ଦେଶ ବିଦେଶ

International Airport: ଭୋଗାପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆନ୍ଧ୍ର ପ୍ରଦେଶର ଭିଜିଆନାଗରମ୍ ଜିଲ୍ଲା ସ୍ଥିତ ଭୋଗାପୁରମଠାରେ ୫,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ଭିଜିଆନାଗରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆନ୍ଧ୍ର ପ୍ରଦେଶର ଭିଜିଆନାଗରମ୍ ଜିଲ୍ଲା ସ୍ଥିତ ଭୋଗାପୁରମଠାରେ ୫,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉତ୍ତର ଆନ୍ଧ୍ର ଅଞ୍ଚଳର ଆର୍ଥିକ ବିକାଶ ପାଇଁ ଏକ ମୁଖ୍ୟ କେନ୍ଦ୍ର କୁହାଯାଉଥିବା ଏହି ବିମାନବନ୍ଦର ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାର କ୍ଷମତା ରଖିଥିବା ବେଳେ ଭବିଷ୍ୟତରେ ଏହାକୁ ୪ କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଟର୍ମିନାଲ୍ ଭବନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏସ୍. ଅବଦୁଲ୍ ନଜୀର ଏବଂ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସମ୍ପୂର୍ଣ୍ଣ ବିମାନବନ୍ଦର ପରିଦର୍ଶନ କରିଥିଲେ। ଏହି ଗସ୍ତ ଅବସରରେ ସେମିକଣ୍ଡକ୍ଟର, ବିଦ୍ୟୁତ୍ ସଞ୍ଚାରଣ ଏବଂ ଜାତୀୟ ରାଜପଥ ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୧୮,୦୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା

ଆଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ବିଲ୍ଡିଂ ଇନଫର୍ମେସନ୍ ମୋଡେଲିଂ, ଏୟାରସାଇଡ୍ ୪.୦ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋମେଟ୍ରିକ୍ ଯାତ୍ରୀ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ସଜ୍ଜିତ ଏହି ବିମାନବନ୍ଦରର ନିର୍ମାଣରେ ଆନ୍ଧ୍ର ପ୍ରଦେଶର ସାଂସ୍କୃତିକ ଐତିହ୍ୟ ”ଛୁଟିଲୁ” କୁଟୀର ଓ ଆରକୁ ଉପତ୍ୟକାର ମନୋରମ ଦୃଶ୍ୟକୁ ସ୍ଥାନ ଦିଆଯାଇଛି। ଉଦଘାଟନୀ ସଭାସ୍ଥଳରେ ୧୩,୫୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳା ଓ ଛାତ୍ରଛାତ୍ରୀ ପାରମ୍ପରିକ ”ଧିମ୍ସା” ନୃତ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରେ ୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାଜ୍ୟର ପ୍ରଥମ ଏଏସଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ବାର୍ଷିକ ୯୬ ନିୟୁତ ଚିପ୍ସ ଉତ୍ପାଦନ କରିବ। ଶକ୍ତି କ୍ଷେତ୍ରରେ କୁର୍ଣ୍ଣୁଲ-୫ ଅକ୍ଷୟ ଶକ୍ତି ଜୋନର ସଞ୍ଚାରଣ ପ୍ରଣାଳୀ ପାଇଁ ୫,୫୫୦ କୋଟି ଟଙ୍କାର ପ୍ରକଳ୍ପ ସହ ଅନନ୍ତପୁର ଓ କୁର୍ଣ୍ଣୁଲ ସୌର ଓ ସୌର-ପବନ ଶକ୍ତି ପ୍ରକଳ୍ପଗୁଡ଼ିକୁ ଦେଶପ୍ରତି ସମର୍ପିତ କରାଯାଇଛି। ସେହିପରି ଏନଏଚ୍-୩୬୫ ବିଜି ଏବଂ ଏନଏଚ୍-୫୬୫ରେ ସେତୁ ଓ ଗ୍ରୀନଫିଲ୍ଡ ରାଜପଥ ନିର୍ମାଣ ପାଇଁ ୧,୮୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button