Asian Games 2026: ଆଜିଠୁ ଏସିଆନ୍ ଗେମ୍ସ…୪୩ କ୍ରୀଡ଼ା, ୪୬୯ ଇଭେଣ୍ଟ, ୫୪ ଭେନ୍ୟୁ, ଟାର୍ଗେଟ୍ ଅଲମ୍ପିକ୍ସ ଟିକେଟ୍

ନୂଆଦିଲ୍ଲୀ,୧୯/୦୯; ବହୁ ବିବାଦ, ଆଲୋଚନା ଓ ସମାଲୋଚନାର ଅନ୍ତ ଘଟାଇ ଆରମ୍ଭ ହେବାକୁ ଯାଉଛି ଏସିଆଡ୍ର ୨୦ତମ ସଂସ୍କରଣ । ଜାପାନର ଆଇଚି ଓ ନାଗୋୟା ସହରରେ ଏଥର ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଆଜି ପାଲୋମା ମିଜୁହୋ ଷ୍ଟାଡ଼ିୟମ୍ରେ ଏକ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ସହ ଏସୀୟ କ୍ରୀଡ଼ାର ବିଗୁଲ ବାଜିବ । ଜାପାନର ପ୍ରସିଦ୍ଧ ସିନେ ନିର୍ମାତା ୟୁକିହିକୋ ସୁସୁମି ଉଦଘାଟନୀ ଉତ୍ସବର ନିର୍ଦ୍ଦେଶନା ଦେଇଛନ୍ତି । ୪୫ଟି ଦେଶର ୧୫,୦୦୦ରୁ ଊଦ୍ଧ୍ୱ ର୍ ପ୍ରତିଯୋଗୀ ଓ ଟିମ ଅଫିସିଆଲ ଏଥର ଏସିଆଡ୍ରେ ଭାଗ ନେଉଛନ୍ତି । ୨୦ତମ ସଂସ୍କରଣରେ ୪୩ଟି କ୍ରୀଡ଼ାର ୭୧ଟି ଶୃଙ୍ଖଳାରେ ମୋଟ୍ ୪୬୯ଟି ଇଭେଣ୍ଟ ଆୟୋଜିତ ହେବ । ୧୯୫୮ ଓ ୧୯୯୪ ପରେ ଜାପାନ ତୃତୀୟ ଥର ପାଇଁ ଏସିଆଡ୍ ଆୟୋଜନ କରୁଛି । ଏଥର ୬ଟି ନୂଆ କ୍ରୀଡ଼ା (ଫ୍ରୀ-ଷ୍ଟାଇଲ ବିଏମଏକ୍ସ, ଏମଏମଏ, ପାଡେଲ, ଟେକବଲ୍, ସର୍ଫିଙ୍ଗ୍ ଓ ଭର୍ଚୁଆଲ ତାଏକୋଣ୍ଡୋ) ପଦାର୍ପଣ କରିବାକୁ ଯାଉଛନ୍ତି । ଆଇଚି ଓ ନାଗୋୟା ବ୍ୟତୀତ ଅନ୍ୟ କିଛି ସହରରେ ଏସିଆଡ୍ର ଅନେକ ଇଭେଣ୍ଟ ଅନୁଷ୍ଠିତ ହେବ । ସନ୍ତରଣ, ଡାଇଭିଂ, ଇକ୍ୱେଷ୍ଟ୍ରିଆନ ଇଭେଣ୍ଟ ସବୁ ଟୋକିଓ ସହରରେ ଆୟୋଜନ କରାଯିବ । ସେହିପରି ସାଇକେଲ୍ ଚାଳନାର ଟ୍ରାକ୍ ଇଭେଣ୍ଟ ଓସାକା ସହରରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ସମସ୍ତ ଇଭେଣ୍ଟ ପାଇଁ ମୋଟ୍ ୫୪ଟି ଭେନ୍ୟୁ ପ୍ରସ୍ତୁତ କରାଯାଇଛି ।
ଗତ ଟୋକିଓ ଅଲିମ୍ପିକ୍ସ ଅବସରରେ ଏହି ସବୁ ଭେନ୍ୟୁରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଚୀନ, ଜାପାନ, କୋରିଆ ପାୱାର ହାଉସ ଏସିଆଡ୍ରେ ପାରମ୍ପରିକ ଭାବେ ଚୀନ, ଜାପାନ ଓ ଦକ୍ଷିଣ କୋରିଆର ଆଧିପତ୍ୟ ଜାରି ରହିଛି । ଗତ ୧୯ଟି ସଂସ୍କରଣରେ ୩ଟି ଯାକ ଦେଶ ମିଳିତ ଭାବେ ପାଖାପାଖି ୧୦,୦୦୦ ପଦକ ଜିତି ସାରିଛନ୍ତି । ଚୀନ୍ ସର୍ବାଧିକ ୩୯୫୩ (୧୮୭୫ସ୍ୱର୍ଣ୍ଣ, ୧୨୧୬ରୌପ୍ୟ, ୮୬୨ବ୍ରୋଞ୍ଜ) ପଦକ ଜିତିଥିବା ବେଳେ ଜାପାନ ୩୪୩୦ (୧୧୩୬ସ୍ୱର୍ଣ୍ଣ, ୧୧୭୧ରୌପ୍ୟ, ୧୧୨୩ ବ୍ରୋଞ୍ଜ) ଓ ଦକ୍ଷିଣ କୋରିଆ ୨୬୧୫ (୮୨୯ ସ୍ୱର୍ଣ୍ଣ, ୭୮୧ରୌପ୍ୟ, ୧୦୦୫ ବ୍ରୋଞ୍ଜ)ଟି ପଦକ ଅର୍ଜନ କରି ସାରିଛନ୍ତି । ୧୯୫୧ରୁ ୨୦୨୨ ଏସିଆଡ୍ ମଧ୍ୟରେ ଭାରତ ମୋଟ୍ ୭୭୯ଟି ପଦକ ଜିତିଛି । ଏଥିରେ ୧୮୩ଟି ସ୍ୱର୍ଣ୍ଣ, ୨୩୮ଟି ରୌପ୍ୟ ଓ ୩୫୭ଟି ବ୍ରୋଞ୍ଜ ପଦକ ରହିଛି । ଗତ ହାଙ୍ଗଝୌ କ୍ରୀଡ଼ାରେ ଭାରତ ୧୦୭ଟି ପଦକ ଜିତିଥିଲା । ଏଥିରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଥିଲା । ପ୍ରଥମ ଥର ପାଇଁ ଭାରତ କୌଣସି ସଂସ୍କରଣରେ ୧୦୦ରୁ ଅଧିକ ପଦକ ଜିତିବାରେ ସଫଳ ହୋଇଥିଲା ।
ସୌଜନ୍ୟ ପ୍ରମେୟ



