକୁ ମୁଣ୍ଡଳିରେ ୮ଲକ୍ଷ ୮୦ ହଜାର ୫୯୧ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତଠାରୁ ମାତ୍ର ଦେଢ଼ଫୁଟ ତଳେ ପାଣି ପ୍ରବାହିତ ହେଉଛି। ନରାଜରେ ଜଳସ୍ତର ୨୫.୮୫ ମିଟର ଥିବା ‌ବେଳେ ୪ ଲକ୍ଷ ୩୪ ହଜାର ୯୫୨ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। ଯୋବ୍ରା ଆନିକଟରେ ମହାନଦୀରେ ସନ୍ଧ୍ୟା ସୁଦ୍ଧା ୩ ଲକ୍ଷ ୯୭ ହଜାର ୨୪ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିବା ବେଳେ ଜଳସ୍ତର ୨୧.୨୦ ମିଟର ରହିଛି। ଗତକାଲି ରାତିରୁ ମହାନଦୀରେ ପାଣି ବଢ଼ିବା ସହିତ ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ବିଳମ୍ବିତ ରାତିରେ ପାଣି ପଶିଥିଲା। ଫଳରେ ରାତିରେ ମା’ଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ବଡ଼ମ୍ବାର ଯୋଡୁମ୍‌ରେ ବୁଧବାର ରାତିରେ ମହାନଦୀ ବନ୍ଧରେ ଘାଇ ହେବା ସହିତ ଚାଷ ଜମି ବୁଡ଼ିଯାଇଛି। ମହାନଦୀରେ ବନ୍ୟାପାଣି ବଢୁଥିବାରୁ ଧବଳେଶ୍ବର, ଭଟ୍ଟାରିକା ଓ ସିଂହନାଥ ପୀଠରେ ଆଜିଠାରୁ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି।

Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ବାଙ୍କୀ-ତିଗିରିଆ ଯୋଗାଯୋଗ ବିଚ୍ଛିନ୍ନ
ହୁଳୁହୁଳା ପୋଲ ଉପରେ ୫ ଫୁଟ ପାଣି
ଧବଳେଶ୍ବର, ଭଟ୍ଟାରିକା, ସିଂହନାଥ ପୀଠରେ ୧୬୩ ଧାରା ଲାଗୁ

ବାଙ୍କୀ-ଡମପଡ଼ା ବ୍ଲକ୍‌ର ତଳିଆ ଅଞ୍ଚଳ‌ରେ ବି ମହାନଦୀର ବନ୍ୟା ପାଣି ମାଡ଼ିଯାଇଛି। ବାଙ୍କୀର ଓସ୍ତିଆ, ରତାଗଡ଼, ବାଉଁଶପୁଟ, ବନ୍ଦାଳ, କନ୍ତପହଁରା, ଘୋଳପୁର, କଦଳୀବାଡ଼ି, ବ୍ରହ୍ମପୁରା, ଅନୁୱାରି ଏବଂ ଡମପଡ଼ାର ସିମିଳିପୁର, ବିଲିପଡ଼ା, ତାଳବସ୍ତ, ପାର୍ଥପୁର, ହରିରାଜପୁର, କୁସପଙ୍ଗି ପଞ୍ଚାୟତର ହେକ୍ଟର ହେକ୍ଟର ଚାଷଜମିରେ ପାଣି ପଶିଯାଇଛି। ବାଙ୍କୀ-ତିଗିରିଆ ରାସ୍ତାର ରତାଗଡ଼ସ୍ଥିତ ହୁଳୁହୁଳା ପୋଲ ଉପରେ  ଏବେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ସିମିଳିପୁର-ବିଲିପଡ଼ା ରାସ୍ତାର କଇଁଆନାଳଠାରେ ରାସ୍ତା ଉପରେ ୩ ଫୁଟର ପାଣି, ବିଲିପଡ଼ାରୁ ତାଳବସ୍ତ ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ପାର୍ଥପୁର ପଞ୍ଚାୟତର ଚାରିଘରିଆ, କଇଁମୁଣ୍ଡି ଏବଂ ସିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ହୁଳୁହୁଳା ପୋଲ ଦେଇ ମହାନଦୀର ପଛୁଆ ପାଣି ପ୍ରବେଶ କରିଥିବାରୁ ତିଗିଆର ବ୍ଲକ୍‌ର ଚାଷ ଜମିରେ ପାଣି ଜମିଯାଇଛି। ବନ୍ୟା ପ୍ରଭାବିତ ଆଠଗଡ଼ ସବ୍‌ଡିଭିଜନ୍‌ର ପ୍ରାୟ ୧୫୦୦ ବାସିନ୍ଦା, ବାଙ୍କୀ ସବ୍‌ଡିଭିଜନ୍‌ର ୬୦୦ ବାସିନ୍ଦା, କଟକ ସଦର ସବ୍‌ଡିଭିଜନ୍‌ର ୮୦୦ ବାସିନ୍ଦା ଏବଂ କେଏମ୍‌ସି ଅଞ୍ଚଳର ୧ ହଜାର ବାସିନ୍ଦାଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ୩ଟି ସବ୍‌ଡିଭିଜନ୍‌ରେ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଟିମ୍‌ ଓ କେଏମ୍‌ସି ଅଞ୍ଚଳରେ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଡାକ୍ତର ଓ ପାରାମେଡିକାଲ୍‌ କର୍ମଚାରୀଙ୍କୁ ସତର୍କ ରହିବାକୁ କୁହାଯାଇଥିଲା ବେଳେ ସାପକାମୁଡ଼ା ଔଷଧ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ପାଣି କମୁଛି
ଭଦ୍ରକଯାଜପୁର ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ମହାନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବଢ଼ୁଥିବାବେଳେ ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗରେ ପାଣି କମୁଛି। ହେଲେ ବିଭିନ୍ନ ନଦୀରେ ବନ୍ୟା ଏବଂ ବହୁସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାର ୭,୦୫,୨୩୨ ଜଣ ଲୋକ ପ୍ରଭାବିତ ହେଲେଣି। ସରକାରୀ ଭାବେ ଏବେ ସୁଦ୍ଧା ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ କେନ୍ଦୁଝରରେ ଜଣଙ୍କର ପାଣିରେ ବୁଡ଼ି, ଢେଙ୍କାନାଳ ଓ ରାୟଗଡ଼ାରେ ଜଣେ ଲେଖାଏଁ କାନ୍ଥ ଭୁଶୁଡ଼ିବା ଯୋଗୁ ମରିଛନ୍ତି। ବନ୍ୟା ପ୍ରକୋପରେ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ପରିସ୍ଥିତି ସଙ୍ଗିନ ଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ସ୍ଥିତି ପରଖିଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ସହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ଏବଂ ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ୍ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବନ୍ୟା ଜଳ କମିବା ପରେ ଯେପରି ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ମିଳିବ ସେ ନେଇ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ଓ ଲଗାଣ ବର୍ଷାରେ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁରକଳାହାଣ୍ଡିକନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରିମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୧୦୦ଟି ବ୍ଲକ୍‌ର ୫୩୯ଟି ଗ୍ରାମ ପଞ୍ଚାୟତର ୧୪୫୮ଟି ଗାଁ, ୧୪ଟି ସହରାଞ୍ଚଳରେ ୧୭୬ଟି ୱାର୍ଡର ୭,୦୫,୨୩୨ ଜଣ ପ୍ରଭାବିତ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି। ୧୩୧୦ ପଶୁ ମରିଛନ୍ତି। ବନ୍ୟାକୁ ନଜରରେ ରଖି ୧,୮୯,୫୯୭ ଜଣଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଆଦିକୁ ସ୍ଥାନାନ୍ତର କରାଯାଇଛି। ୨୧ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ୨୪୮୯୬ ହେକ୍ଟର ଚାଷଜମିରେ ପାଣି ମାଡ଼ିଯାଇଛି। ବନ୍ୟା ଓ ବର୍ଷା ଯୋଗୁଁ ୧୩୫୩ଟି ଘର ଭାଙ୍ଗିଥିବାବେଳେ ଲୋକଙ୍କୁ ଖାଦ୍ୟ ଯୋଗାଣ ପାଇଁ ୫୨୦ଟି ରିଲିଫ କେନ୍ଦ୍ର ଖୋଲାଯାଇଛି। ଏବେ ସୁଦ୍ଧା ୧,୮୨,୨୫୨ ଜଣଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ହେଉଛି। ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ୧୯ଟି ଗୋଖାଦ୍ୟ କେନ୍ଦ୍ରରେ ୪୨୭ ମେଟ୍ରିକ ଟନ୍ ଗୋଖାଦ୍ୟ ବଣ୍ଟାଗଲାଣି। ବନ୍ୟା ଓ ଜଳବନ୍ଦି ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାକୁ ୧୭ଟି ଓଡ୍ରାଫ୍ ଟିମ୍, ୬ଟି ଏନ୍‌ଡିଆର୍‌ଏଫ୍, ୧୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି।
ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୫ଟି ବ୍ଲକ୍‌ର ୧୦୨ଟି ଗ୍ରାମ ପଞ୍ଚାୟତର ୪୦୦ ଗାଁ ଏବଂ ୩ଟି ପୌରାଞ୍ଚଳର ୨୬ଟି ୱାର୍ଡର ମୋଟ୍‌ ୪,୧୧,୪୨୨ ଜଣ ପ୍ରଭାବିତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୧,୨୦,୧୫୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଯାଜପୁର ଜିଲ୍ଲାରେ ୮ଟି ବ୍ଲକ୍‌ର ୯୭ଟି ଗ୍ରାମପଞ୍ଚାୟତର ୨୭୫ ଗାଁ ଏବଂ ଗୋଟିଏ ପୌରାଞ୍ଚଳର ଗୋଟିଏ ୱାର୍ଡର ମୋଟ୍ ୧,୩୭,୦୧୦ ଜଣ ପ୍ରଭାବିତ ହୋଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ୩୫,୫୭୨ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦,୨୦୬.୩୦ ହେକ୍ଟର ଚାଷଜମି‌େର ପାଣି ମାଡ଼ିଯାଇଛି।ବାଲେଶ୍ବର ଜିଲ୍ଲାରେ ୧୦ଟି ବ୍ଲକ୍‌ର ୧୪୧ଟି ଗ୍ରାମ ପଞ୍ଚାୟତର ୪୪୯ ଗାଁ ଏବଂ ୫ଟି ପୌରାଞ୍ଚଳର ୧୩୫ଟି ୱାର୍ଡର ମୋଟ୍ ୧,୪୬,୫୦୪ ଜଣ ପ୍ରଭାବିତ ହୋଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ୨୯,୦୧୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୬୫୪ଟି ଘର ଭାଙ୍ଗିଥିବା ରିପୋର୍ଟ ହୋଇଛି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button