ରାଜ୍ୟ

Kurudu village: କୁରୁଡ଼ୁ ଗାଁରେ ଏବେ ଅଛନ୍ତି ୬ ବୁଢ଼ାବୁଢ଼ୀ: ଶହ ଶହ ଏକର ଜମି ପଡ଼ିଆ, ପାଠପଢ଼ା ପାଇଁ ଗାଁ ଛାଡ଼ିଲେ ୮୭ ପରିବାର

ପିଲାଛୁଆଙ୍କୁ ଦି’ଅକ୍ଷର ଶିଖାଇବାର ଝୁଙ୍କ ସେମାନଙ୍କୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ କଲା। ପୂରା ଗାଁ ଏକପ୍ରକାର ଜନଶୂନ୍ୟ। ଏକର ଏକର ଚାଷଜମି ଏବେ ଘାସପଡ଼ିଆ ଓ ଜଙ୍ଗଲରେ ପରିଣତ ହୋଇଛି।

କପିଳେନ୍ଦ୍ର ପ୍ରଧାନ

ଅନୁଗୋଳ: ପିଲାଛୁଆଙ୍କୁ ଦି’ଅକ୍ଷର ଶିଖାଇବାର ଝୁଙ୍କ ସେମାନଙ୍କୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ କଲା। ପୂରା ଗାଁ ଏକପ୍ରକାର ଜନଶୂନ୍ୟ। ଏକର ଏକର ଚାଷଜମି ଏବେ ଘାସପଡ଼ିଆ ଓ ଜଙ୍ଗଲରେ ପରିଣତ ହୋଇଛି। ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟସେବା ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅନୁଗୋଳଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତର କୁରୁଡ଼ୁ ଗାଁ ପାଲଟିଯାଇଛି ଏକ ‘ପରିତ୍ୟକ୍ତ ଗାଁ’।
ଅନୁଗୋଳ ସଦର ମହକୁମାଠୁ ୨୮ କିଲୋମିଟର ଦୂରରେ ରହିଛି ବଣପାହାଡ଼ ଘେରା କୁରୁଡ଼ୁ ଗାଁ। ଗାଁର ମୋଟ ଆୟତନ ୧୩୮ ହେକ୍ଟର ବା ସାଢ଼େ ତିନିଶହ ଏକର। ହେଲେ, ଅଛି ମାତ୍ର ୩ଟି ଘର। ବାସ କରୁଛନ୍ତି ୬ ଜଣ ବୁଢ଼ାବୁଢ଼ୀ। ଗାଁର ୬୦ ବର୍ଷୀୟା ଗଭା ସାହୁ କହନ୍ତି, ତାଙ୍କ ଗାଁ ପୂର୍ବରୁ ଏମିତି ନଥିଲା। ଗୋଟେ ସମୟରେ ଏଠି ୯୦ ପରିବାର ବାସ କରୁଥିଲେ। ବର୍ଷତମାମ ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷ ହେଉଥିଲା। ଟନ୍‌ ଟନ୍‌ ଅର୍ଥକାରୀ ଫସଲ ଓ ପନିପରିବା ଅମଳ ହେଉଥିଲା। ବେଶ୍‌ ଭଲରେ କଟୁଥିଲା ସେମାନଙ୍କ ଜୀବନ। ହେଲେ ପ୍ରଶାସନିକ ଉଦାସୀନତା କାରଣରୁ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଲା ଏହି ଗାଁ। ଯାତାୟାତ ସୁବିଧା ନଥିବାରୁ ଅମଳ ହେଉଥିବା ଫସଲ ବଜାରକୁ ଯାଇପାରିଲା ନାହିଁ। ‌ଦେହ ଖରାପ ହେଲେ ଡାକ୍ତରଖାନା ପହଞ୍ଚି ପାରିଲେନି ଗାଁ ଲୋକେ।  ଗାଁରେ ସ୍କୁଲ କି ଅଙ୍ଗନବାଡ଼ିଟିଏ ନ ଥିବାରୁ ପିଢ଼ି ପରେ ପିଢ଼ି ଅପାଠୁଆ ହେବା ଗ୍ରାମବାସୀଙ୍କ ପାଇଁ ଅସହ୍ୟ ହେଲା। ନିଜ ପିଲାଙ୍କୁ ଦି’ଅକ୍ଷର ପାଠ ପଢ଼ାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ଗାଁ ଛାଡ଼ି‌ଦେଲେ ୮୭ ପରିବାର। ଆଉ କୁରୁଡ଼ୁ ପାଲଟିଗଲା ଏକ ପରିତ୍ୟକ୍ତ ଗାଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button