
କେନ୍ଦୁଝର/ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ଡ୍ୟାମ୍ରୁ ପ୍ରଥମଥର ପାଇଁ ବନ୍ୟାଜଳ ନିଷ୍କାସନ କରାଯାଇଛି। କିଛିଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁଁ ଜଳଭଣ୍ଡାରକୁ ପ୍ରଚୁର ପରିମାଣରେ ପାଣି ପ୍ରବେଶ କରିଥିଲା। ଫଳରେ ଜଳସ୍ତର ବୃଦ୍ଧି ପାଇଥିଲା। ଗୁରୁବାର ସକାଳେ ଡ୍ୟାମ୍ର ପାଞ୍ଚଟି ଫାଟକ ଖୋଲାଯାଇ ପ୍ରତି ସେକେଣ୍ଡରେ ପ୍ରାୟ ୯୦୦ରୁ ୧୦୦୦କ୍ୟୁମେକ୍ ପାଣି ତଳମୁଣ୍ଡକୁ ଛଡ଼ାଯାଉଛି। ସେହିପରି ଜଳଭଣ୍ଡାରରେ ଥିବା କଫର୍ ଡ୍ୟାମ୍ (ଅସ୍ଥାୟୀ ମାଟିବନ୍ଧ) ଭାଙ୍ଗିଯାଇଛି। ତେବେ ଏହାଦ୍ୱାରା ମୁଖ୍ୟ ଡ୍ୟାମ୍ କିମ୍ବା ତଳମୁଣ୍ଡରେ ଥିବା ଜନବସତି ପ୍ରତି କୌଣସି ବିପଦ ନଥିବା ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି।
ଭାଙ୍ଗିଲା କଫର୍ ଡ୍ୟାମ୍
ମୁଖ୍ୟ ଡ୍ୟାମ୍, ଜନବସତିକୁ ବିପଦ ନାହିଁ: ମୁଖ୍ୟ ନିର୍ମାଣ ଯନ୍ତ୍ରୀ
ସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଆଜି ସକାଳ ସୁଦ୍ଧା କାନପୁର ଡ୍ୟାମ୍ର ଜଳସ୍ତର ୪୩୨.୪ ମିଟରରେ ପହଞ୍ଚିଥିଲା। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬୪୦ କ୍ୟୁମେକ୍ ପାଣି ପ୍ରବେଶ କରୁଛି। ଜଳ ପରିଚାଳନା ପାଇଁ ପାଞ୍ଚଟି ଫାଟକ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ ଅଧିକ ପରିମାଣରେ ପାଣି ଜମା ହେବା ଏବଂ ଚାପ ବଢ଼ିବାରୁ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଡ୍ୟାମ୍ ନିକଟରେ ନିର୍ମିତ ଅସ୍ଥାୟୀ ମାଟିବନ୍ଧ ବା କଫର ଡ୍ୟାମ୍ ଭାଙ୍ଗିଯାଇଥିଲା। ଡିପ୍ଲେସନ୍ ସ୍ଲୁଇସ୍ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ଅସ୍ଥାୟୀ ମାଟିବନ୍ଧ ନିର୍ମାଣ କରାଯାଇଥିଲା। ଏ ସମ୍ପର୍କରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ମହେନ୍ଦ୍ର କୁମାର ବେହେରା କହିଛନ୍ତି, କଫର ଡ୍ୟାମ୍ ଭାଙ୍ଗିଥିଲେ ବି ମୁଖ୍ୟ ଡ୍ୟାମ୍ର କୌଣସି କ୍ଷତି ହୋଇନାହିଁ। ତଳମୁଣ୍ଡରେ ଥିବା ଗ୍ରାମ କିମ୍ବା ଜନବସତି ପାଇଁ କୌଣସି ବିପଦ ନାହିଁ। ପରିସ୍ଥିତି ଉପରେ ନଜର ରଖାଯାଇଛି। ଜଳପ୍ରବାହ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଡ୍ୟାମ୍ର ଫାଟକ ପ୍ରଥମ ଥର ପାଇଁ ଖୋଲା ଯାଇଥିବାରୁ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ, ସ୍ଥାନୀୟ ତହସିଲଦାର, ବିଡିଓ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଡ୍ୟାମ୍ର ସୁରକ୍ଷା, ଜଳପ୍ରବାହର ନିୟନ୍ତ୍ରଣ ଏବଂ ତଳମୁଣ୍ଡରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ତଳମୁଣ୍ଡରେ ଥିବା ଲୋକଙ୍କୁ ନଦୀକୂଳକୁ ଅନାବଶ୍ୟକ ଭାବେ ନଯିବା ଏବଂ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।
ସୌଜନ୍ୟ ସମ୍ବାଦ




