Ajit Agarkar: ଅଗରକର ଯିବେ ନା ରହିବେ ? AGMରେ ମିଳିଲାନି ଉତ୍ତର, ଜାଣନ୍ତୁ କାହା ହାତରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯/୦୯; ଭାରତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ବିସିସିଆଇର ୯୫ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ବୈଠକରେ ବିସିସିଆଇର ପଦାଧିକାରୀଙ୍କ ସମେତ ଦେଶର ସମସ୍ତ ଅନୁବନ୍ଧିତ କ୍ରିକେଟ୍ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଭାରତୀୟ କ୍ରିକେଟ୍ ର ଚୟନ କମିଟିର ସବୁଠାରୁ ବଡ ପ୍ରଶ୍ନ ଉପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ। ବୈଠକରେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କିମ୍ବା ତାଙ୍କ ସ୍ଥାନରେ ନୂଆ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ । ଏଜିଏମ୍ ରେ ସଦସ୍ୟ ୟୁନିଟ୍ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ବୋର୍ଡ ଅଧିକାରୀଙ୍କ ଉପରେ ଛାଡି ଦେଇଛନ୍ତି । ଅଗକର କିନ୍ତୁ ତାଙ୍କ ମନ କଥା କହି ସାରଛନ୍ତି । ସେ ଏହି ପଦବୀରେ ଆଉ ରହିବାକୁ ଚାହୁଁନଥିବା ବିସିସିଆଇକୁ ଜଣାଇ ସାରିଛନ୍ତି ।
ବୈଠକ ପରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚୟନ କମିଟି ସହ ଜଡିତ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପଦାଧିକାରୀଙ୍କୁ କ୍ଷମତା ଦିଆଯାଇଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ଚୟନ କମିଟି ସମ୍ବନ୍ଧରେ ପରବର୍ତ୍ତୀ ନିଷ୍ପତ୍ତି ବୋର୍ଡ ଅଧିକାରୀମାନେ ଗ୍ରହଣ କରିବେ । ଅଗରକରଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏଜିଏମ୍ ପୂର୍ବରୁ ତାଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ହୋଇଥିଲା । ତେବେ ଏଜିଏମ୍ ପରେ ମଧ୍ୟ ବୋର୍ଡ ସ୍ପଷ୍ଟ କରିନାହିଁ ଯେ, ଅଗରକରଙ୍କୁ ସମ୍ପ୍ରସାରଣ କରାଯିବ ନା ତାଙ୍କ ସ୍ଥାନରେ ଜଣେ ନୂଆ ଚେହେରାଙ୍କୁ ଦାୟିତ୍ୱ ଦିଆଯିବ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଅଗରକରଙ୍କ ଉପରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି, ମାମଲା ଶେଷ ହୋଇନାହିଁ । ଏବେ ବିସିସିଆଇ ଅଧିକାରୀମାନେ ପରବର୍ତ୍ତୀ ପ୍ରକ୍ରିୟା ସମ୍ପର୍କରେ ନିଷ୍ପତ୍ତି ନେବେ । ଅଗରକର ଜୁଲାଇ ୨୦୨୩ ରେ ପୁରୁଷ ବରିଷ୍ଠ ଚୟନ କମିଟିର ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୨୫ ଏଜିଏମ୍ ରେ ମଧ୍ୟ ୫ ଜଣିଆ କମିଟିରେ ରହିଥିଲେ।
ସୌଜନ୍ୟ ପ୍ରମେୟ



